ଲକ୍ଷେ ରାଜାର ମଉଡ଼ମଣି : ସଂଗୀତ, ରାଜନୀତି ଓ ସାହିତ୍ୟ, ସବୁଠି ସକ୍ରିୟ

ସଙ୍ଗୀତ ଜଗତରେ ସଫଳତାର ଶୀର୍ଷକୁ ଛୁଇଁଥିବା ପ୍ରଫୁଲ୍ଲ କର ରାଜନୀତିରେ ପାଦ ଦେଇଥିଲେ। ୧୯୯୫ ମସିହାରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ପୁରୀ ବିଧାନସଭା ଆସନରୁ ଲଢ଼ିଥିଲେ। କିନ୍ତୁ କମ୍ ଭୋଟ୍‌ ବ୍ୟବଧାନରେ ଜନତା ଦଳର ପ୍ରାର୍ଥୀ ମହେଶ୍ବର ମହାନ୍ତିଙ୍କଠାରୁ ପରାଜୟ ବରଣ କରିଥିଲେ।

ତାହା ପରେ ସେ ରାଜନୀତି ପ୍ରତି ଆଉ ଆଗ୍ରହ ପ୍ରକାଶ କରି ନ ଥିଲେ। ଏହା ପରେ ଏକାଧିକ ଥର ବିଭିନ୍ନ ଦଳରୁ ଅଫର୍ ପାଇଥିଲେ। କିନ୍ତୁ ଆଉ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ରାଜନୀତିକୁ ଯାଇ ନ ଥିଲେ। ସ୍ବଳ୍ପ ସମୟର ରାଜନୈତିକ ଜୀବନର ଅନୁଭୂତିକୁ ନେଇ ‘ଯାହା କହୁଛି ସତ କହୁଛି’ ନାମରେ ଏକ ପୁସ୍ତକ ବି ସେ ରଚନା କରିଛନ୍ତି।

ସାରସ୍ବତ ଦୁନିଆରେ ବି ସକ୍ରିୟ

ଜଣେ ସ୍ତମ୍ଭକାର ଭାବେ ପ୍ରଫୁଲ୍ଲ କର ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। ତାଙ୍କ ରଚିତ ସ୍ତମ୍ଭକୁ ନେଇ ‘ସାଉଁଟା କାହାଣୀ’ ପୁସ୍ତକ ପ୍ରକାଶ ପାଇଥିଲା। ଏହା ମଧ୍ୟ ବେଶ୍‌ ପାଠକୀୟ ଆଦୃତି ଲାଭ କରିଥିଲା। ଏହା ବାଦ୍ ରାଜନୈତିକ ଜୀବନକୁ ନେଇ ‘ଯାହା କହୁଛି ସତ କହୁଛି’ ଏବଂ ତାଙ୍କ ରଚିତ ଗୀତକୁ ନେଇ ଦୁଇଟି ପୁସ୍ତକ ‘ଆଜ୍ଞାମାଳ’ ଓ ‘କୃପାଜଳ’ ପ୍ରକାଶ ପାଇଛି। ତାଙ୍କର ଆତ୍ମଜୀବନୀ ପୁସ୍ତକ ରଚନା ଶେଷ ହୋଇଥିଲେ ବି ପ୍ରକାଶ ପାଇ ପାରିନାହିଁ। ଏହାବାଦ୍ ଓଡ଼ିଆ ସାରସ୍ବତ ଜଗତର କାଳଜୟୀ କବିତାକୁ ସେ ସଙ୍ଗୀତରେ ସଜାଇ ଓଡ଼ିଆ ସଙ୍ଗୀତ ଦୁନିଆକୁ ନୂଆ ଦିଗ ଦେଖାଇଥିଲେ। ଗୋଦାବରୀଶ ମହାପାତ୍ରଙ୍କ ନିଆଁଖୁଣ୍ଟା ହେଉ କି ମାୟାଧର ମାନସିଂହଙ୍କ ପ୍ରଣୟ କବିତା। ପୁଣି ରାମକୃଷ୍ଣ ନନ୍ଦଙ୍କ ‘ଆହେ ଦୟାମୟ ବିଶ୍ବବିହାରୀ…’, ଭକ୍ତକବି ମଧୁସୂଦନ ରାଓଙ୍କ ‘ରେ ଆତ୍ମନ୍’କୁ ସେ ସଙ୍ଗୀତରେ ସଜାଇଥିଲେ। ଏହି ଗୀତ ସର୍ବକାଳୀନ ଶ୍ରେଷ୍ଠ ଗୀତ ହୋଇ ରହିଛି। ଏବେ ବି ତାହାର ଲୋକପ୍ରିୟତା ଅତୁଟ ରହିଛି।

