ଉତ୍ତର ଆମେରିକାରେ ମନୋରମା ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ମନୋରମା ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଉତ୍ତର ଆମେରିକାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ୟୁରୋପ ଏବଂ ଭାରତରୁ ୩ଶହରୁ ଅଧିକ ବ୍ୟକ୍ତି ସାମିଲ ହୋଇଥିଲେ। ବହୁ ଜଣାଶୁଣା ଓ ଖ୍ୟାତିସମ୍ପନ୍ନ ଓଡ଼ିଆ ଶ୍ରୀମତୀ ମହାପାତ୍ରଙ୍କ ବହୁମୁଖୀ କାର୍ଯ୍ୟକଳାପ ଉପରେ ମତବ୍ୟକ୍ତ କରିଥିଲେ। ନ୍ୟୁୟର୍କ ବେଦାନ୍ତ ସୋସାଇଟିର ମୁଖ୍ୟ ସ୍ୱାମୀ ସର୍ବପ୍ରିୟାନନ୍ଦ ମୃତ୍ୟୁ ଏବଂ ଅମର ବିଷୟରେ ଆଲୋଚନା କରି ଅଧିବେଶନ ଆରମ୍ଭ କରିଥିଲେ। ସେ କହିଥିଲେ ଶ୍ରୀମତୀ ମହାପାତ୍ରଙ୍କ ଜୀବନୀ ପିଢ଼ି ପରେ ପିଢ଼ିର ଲୋକଙ୍କୁ ପ୍ରେରଣା ଯୋଗାଇବ। ଗରିବଙ୍କ ସେବା ପାଇଁ ତାଙ୍କର ଉତ୍ସର୍ଗୀକୃତତା, ଜଣେ ମହାନ ଶିକ୍ଷକ ଭାବରେ ତାଙ୍କର ଭୂମିକା ଏବଂ ସାହିତ୍ୟରେ ଅବଦାନ ତାଙ୍କ ଜୀବନକାଳ ମଧ୍ୟରେ ଉଲ୍ଲେଖନୀୟ ସଫଳତା। ହିମାଚଳ ପ୍ରଦେଶରୁ ସ୍ବାମୀ ଚିଦାନନ୍ଦ ଶ୍ରୀମତୀ ମହାପାତ୍ରଙ୍କ କରୁଣା, ମାନବିକତା ଏବଂ ଅନନ୍ୟ ସ୍ମୃତି ଶକ୍ତି ସହିତ ଅନେକ ଉଲ୍ଲେଖନୀୟ ସଫଳତା ବିଷୟରେ କହିଥିଲେ। ଶ୍ରୀମତୀ ମହାପାତ୍ରଙ୍କ ଜ୍ବାଇଁ ଜ୍ଞାନ ରଂଜନ ଦାଶ ଏହି ଅଧିବେଶନକୁ ପରିଚାଳନା କରିଥିଲେ। ଶ୍ରୀମତୀ ମହାପାତ୍ରଙ୍କ ଦେହାନ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ବାର୍ତ୍ତା ଶ୍ରୀ ଦାଶ ପଢ଼ିଥିଲେ।
ପ୍ରଖ୍ୟାତ କବି ଡ. ମାୟାଧର ମାନସିଂହଙ୍କ ଜ୍ୟେଷ୍ଠ ପୁତ୍ର ଡ. ଲାଲାଟେନ୍ଦୁ ମାନସିଂହ, ଲସ୍‌ ଏଞ୍ଜେଲ୍ସର ଜଣାଶୁଣା ଅର୍ଥନୀତିଜ୍ଞ ଡ. ପ୍ରଶାନ୍ତ ପଟ୍ଟନାୟକ ଶ୍ରୀମତୀ ମହାପାତ୍ରଙ୍କ ସାହିତ୍ୟକୃତି ସମ୍ପର୍କରେ ଆଲୋଚନା କରିଥିଲେ। ୧୯୯୯ ମହାବାତ୍ୟା ପରେ ‘ସମାଜ’ରେ ଶ୍ରୀମତୀ ମହାପାତ୍ରଙ୍କ ସମ୍ପାଦକୀୟ ଲେଖା ତାଙ୍କ ଆଖିରେ ଲୁହ ଆଣି ଦେଇଥିଲା ବୋଲି ଡ. ପଟ୍ଟନାୟକ କହିଥିଲେ।

ଡ. ବ୍ରଜେନ୍ଦ୍ର ମିଶ୍ର, ଡ. ପଞ୍ଚାନନ ଶତପଥୀ, ଡ. ତ୍ରିଲୋକି ଏବଂ ଅନ୍ନପୂର୍ଣ୍ଣା ପାଣ୍ଡେ ଅର୍ଥନୀତି ପ୍ରଫେସର ଭାବରେ ରେଭେନ୍ସା କଲେଜରେ ଶିକ୍ଷା ତଥା ଶିକ୍ଷାଦାନ କ୍ଷେତ୍ରରେ ଶ୍ରୀମତୀ ମହାପାତ୍ରଙ୍କ ଅବଦାନ ବିଷୟରେ କହିଥିଲେ।

ଆରତୀ ମିଶ୍ର, ସୋମେଶ, ନିଧି ଦାଶ, ସୁଚିତ ଏବଂ ଅଞ୍ଜଳି ଦାଶ ସେମାନଙ୍କ ଜୀବନରେ ଆଈଙ୍କ ପ୍ରଭାବ ବିଷୟରେ କହିଥିଲେ। ଭଣଜା ସ୍ବଦ୍ଧା ରଥ ଶ୍ରୀମତୀ ମହାପାତ୍ରଙ୍କୁ ତାଙ୍କର ଦ୍ୱିତୀୟ ମା’ ଭାବେ ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୁଚିସ୍ମିତା ମିଶ୍ର, ଶ୍ବେତପଦ୍ମା ଦାଶ, ଜ୍ୟୋ‌ତ୍ସ୍ନାମୟୀ କର, ଅରୁଣ ମିଶ୍ର, ପ୍ରଦୀପ ମହାପାତ୍ର, ମାଧବିକା ନାୟକ, ପ୍ରସାଦ ଶାସ୍ତ୍ରୀ, ସଂଯୁକ୍ତା ମିଶ୍ର, ସଞ୍ଜନା ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର