ଖୋର୍ଦ୍ଧା: ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି, ପ୍ରଚଣ୍ଡ ବାଗ୍ମୀ, ଅନନ୍ୟ ସାରସ୍ବତ ସାଧକ, ପ୍ରବୀଣ ରାଜନେତା ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୫ମ ଶ୍ରାଦ୍ଧ ବାଷିକୀ ସ୍ଥାନୀୟ ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନରେ ପାଳିତ ହୋଇଯାଇଛି। ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସ୍ମୃତି କମିଟିର ସମ୍ପାଦକ ସଞ୍ଜୟ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ଶିଶିର ପରିଡ଼ା, ପଦ୍ମଚରଣ ରାୟ, ପ୍ଲାବନ ପଟ୍ଟନାୟକ, ସମ୍ବିତ ମହାନ୍ତି, ମହମ୍ମଦ କେପାତୁଲ୍ଲା, ପ୍ରଦୋଷ ହରିଚନ୍ଦନ, ଜିତେନ୍ଦ୍ର ଚମ୍ପତ୍ତି, ବୁଟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଛି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ଏହା ପରେ ଖୋର୍ଦ୍ଧା ସହରର କେତେକ ଅସହାୟ ଓ ଦୁଃସ୍ଥଙ୍କୁ ସ୍ମୃତି କମିଟି ପକ୍ଷରୁ ଖାଦ୍ୟ, ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା।

Advertisment

ସୂଚନାଯୋଗ୍ୟ ୩ ଜାନୁଆରି ୧୯୨୭ରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଠାରେ ଜନ୍ମଗ୍ରହଣ କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଜଣେ ବହୁମୁଖୀ ପ୍ରତିଭାଧାରୀ ବ୍ୟକ୍ତି ଥିଲେ। ସେ ୧୯୮୦ରୁ ୧୯୮୯ ଓ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ତିନି ଥର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ପରେ ଆସାମର ରାଜ୍ୟପାଳ ଦାୟିତ୍ବରେ ରହି ଓଡ଼ିଶା ଓ ଆସାମ ମଧ୍ୟରେ ସମ୍ପର୍କର ସେତୁକୁ ଦୃଢ଼ କରିଥିଲେ।

କଟକ: ଭାରତବର୍ଷ, ବିଶେଷକରି ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ସ୍ବପ୍ନ ଥିଲା। ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସେ ଯୋଜନାବଦ୍ଧ ପ୍ରୟାସ କରିଥିଲେ। ସେ ଥିଲେ ସଂକଳ୍ପର ମଣିଷ। ନିଜସ୍ବ ପ୍ରଜ୍ଞା ଓ ସାରସ୍ବତ ପ୍ରତିଭା ତାଙ୍କୁ ଜଣେ ସଫଳ ରାଷ୍ଟ୍ରନାୟକର ମର୍ଯ୍ୟାଦା ଦେଇପାରିଛି ‌ବୋଲି ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ତରଫରୁ ମହାନଦୀବିହାରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ପ୍ରତିଷ୍ଠାନର ସଭାପତି ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ପ୍ରାରମ୍ଭିକ ସୂଚନା ଦେବା ସହିତ ନମ୍ରତା ଜାନକୀବଲ୍ଲଭଙ୍କ ସଫଳ ବ୍ୟକ୍ତିତ୍ବର ସର୍ବଶ୍ରେଷ୍ଠ ଭୂଷଣ ବୋଲି କହିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପ୍ରତି‌ଷ୍ଠାନର ଉପସଭାପତି ସାରଳା ସାହିତ୍ୟ ସଂସଦର ସଭାପତି ଡକ୍ଟର ଇଂଜିନିୟର ପ୍ରଭାକର ସ୍ବାଇଁ, ଅନ୍ୟତମ ଉପସଭାପତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ପ୍ରାକ୍ତନ ପୂର୍ତ୍ତ ସଚିବ ଇଂଜିନିୟର ଗୋପାଳକୃଷ୍ଣ ବେହେରା, କଂଗ୍ରେସ ନେତା ବ୍ରଜକିଶୋର ବିଶ୍ବାଳ, ପ୍ରଫେସର ସଂଜୟ ସାମନ୍ତରାୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯୁବ ଆଇନଜୀବୀ ଇଂଜିନିୟର ଆକାଶ ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କଟକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ବିଶିଷ୍ଟ ରାଜନେତା, ମହାନ ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମଙ୍କ ପକ୍ଷରୁ ନଗର କଂଗ୍ରେସ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବାବେଳେ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରାଙ୍କ ସମେତ ବହୁ ବ୍ୟକ୍ତି‌ବିଶେଷ ଓ ଅନୁଷ୍ଠାନ ସହର‌ର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସାମାଜିକ ଦୂରତ୍ବ ନିୟମ ରକ୍ଷା କରି ଆୟୋଜନ କରିଛନ୍ତି।