ସାରଥି ପାଲଟିଥିଲା ୪୫ ବର୍ଷର ଆମ୍ବାସାଡର

ଜୀବନ ପାଇଁ ସାଥୀ ଭଳି ସାରଥିଟିଏ ନିହାତି ଆବଶ୍ୟକ। ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପାଇଁ ଏହି ସାରଥି ପାଲଟିଥିଲା ତାଙ୍କ ୪୫ ବର୍ଷ ବୟସର ଆମ୍ବାସଡର। ପୁଅ ଭଳି ସେ ଏହାର ଯତ୍ନ ନେଉଥିଲେ। ପ୍ରତିଦିନ ସଫା କରୁଥିଲେ। ଯୁଗ ସହ ତାଳ ଦେବାକୁ ତା’ ଦେହରେ ଆଧୁନିକ ଯନ୍ତ୍ରପାତି ଖଞ୍ଜୁଥିଲେ। ଏତେ ପୁରୁଣା ଗାଡ଼ି ରାସ୍ତାରେ ଚାଲିବାକୁ ଅନୁମତି ନଥିଲେ ମଧ୍ୟ ଶ୍ରୀ କର ଏହାକୁ ପ୍ରତି ୩ ବର୍ଷରେ ଥରେ ରଙ୍ଗ ଦେଉଥିଲେ। ତାକୁ ଦେଖି ଦେଖି ଜୀବନର ସମସ୍ତ ଉତ୍‌ଥାନ ପତନକୁ ମନେ ପକାଉଥିଲେ। ତା’ ସହ ଯେମିତି ଶ୍ରୀ କରଙ୍କର ଥିଲା ଭାବଗତ ସମ୍ପର୍କ। ନିଜ ରୋଜଗାରରେ ଏହାକୁ ପ୍ରଥମଥର ପାଇଁ କିଣିଥିବାରୁ ତାକୁ ଶେଷ ପର୍ଯ୍ୟନ୍ତ ନିଜ ପାଖରେ ସାଇତି ରଖିଛନ୍ତି।୧୯୭୨ ମସିହାର ସେ ଏହି ଆମ୍ବାସାଡର୍‌ ଦ୍ୱିତୀୟ କ୍ରେତା ଭାବେ ନିଜର ଜଣେ ବନ୍ଧୁଙ୍କଠାରୁ ୯ ହଜାର ଟଙ୍କାରେ କିଣିଥିଲେ। ସେବେଠୁ ଆଜି ପର୍ଯ୍ୟନ୍ତ ଏହି ଗାଡ଼ି ତାଙ୍କ ସଫଳତାର ମୂକସାକ୍ଷୀ ସାଜିଛି।

ସ୍ମୃତିରେ ପ୍ରଫୁଲ୍ଲ… ମନେ ପଡ଼େ

ସେତେବେଳେ ସେ ବି ନୂଆ ଆଉ ମୁଁ ବି
ସିଏ ବି ପୋଖତ୍ ମୁଁ ବି ଦମ୍ଭିଲା
ସେ ବି ହକହକ, ମୁଁ ବି ହୁକୁହୁକୁ
ତାଙ୍କ ଆଖିରେ ସ୍ବପ୍ନ ଭର୍ତ୍ତି ଆଉ ମତେ ନିଦନାହିଁ
ତାଙ୍କର ବାନ୍ତି କରିବାକୁ ଇଚ୍ଛା ଆଉ ମୋର ଅରୁଚା
ସିଏ ଥିଲା ଉଣେଇଶ ଚଉସ୍ତରୀ
ସିଏ ହେଲେ ପ୍ରଫୁଲ୍ଲ ଭାଇନା ଆଉ ମୁଁ ତ ମୁଁ……
ସେତେବେଳେ ମନଟା ଭାରି ଖଲଖଲ ହଉଥାଏ ଛବଟିଏ
ତିଆରି କରିବାକୁ, ବହୁକଷ୍ଟରେ ଯୋଗାଡ଼ କଲି ପଇସା।
କାଗଜ କଲମ ବୋଲି ମାନୁ ନଥାନ୍ତି ମୋର
ଇଚ୍ଛା ହେଲା ସଂଗୀତ ନିର୍ଦ୍ଦେଶକ ଜଣେ ନୂଆ ଲୋକକୁ ନେବି।
ସେତେବେଳେ ସଂଗୀତ ନିର୍ଦ୍ଦେଶକ ବୋଇଲେ
ଶ୍ରୀ ବାଳକୃଷ୍ଣ ଦାଶ, ଭୁବନେଶ୍ୱର ମିଶ୍ର, ଅକ୍ଷୟ ମହାନ୍ତି
ଶାନ୍ତୁନୁ ମହାପାତ୍ର ଆଉ ଉପେନ୍ଦ୍ର କୁମାର….
କେହି କାହାକୁ ଉଣା ନୁହଁନ୍ତି ।
ପୁଣି ୟାଙ୍କୁ ଛାଡି ଆଉ ଗୋଟିଏ ନୂଆ ଲୋକ ? ?
କୋଉଠି ମିଳିବେ ?
ଯାଉଥିଲି ଗୋଟେ ସଂଗୀତ କାର୍ଯ୍ୟକ୍ରମ ଦେଖିବାକୁ
ଗାୟକ ଜଣକ ଭାରି ସୁନ୍ଦର ତୀଖ ନାକ, ଟଣା ଟଣା ଆଖି, ଗୋରା ଆଉ କୁଞ୍ଚିବାଳ
ଆରମ୍ଭ ହେଲା କାର୍ଯ୍ୟକ୍ରମ
ସେ ଗାୟକ ଆରମ୍ଭ କଲେ ‘ମୁଁ ନିରୀହ କେରାଣ୍ଡି ମାଛ’
ଦର୍ଶକମାନେ ଉଠୁଥାନ୍ତି ପଡ଼ୁଥାନ୍ତି, ଗୀତ ଏକ୍‌ରେ ଏକ୍‌, ସବୁ ନୂଆ ।
କେମିତିକା ନୂଆ ପ୍ରକାରର ଲେଖା – ନୂଆ ପ୍ରକାରର ସ୍ବର
ପାଗଳ ହୋଇଗଲି ମୁଁ
ମତେ ମୋର ନୂଆ ସଂଗୀତ ନିର୍ଦ୍ଦେଶକ ମିଳିଗଲେ
ଆରମ୍ଭ ହେଲା ଚଳଚ୍ଚିତ୍ର ଜଗତର ନୂଆ ଇତିହାସ
ନୁତନ ଏକ ପ୍ରଚଣ୍ଡ ପ୍ରତିଭା
ସେ ପ୍ରଥମ ଚଳଚିତ୍ର “ମମତା” ଯେବେ
ଲୋକ ସାମ୍ନାକୁ ଆସିଲା, ସେ ଛବିରେ
ଆଠଟି ଗୀତରୁ ଆଠଟିଯାକ ଲୋକଙ୍କର ମୁଖସ୍ଥ
ଛବି ହେଲା ସୁପରହିଟ୍
ପ୍ରଫୁଲ୍ଲ କରଙ୍କର ଚଳଚ୍ଚିତ୍ର ଜଗତରେ
ସଂଗୀତର ମୃଗୟା ଆରମ୍ଭ ହେଲା
ତାକୁ ଦେଖିଲେ ମୋର ଖାଲି
ସେଇଦିନ କଥା ମନେ ପଡ଼େ
ଗୋଟିଏ ଡାଳରେ ଦୁଇଟି ଫୁଲ ଏକାଠି ଫୁଟିବା ଦେଖିଲେ,
ମୋର ପ୍ରଫୁଲ୍ଲ ଭାଇନା କଥା ମନେ ପଡ଼େ ।
ମନେ ପଡ଼େ ଆଉ ବହୁତ ବହୁତ କଥା……
(ପ୍ରଫୁଲ୍ଲ କରଙ୍କ ଜନ୍ମଦିନ ଅବସରରେ ପ୍ରଶାନ୍ତ ନନ୍ଦଙ୍କ ଆଲେଖ୍ୟ)

ସମ୍ବନ୍ଧିତ ଖବର