ଲକ୍ଷେ ରାଜାର ମଉଡ଼ମଣି : ‘ମମତା’ର ଗୀତ ରେକର୍ଡିଂରୁ ପ୍ରଫୁଲ୍ଲଙ୍କ ପ୍ରଶଂସକ ପାଲଟିଥିଲେ ଇଲାୟା ରାଜା

ସୁରର ସର୍ଦ୍ଦାର ପ୍ରଫୁଲ୍ଲ କରଙ୍କ ସ୍ବର ନିରବି ଯାଇଛି। କେବେ ପ୍ରଭୁ ଜଗନ୍ନାଥଙ୍କ ଜଣାଣ ତ’ କେବେ କିନ୍ନରଙ୍କ ବ୍ୟଥା, କେବେ ସଙ୍ଗୀତରେ ଆଧୁନିକତା ତ’ ପୁଣି କେବେ ଶାସ୍ତ୍ରୀୟତା; ତାଙ୍କ କଣ୍ଠ ଓଡ଼ିଆ ସଙ୍ଗୀତ ଜଗତକୁ ଦେଇଛି ନୂଆ ପରିଚୟ। ସୃଷ୍ଟି ହୋଇଛି ସଙ୍ଗୀତର ନୂଆ ଧାରା। କେବେ ଗୀତ ରଚନା କରି ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଆପ୍ୟାୟିତ କରିଛନ୍ତି ତ’ ପୁଣି କେବେ ସ୍ବର ସଂଯୋଜନା କରି କଣ୍ଠଶିଳ୍ପୀଙ୍କୁ ତିଆରିଛନ୍ତି, ଆଉ କେବେ ପୁଣି ନିଜେ କଣ୍ଠଦାନ କରି ଶ୍ରୋତାଙ୍କୁ ବିହ୍ବଳିତ କରିଛନ୍ତି। ଗୀତ ଗାଇ ଭାବରେ ବୁଡ଼ାଇଛନ୍ତି, ହସି ହସାଇ ବେଦମ୍‌ କରିଛନ୍ତି ପୁଣି କେବେ କନ୍ଦାଇଛନ୍ତି। ନିଜ ଜୀବଦଶାରେ ସେ ୭୦ରୁ ଅଧିକ ଚଳଚ୍ଚିତ୍ର‌ର ସଙ୍ଗୀତ ନିର୍ଦ୍ଦେଶନା ଦେଇ ନିଜ ପ୍ରତିଭାର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଭଳି ଜଣେ ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ସଙ୍ଗୀତଜ୍ଞ ଆଜି କେଉଁ ଦୂର ଦେଶକୁ ବାହୁଡ଼ି ଯାଇଛନ୍ତି। ପଛରେ ଛାଡ଼ି ଯାଇଛନ୍ତି ନିଜର ବହୁ କାଳଜୟୀ ସୃଷ୍ଟି…

କାଳିଜାଈ କାବ୍ୟରୁ…

ସଙ୍ଗୀତକୁ ବ୍ରତ କରିବା ସମୟରେ ସୁରକାର, ଗୀତିକାରଙ୍କଠାରୁ ସେ କୌଣସି ସାହାଯ୍ୟ କିମ୍ବା ସହଯୋଗ ପାଇଲେ ନାହିଁ। ତେଣୁ ନିଜେ ଭାରି ଏକୁଟିଆ ଏକୁଟିଆ ଅନୁଭବ କଲେ। ତଥାପି ସାହସ ହରାଇଲେ ନାହିଁ। ନିଜ ଶିଙ୍ଘରେ ମାଟି ତାଡ଼ିବାକୁ ଅଣ୍ଟା ଭିଡ଼ିଲେ। ପ୍ରଥମେ ଗୀତକୁ ଉପଯୁକ୍ତ ସ୍ବର ଦେଇ ପ୍ରଚେଷ୍ଟା ଆରମ୍ଭ କରିଥିଲି। ସେଥିପାଇଁ କେତେଜଣ ପ୍ରତିଷ୍ଠିତ କବିଙ୍କ ରଚନାକୁ ନେଇ ନିଜସ୍ବ ଶୈଳୀରେ ସ୍ବର କରିବା ଆରମ୍ଭ କଲେ। ତାଙ୍କର ପ୍ରଥମ ସ୍ବର ରଚନା, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘କାଳିଜାଈ’ ଖଣ୍ଡକାବ୍ୟ। ଗୀତଟିରୁ ପଂକ୍ତିମାନ ବାଛି ସେ ନିଜସ୍ବ ଶୈଳୀରେ ସ୍ବର ରଚନା କଲେ ଏବଂ ଗୀତଟି ପ୍ରଥମେ ଆଈଙ୍କୁ ଶୁଣାଇଥିଲେ। ଆଈ ସେ ଗୀତଟି ଶୁଣି ‌ଏମିତି ମୁଗ୍ଧ ହୋଇଯାଇଥିଲେ। ପରବର୍ତୀ ସମୟରେ ଛୋଟ ବଡ଼ ସଙ୍ଗୀତ କାର୍ଯ୍ୟକ୍ରମରେ ଅନେକଥର ‘କାଳିଜାଈ’ ପରିବେଷଣ କରି ବହୁ ପ୍ରଶଂସା ସାଉଁଟିଥିଲେ। ସେହିଠାରୁ ସ୍ବର ରଚନା କରିପାରିବାର ଆତ୍ମବିଶ୍ବାସର ମୂଳଦୁଆ ପଡ଼ିଥିଲା।

ବଡ଼ଦାଣ୍ଡରୁ ଲେଖା ହୋଇଥିଲା ସଂଗୀତର ନୂଆଧାରା

ଦାଣ୍ଡ ଉପରେ ପୁଣି ଭଜନ, ଇଏ କି ଉଦ୍ଭଟ ଚିନ୍ତା! ଉଚ୍ଚାଙ୍ଗ ସଂଗୀତ କ’ଣ ଏମିତି ଦାଣ୍ଡଘାଟରେ ବୋଲା ଯାଏ? ସତୁରି ଦଶକରେ ଯେବେ ଦୁଇ ଯୁବକ ପୁରୀ ବଡ଼ଦାଣ୍ଡରେ ଭଜନ ସମାରୋହ କରିବାକୁ ଚିନ୍ତା କଲେ, ସେତେବେଳେ ଏମିତି ନାକ ଟେକିଥିଲେ କିଛି ନାମକରା କଣ୍ଠଶିଳ୍ପୀ। ହେଲେ ସେଦିନର ସେଇ ଦୁଇ ସଂକଳ୍ପୀ ବନ୍ଧୁ ନିରାଶ ହୋଇନଥିଲେ, ବରଂ ବଡ଼ବଡ଼ କଣ୍ଠଶିଳ୍ପୀଙ୍କୁ ଯଥା ସମ୍ଭବ ମନେଇବାରେ ଲାଗି ପଡ଼ିଲେ। ବାସ୍‌ ଏଇ ସଂକଳ୍ପରୁ ସଂହଦ୍ବାର ସାମ୍ନାରେ ବଡ଼ଦାଣ୍ଡରେ ମୁକ୍ତାକାଶ ତଳେ ୧୯୭୦ କାର୍ତିକ ପୂର୍ଣ୍ଣମୀ ପୂର୍ବ ରାତିରେ ଆୟୋଜିତ ହେଲା ପ୍ରଥମ ଭଜନ ସମାରୋହ। ଏଥିସହ ଓଡ଼ିଶା ସଂଗୀତ ଇତିହାସରେ ଏକ ନୂଆ ଧାରା ଯୋଡ଼ି ହେଲା। ସେଦିନ ଯାହାଙ୍କ ଉଦ୍ଭଟ ଚିନ୍ତାରୁ ସଂଗୀତ ଇତିହାସରେ ନୂଆ ‌ଅଧ୍ୟାୟ ଯୋଡ଼ି ହେଲା, ସେ ଦୁହିଁଙ୍କ ମଧ୍ୟରୁ ଜଣେ ହେଲେ କମଳ ଦେଶର ରାଜକୁମାର ପଦ୍ମଶ୍ରୀ ପ୍ରଫୁଲ୍ଲ କର। ଅନ୍ୟ ଜଣେ ରସିକ ସଂଗୀତ ପ୍ରେମୀ କେଦାର ଗୁରୁ।

ଓଡ଼ିଶୀ ସଙ୍ଗୀତକୁ ଅବଦାନ

ଓଡ଼ିଶୀ ସଙ୍ଗୀତ କ୍ଷେତ୍ରକୁ ମଧ୍ୟ ପ୍ରଫୁଲ୍ଲଙ୍କର ଅବଦାନ ଅତୁଳନୀୟ। ଓଡ଼ିଶୀ ନୃତ୍ୟ ଗୁରୁମାନଙ୍କ ସହ ମିଶି ସେ ବହୁ ଓଡ଼ିଶୀ ନୃତ୍ୟନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଗୁରୁ କେଳୁଚରଣ ମହାପାତ୍ରଙ୍କ ଯାଜ୍ଞସେନୀ, ଲାବଣ୍ୟବତୀ, ଅଶୋକ, ଏକଲବ୍ୟ, ସ୍ୱପ୍ନନାୟିକା ପ୍ରମୁଖ ଅନ୍ୟତମ। ସେହିପରି ଶର୍ମିଳା ବିଶ୍ୱାସଙ୍କ ସମ୍ପୂର୍ଣା, କଥା ସୁପର୍ଣଖା, ପଞ୍ଚଭୂତ, ମୂର୍ଚ୍ଛନା, ଜଗନ୍ନାଥ ପ୍ରିୟ ନାଟକମ୍, କୁମ୍‌କୁମ୍‌ ମହାନ୍ତିଙ୍କ ଦେବୀ ନୃତ୍ୟ, ଅରଣ୍ୟ, ମହାପ୍ରଳୟ, ଜୟଯାତ୍ରା, ଭକ୍ତ ଦାସିଆ, କ୍ରାନ୍ତି, ଗଙ୍ଗାଧର ପ୍ରଧାନଙ୍କ ମାନ ଭଞ୍ଜନ, ଇଲିଆନା ସିତାରିଷ୍ଟଙ୍କ ଶିବ ତାଣ୍ଡବ, ବକୁଳ ଭରଣ ପଲ୍ଲବୀ, ସନ୍ଧ୍ୟାଦୀପା କରଙ୍କ ମାଳଶ୍ରୀ ଓ ଆରଭୀ ପଲ୍ଲବୀରେ ନିର୍ଦେଶନା ଦେଇଥିଲେ।

‘ମମତା’ ପ୍ରଥମ ସିନେମାରୁ ଚହଳ

ସଂଗୀତ ନିର୍ଦେଶକ ଭାବେ କାର୍ଯ୍ୟ କରିବାର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ମମତା’। ଏହି ଚଳଚ୍ଚିତ୍ରରେ ସ୍ବର ରଚନା ପୂର୍ବରୁ ସେ ଓଡ଼ିଶାର କେତେଜଣ ପ୍ରତିଷ୍ଠିତ ଗାୟକମାନଙ୍କୁ କଣ୍ଠଦାନ ପାଇଁ ବାଛିଥିଲେ। ସେତେବେଳର ପ୍ରଖ୍ୟାତ ଗାୟକ ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ ଓ ଚିତ୍ତ ଜେନାଙ୍କ ଭଳି ଶିଳ୍ପୀମାନଙ୍କ କଥା ଚିନ୍ତା କରିଥିଲେ। ତାଙ୍କ ପ୍ରସ୍ତାବକୁ ଅକ୍ଷୟ ମହାନ୍ତିଙ୍କ ଛଡ଼ା ଅନ୍ୟମାନେ ସାଦରେ ଗ୍ରହଣ କରିଥିଲେ। ତେଣୁ ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲମ ଏବଂ ଚିତ୍ତ ଜେନାଙ୍କୁ ଦୃଷ୍ଟିରେ ରଖି ସ୍ବର ରଚନା କଲେ। ପ୍ରଣବ ପଟ୍ଟନାୟକଙ୍କ ପାଇଁ ‘ରେ ଆତ୍ମନ ନିଦ୍ରା ପରିହରି’, ସିକନ୍ଦର ଆଲାମଙ୍କ ପାଇଁ ‘ମୁଁ ତ ମଣିଷ ମାରିନିଚୋରି କରିନି’ ଏବଂ ସେମାନଙ୍କ ଯୁଗଳ କଣ୍ଠ ପାଇଁ ‘ଆରେ ମିତ ଆ ସଙ୍ଗାତ’ ଭଳି ଗୀତ ରଚନା କରିଥିଲେ। ଚିତ୍ତ ଜେନାଙ୍କ ପାଇଁ ଓଡ଼ିଶୀ ଶୈଳୀରେ ‘ଦେଖି ସେ ବଣମଲ୍ଲୀ ରାଧା ହେଲେ ବାତୁଳୀ’ ଗୀତଟି ରଚନା କରିଥିଲେ। ହେଲେ ସେ ଗୀତଟି ଶୁଣିବା ପରେ ଚିତ୍ତ ଜେନାଙ୍କ ମୁହଁ ଶୁଖିଗଲା। କାହିଁକି କେଜାଣି ଗୀତଟି ତାଙ୍କ ମନକୁ ପାଇଲା ନାହିଁ। ତେଣୁ ପ୍ରଫୁଲ୍ଲ କର ଚିତ୍ତ ଜେନାଙ୍କୁ ବହୁତ ବୁଝେଇ କହିଲେ, ଏ ଗୀତ ପାଇଁ ତୁମ ଅମର ହୋଇଯିବ। ‌ତୁ ତୋ’ର ପ୍ରାଣ ଦେଇ ଗୀତଟି ଗାଇ ଦେ। ତା’ପରେ ତୁ ପ୍ରଶଂସା ଗୋଟାଇବାକୁ ସମୟ ପାଇବୁ ନାହିଁ। ବହୁ ବୁଝାସୁଝା ପରେ ସେ ଗୀତଟି ଗାଇଥିଲେ। ‘ମମତା’ ସିନେମାରେ ୪ଜଣ ଶିଳ୍ପୀ ଏକପ୍ରାଣ ହୋଇ କାମ କରିବା ଅବିସ୍ମରଣୀୟ।

ଦେଇଥିଲେ।

ପ୍ରଫୁଲ୍ଲଙ୍କ ମୁଗ୍ଧ ପ୍ରଶଂସକ ଥିଲେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଇଲାୟା ରାଜା

‘ମମତା’ ସିନେମାର ରେକର୍ଡିଂ ମାଡ୍ରାସରେ ୩ଦିନ ଧରି ଚାଲିଥିଲା। ଶେଷ ଦିନ ଗିଟାର୍‌ ବଜାଉଥିବା ଜଣେ ଯୁବ କଳାକାର ସାଉଣ୍ଡ୍ ଇଂଜିନିୟର ଶ୍ରୀ ରାମନାଥନ୍‌ଙ୍କୁ ଅନୁରୋଧ କରି କହିଲେ, ଏ ପ୍ରକାର ମେଲୋଡିୟସ୍ ଗୀତ ଆଗରୁ କେବେ ଶୁଣି ନାହିଁ। ଭବିଷ୍ୟତରେ ଯେତେବେଳେ ଏ ବ୍ୟକ୍ତିଜଣକ ରେକର୍ଡିଂ କରିବାକୁ ଆସିବେ, ମୋତେ ଟିକେ ଶୁଣିବାକୁ ସୁଯୋଗ ଦେବ। କିଛି ଦିନ ପରେ ପ୍ରଫୁଲ୍ଲ ଜାଣିବାକୁ ପାଇଲେ ଗିଟାର୍‌ ବାଦକ ଯୁବକଜଣକ ସଂଗୀତ ନିର୍ଦେଶକ ହୋଇଯାଇଛନ୍ତି। ତାଙ୍କ ସଙ୍ଗୀତ ତାମିଲ ସିନେମାରେ ଚହଳ ସୃଷ୍ଟି କରିଛି। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ଗିଟାର ବାଦକ ତାମିଲନାଡ଼ୁର ଜଣେ ଶ୍ରେଷ୍ଠ ସଂଗୀତ ନିର୍ଦେଶକ ଭାବେ ପ୍ରତିଷ୍ଠିତ ହୋଇଗଲେ। ତାଙ୍କ ନାଁ ଇଲାୟା ରାଜା। ପରବର୍ତୀ ସମୟରେ ଇଲାୟାଙ୍କ ସହ ପ୍ରଫୁଲ୍ଲଙ୍କ ବନ୍ଧୁତା ନିବିଡ଼ ହୋଇଯାଇଥିଲା। ପରେ ଇଲାୟା ରାଜା ଦେଶବିଦେଶରେ ନିଜର ସଂଗୀତ ପାଇଁ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର