ଆଇଆଇଏମ୍‍ସି ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି: ‘ମନୋଜ ଦାସ ଅବର୍ଣ୍ଣନୀୟ’

ଭୁବନେଶ୍ୱର/ଢେଙ୍କାନାଳ : ମଣିଷର ଦୁଃଖ, ଦୁର୍ଦ୍ଦଶାରେ ବ୍ୟଥିତ ପ୍ରଥିତଯଶା ସାହିତ୍ୟିକ ମନୋଜ ଦାସ ଛାତ୍ର ଜୀବନରେ ସମାଜବାଦ ଆନ୍ଦୋଳନରେ ଝାସ ଦେଇଥିଲେ। ସମାନତା ପାଇଁ ଲଢ଼େଇ କରିଥିଲେ। ହେଲେ ପରେ ସେ ଅଧ୍ୟାତ୍ମିକତାର ରାସ୍ତା ବାଛିଥିଲେ। କହିଥିଲେ, ମାନସିକ ଚେତନା ଊର୍ଦ୍ଧ୍ୱଗାମୀ ହେଲେ ହିଁ ମଣିଷ ଚିରଆନନ୍ଦଶ୍ରାୟୀ ହୋଇପାରିବ। ସମାଜବାଦରୁ ଅଧ୍ୟାତ୍ମିକତାବାଦ ପର୍ଯ୍ୟନ୍ତ ଲମ୍ବା ରାସ୍ତାର ଯାତ୍ରା ମନୋଜଙ୍କ ଜୀବନ ଓ ସାହିତ୍ୟର ପ୍ରତିଟି କ୍ଷେତ୍ରରେ ପ୍ରତିଫଳିତ ହୋଇଆସିଛି। ଦୀର୍ଘ କାଳ ଧରି ପାଠକଙ୍କୁ ଅମୃତ ପରଶୁଥିବା ମନୋଜ ଦାସ ବିଶ୍ୱ ସାହିତ୍ୟ ଆକାଶରେ ଅଦ୍ୱିତୀୟ, ବିସ୍ମୟ ଓ ଅବର୍ଣ୍ଣନୀୟ ଥିଲେ। ପ୍ରସିଦ୍ଧ ସାହିତ୍ୟିକ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ ପକ୍ଷରୁ ଆୟୋଜିତ ସଭାରେ ଏଭଳି ମତ ପ୍ରକାଶ ପାଇଛି।

ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଅଧ୍ୟକ୍ଷତା କରି କହିଥିଲେ, ମନୋଜ ଦାସଙ୍କ ଲେଖାକୁ ଶିଶୁ, କିଶୋର, ଯୁବକ ଓ ପ୍ରୌଢ଼ ଯାଏ ସମସ୍ତେ ଭଲ ପାଉଥିଲେ। ତାଙ୍କ ଲେଖାରୁ ନିଜ ନିଜ ସ୍ତରରେ ସମସ୍ତେ ରସ ଆସ୍ୱାଦନ କରିପାରୁଥିଲେ। କିଟ୍‍ ସ୍କୁଲ ଅଫ୍‍ ମ୍ୟାନେଜମେଣ୍ଟର ଡିନ୍‍ ପ୍ରଫେସର ଏସ୍‍.ଏନ୍‍ ମିଶ୍ର କହିଥିଲେ, ସମାଜବାଦରୁ ଆଧ୍ୟାତ୍ମିକତା ଜଗତକୁ ମନୋଜ ଦାସଙ୍କ ଯାତ୍ରା ତାଙ୍କ ଲେଖାକୁ ସଦାକାଳ ପ୍ରଭାବିତ କରିଆସିଛି। ମନୋଜ ଦାସ ଉଚ୍ଚସ୍ତରର ଲୋକ ସହ ସୁନ୍ଦର ଲେଖକ ହେବାର ବିରଳ ଉଦାହରଣ ସୃଷ୍ଟି କରିଯାଇଛନ୍ତି।

ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ କହିଥିଲେ, ମନୋଜ ଦାସଙ୍କ ସାହିତ୍ୟରେ ଗାଁର ପ୍ରଭାବ ସୁଦୂର ପ୍ରସାରୀ। ଭୋଗରାଇର ସମୁଦ୍ରକୂଳ ଶଙ୍ଖାରୀଠାରୁ ପଣ୍ଡିଚେରୀର ସମୁଦ୍ରକୂଳ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ନିରନ୍ତର ଦରିଆ ପରି ବିସ୍ତୀର୍ଣ୍ଣ ଥିଲା। ପିଲାବେଳେ ଗାଁ ନିକଟସ୍ଥ ସମୁଦ୍ର, ପୋଖରୀ, ବାତ୍ୟା, ଦୁର୍ଭିକ୍ଷ ପ୍ରପୀଡ଼ିତ ମଣିଷମାନେ ମନୋଜ ଦାସଙ୍କ ଲେଖକୀୟ ଜୀବନକୁ ରୁଦ୍ଧିମନ୍ତ କରିଥିଲା। ଲେଖକ ତଥା ରାଉରକେଲା ଇସ୍ପାତ କାରଖାନାର କର୍ପୋରେଟ୍‌ ଯୋଗାଯୋଗ ବିଭାଗର ପୂର୍ବତନ ମୁଖ୍ୟ ରମେନ୍ଦ୍ର କୁମାର ମନୋଜ ଦାସଙ୍କ ଉଦାରତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତାଙ୍କ ଲେଖାରେ, ଆଚରଣରେ ସେ ପ୍ରତ୍ୟେକ ବ୍ୟକ୍ତି ପ୍ରତି ସମ୍ବେଦନଶୀଳ ଥିଲେ।

ମନୋଜ ଦାସଙ୍କ ସାହିତ୍ୟର ସଂଗ୍ରାହକ ସମୀର ରଞ୍ଜନ ଦାସ ମନୋଜ ଦାସଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ କହିଥିଲେ। ପ୍ରତ୍ୟେକ ବ୍ୟକ୍ତିର ସୁଗୁଣ, ଦୁର୍ଗୁଣକୁ ଗୁରୁତ୍ୱ ନ ଦେଇ ମଣିଷ ଭାବେ ସ୍ନେହ, ଶ୍ରଦ୍ଧା, ଆଦର କରୁଥିଲେ। ସଦା ହସହସ, ପ୍ରଫୁଲ୍ଲିତ ରହୁଥିଲେ। ଏହା ନିଶ୍ଚିତ ଏକ ବିସ୍ମୟ ବୋଲି ସେ ପ୍ରକାଶ କରିଥିଲେ। ଆଇଆଇଏମ୍‍ସିର ସହକାରୀ ପ୍ରଫେସର୍‌ ଡ. ଜ୍ୟୋତିପ୍ରକାଶ ମହାପାତ୍ର ମନୋଜ ଦାସଙ୍କ କୃତି ଓ ବର୍ଣ୍ଣନା ଉପରେ କହିଥିଲେ। ସଦାକାଳ ପାଠକଙ୍କୁ ହସେଇ, କନ୍ଦେଇ ଚେତନାର ଏକ ଊର୍ଦ୍ଧ୍ୱସ୍ତରକୁ ନେଇଯିବାର କ୍ଷମତା ମନୋଜ ଦାସଙ୍କ ବୈଶିଷ୍ଟ୍ୟତା। ପାଠକମାନଙ୍କ ଉପରେ ମନୋଜ ଦାସଙ୍କ ଲେଖାର ପ୍ରଭାବ ସମ୍ପର୍କରେ ଗଣମାଧ୍ୟମ ଶିକ୍ଷକ ପଦ୍ମଲୋଚନ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବହୁ ମନୋଜ ସାହିତ୍ୟପ୍ରେମୀ, ସଂସ୍ଥାନର ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଅନୁଷ୍ଠାନର ଲୋକମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର