ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ରଣବ-ପ୍ରଫୁଲ୍ଲ ଯୋଡ଼ି

ପ୍ରଣବ ପଟ୍ଟନାୟକଙ୍କ କଣ୍ଠକୁ ସାଜିଲା ଭଳି ପ୍ରଫୁଲ୍ଲ ସ୍ବର କରିବାକୁ ଚେଷ୍ଟା କରିଥା’ନ୍ତି। ଥରେ ଗୀତଟି ଆୟତ୍ତ କରି ସାରିବା ପରେ ପ୍ରଣବ ବାରମ୍ବାର ରିହର୍ସାଲ କରିବାକୁ ପ୍ରଫୁଲ୍ଲାଙ୍କ ଘରେ ପହଞ୍ଚି ଯାଆନ୍ତି। ପ୍ରଫୁଲ୍ଲ ସେତେବେଳେ କଟକରେ ରହୁଥି‌ଲେ। ପ୍ରଣବ ବହୁ କଷ୍ଟ ସ୍ବୀକାର କରି ବସ୍‌ ଚଢ଼ି ଭୁବନେଶ୍ବରରୁ ଆସି କଟକରେ‌ ପହଞ୍ଚିଯାଆନ୍ତି। ରିହର୍ସାଲ ଆଉ ଦରକାର ନାହିଁ ବୋଲି କହିବା ସତ୍ତ୍ବେ ପ୍ରଣବ ବାରମ୍ବାର ଆସିଯାଆନ୍ତି। ତାଙ୍କର ଏ ନିଷ୍ଠାର ଫଳ ସ୍ବରୂପ ପ୍ରଫୁଲ୍ଲଙ୍କ ରଚିତ ଗୀତଗୁଡ଼ିକୁ ଅମର କରି ଦେଇଛନ୍ତି। ‘ରେ ଆତ୍ମନ ପରିହରି.., ‘କେଉଁ ନାମ ଧରି ଡାକିବି ତୁମକୁ.., ‘ସୀମାହୀନ ଦରିଆ…’, ‘ଶେଷ ଶ୍ରାବଣ..’ପରି ଅନେକ ଗୀତ ଶୁଣିବାକୁ ଏବେ ମଧ୍ୟ ଶ୍ରୋତା ଝୁରି ହେଉଛନ୍ତି।

ଠାକୁରଙ୍କ ନାଁରେ ପ୍ରେମିକାକୁ ଦେଉଥିଲେ ମନ୍ଦାର

ନିଜ ପ୍ରଥମ ପ୍ରେମ କଥା ବଖାଣି ଦିନେ କହିଥିଲେ, ସେତେବେଳେ ପ୍ରେମରେ ଗୋଲାପ ଦିଆନିଆ କଥା ମୁଁ ଜାଣିନଥିଲି। ମୋ ପ୍ରେମିକା ମୋ‌ତେ ଦିନେ ଗୋଲାପ ଫୁଲ ଦେଇଥିଲା। ତାକୁ ଇମ୍ପ୍ରେସ୍‌ କରିବା ପାଇଁ ବାଡ଼ିରୁ ପ୍ରତିଦିନ ମନ୍ଦାର କଢ଼ି ଚୋରି କରି ନେଉଥିଲି। ସେ ତ’ ମନ୍ଦାର ଦେଖି ମୁହଁକୁ ମୋଡ଼ି ‌ଫୁଲ ଫୋପାଡ଼ି ଦେଉଥିଲା। ସେପଟେ କିଛି ଦିନ ସନ୍ଦେହ ପରେ ମୋ ବୋଉ ମନ୍ଦାର କଢ଼ି ମୁଁ ଚୋରି କରିବା କଥା ଜାଣିଦେଲା। ପଚାରିବାରୁ ମୁଁ କହିଥିଲି ଠାକୁରାଣିଙ୍କୁ ଚଢ଼ାଇବାକୁ ପ୍ରତିଦିନ ମୁଁ ମନ୍ଦାର ନେଉଛି।

ଅକ୍ଷୟ-ପ୍ରଫୁଲ୍ଲ: ଦୁଇ ମହ‌ାଦ୍ରୁମ

ଓଡ଼ିଆ ସଙ୍ଗୀତ ଜଗତର ଦୁଇ ମହାଦ୍ରୁମ ଥିଲେ ଅକ୍ଷୟ ମହାନ୍ତି ଓ ପ୍ରଫୁଲ୍ଲ କର। ୨୦୦୨ ନଭେମ୍ବର ୧୭ରେ ଚାଲି ଯାଇଥିଲେ ଅକ୍ଷୟ, ଆଉ ୨୦୨୨ ଏପ୍ରିଲ ୧୭ରେ ପ୍ରଫୁଲ୍ଲ। ବହୁ ବର୍ଷ ଏହି ଦୁଇ ସଙ୍ଗୀତଜ୍ଞ ଓଡ଼ିଆ ସଙ୍ଗୀତ ଜଗତରେ ଛାଇ ଯାଇଥିଲେ। ଉଭୟଙ୍କ ସମ୍ପର୍କ ଭଲ ନ ଥିଲା ବୋଲି ଚର୍ଚ୍ଚା ହୁଏ। ଉଭୟଙ୍କୁ କେନ୍ଦ୍ର କରି ଓଡ଼ିଆ ସଙ୍ଗୀତ ଦୁନିଆରେ ଦୁଇ ଗୋଷ୍ଠୀ ସୃଷ୍ଟି ହୋଇଥିଲା ବୋଲି କୁହାଯାଏ। ସଙ୍ଗୀତ ଦୁନିଆର ଏହି ଦୁଇ ମହାରଥୀ ମିଳିତ ଭାବେ ଦୁଇଟି ଗୀତରେ କଣ୍ଠଦାନ କରିଥିଲେ; ‘ଦିନରେ ବସନ୍ତ ଆମେ ରାତିରେ ବାସନ୍ତୀ…’ ଓ ‘କିଏ ସାତ କିଏ ସତର…’। ଏହି ଗୀତ ଦୁଇଟି ଏବେ ବି ଶ୍ରୋତା ଗୁଣୁଗୁଣାଉଛନ୍ତି। ଅକ୍ଷୟଙ୍କ ସହ ସମ୍ପର୍କ ଖରାପ ଥିବା କଥାକୁ ସବୁବେଳେ ଅସ୍ବୀକାର କରିଛନ୍ତି ପ୍ରଫୁଲ୍ଲ। ଏକଦା ଏକ ସାକ୍ଷାତକାରରେ ଅକ୍ଷୟ କହିଥିଲେ, ‘ଅକ୍ଷୟ ମହାନ୍ତି ସଙ୍ଗୀତ ନେଇ ଅତ୍ୟନ୍ତ ଭଦ୍ର ଓ ନମ୍ର। ତାଙ୍କ ସହିତ ମୋର ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ। ଆମେ ଦୁହେଁ ମିଶି ‘ମା ଓ ମମତା’ ଚଳଚ୍ଚିତ୍ରରେ ଯେଉଁ ସ୍ବରଦାନ କରିଥିଲୁ, ତାହା ଆମ ସମ୍ପର୍କକୁ ଆହୁରି ସୁଦୃଢ଼ କରିଥିଲା।’

ବ୍ଲାଙ୍କ ଚେକ୍‌ ଦେଇଥି‌ଲେ ଗୁଲ୍‌ସନ୍‌ କୁମାର

ବମ୍ବେରେ ଓଡ଼ିଆ କଥାଚିତ୍ରର ଗୀତ ରେକର୍ଡିଂ କରିବା ସମୟରେ ଅନୁରାଧା ପୌଡୱାଲଙ୍କ ଘନିଷ୍ଠ ‌ହୋଇଥିଲେୁ ପ୍ରଫୁଲ୍ଲ। ଅନୁରାଧା ଦିନେ ଶ୍ରୀ କରଙ୍କ ଆଗରେ ଓଡ଼ିଆରେ ଭଜନ ଗାଇବାର ଇଚ୍ଛା ପ୍ରକଟ କରିବା ସହ ଓ ତାଙ୍କ ଭଜନକୁ କମ୍ପୋଜ କରିବାକୁ କହିଥିଲେ। ବହୁ କଷ୍ଟରେ ଟି-ସିରିଜ୍‌ର ମାଲିକ ଗୁଲ୍‌ସନ୍‌ କୁମାର ଏହି ସୁଯୋଗ ଦେଇଥିଲେ। ଖୁବ୍‌ କମ୍‌ ଦିନରେ ୮ଟି ଗୀତ ଲେଖି ସ୍ବରର ସଂଯୋଜନାର ଦାୟିତ୍ବ ତୁଲାଇଥିଲେ ପ୍ରଫୁଲ୍ଲ କର। ଗୀତଗୁଡ଼ିକୁ ସୁମଧୁର ଝଙ୍କାରରେ ଭରି ଦେଇଥିଲେ ଅନୁରାଧା। ‘ପ୍ରଭୁକୃପା’ କ୍ୟାସେଟ୍‌ରେ ଥିବା ‘କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା.., ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି…ଭଳି ୮ଟିଯାକ ଗୀତ ପ୍ରତିଟି ଓଡ଼ିଆ ଘରେ ଲୋକପ୍ରିୟ ହେଲା। ଏହା ଏତେ ଲୋକପ୍ରିୟତା ହାସଲ କଲା ଯେ ଓଡ଼ିଆ ଭଜନ ଜଗତରେ ଏହା ମାଇଲଖୁଣ୍ଟ ପାଲଟିଲା। ଆଜି ବି ଏହି କ୍ୟାସେଟ୍‌ ଅନୁରାଧା ଓ ପ୍ରଫୁଲ୍ଲ କରଙ୍କ ଯୁଗଳବନ୍ଦୀର ଶ୍ରେଷ୍ଠ କ୍ୟାସେଟ୍‌ ହୋଇ ରହିଛି। ଏହି କ୍ୟାସେଟ୍‌ ପାଇଁ ପ୍ରଫୁଲ୍ଲ କରି ପାରିଶ୍ରମିକ ୧୦ ହଜାର ମାଗିଥିଲେ ବି ଗୁଲ୍‌ସନ୍‌ କୁମାର ତାଙ୍କ ବ୍ଲାକ୍‌ ଚେକ୍‌ ଦେଇ ଯାହା ସଂଖ୍ୟା ଇଚ୍ଛା ଭରିବାକୁ କହିଥିଲେ। କିନ୍ତୁ ପ୍ରଫୁଲ୍ଲ କର ଏହାକୁ ନେବାକୁ ମନା କରିଥିଲେ ଓ ୧୦ ହଜାର ହିଁ ଦାବି କରିଥିଲେ।

ରୋମାଣ୍ଟିକ୍‌, କିନ୍ତୁ ବାଗ ଅଲଗା

ପ୍ରଫୁଲ୍ଲକୁ ନେଇ ଅଭିଯୋଗ ହୋଇଛି ସେ ରୋମାଣ୍ଟିକ ଗୀତ ଲେଖନ୍ତି ନାହିଁ। ଏହି ଅଭିଯୋଗ ସ୍ବାଭାବିକ। ଏଥିପାଇଁ ସ୍ବାଭାବିକ ଯେ ତାଙ୍କର ଅଣରୋମାଣ୍ଟିକ ଗୀତର ଚର୍ଚ୍ଚା ଓ ଲୋକପ୍ରିୟତା ଏତେ ବେଶି ଯେ ରୋମାଣ୍ଟିକ ଧାରାଟି ତହିଁରେ ଚାପି ହୋଇଯାଇଛି। କିନ୍ତୁ ରୋମାଣ୍ଟିକ ଗୀତକୁ ଜଣାଶୁଣା କରିହେବ ନାହିଁ ତ ? ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ ଏହି ଗୀତକୁ ଯିଏ ଯେତେ ଥର ଶୁଣିଛି ସିଏ ସେତେଥର ପୁଲକି ଯାଇଛି। ଏହା ପ୍ରଫୁଲ୍ଲଙ୍କର ରଚନାର ଗୀତ। ଏ ରାତି ଏ ଜହ୍ନ, ଦେହ ଏକ ନଦୀ, ନା ନା ନା ମୋତେ ପ୍ରେମ କରନା, ଅଜଣା ଏକ ସହରେ ସୁନ୍ଦର ନିରୋଳା ପାର୍କରେ, ରିମ୍‌ ଝିମ୍‌ ଝିମ୍‌ ବରଷା ଝରେ ଏସବୁ ଗୀତରେ ଯେଉଁ ରୋମାଣ୍ଟିକ ଆବେଦନ ଅଛି ତାହା ପ୍ରଫୁଲୁକୁ ଚିହ୍ନାଇ ଦେବା ପାଇଁ ଯଥେଷ୍ଟ। ସେ ଯେମିତି ରୋମାଣ୍ଟିକ, ସେତିକି ଅଣରୋମାଣ୍ଟିକ। ଏକ ବିଚିତ୍ର ବିରୋଧାଭାଷା ସେଥିପାଇଁ ତ ସେ ଯାହାର ସ୍ବପ୍ନଦେଖା, ସେ ତାହାର ସ୍ବପ୍ନ।

ସମ୍ବନ୍ଧିତ ଖବର