ଜନ୍ମମାଟିରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

ବର୍ଷ ତମାମ ରାଜ୍ୟବ୍ୟାପୀ ପାଳନ ହେବ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ

କଟକ : ଐତିହାସିକ କଟକ ସହରକୁ ନୂଆ ରୂପ ଦେବା ‌ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ଯୋଜନାରେ ଆରମ୍ଭ ହୋଇଛି ଆଉ ଏକ ପ୍ରୟାସ। ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ(ଏସ୍‌ସିବି)କୁ ଏମ୍‌ସ ପ୍ଲସ କରିବା ପାଇଁ ପଦକ୍ଷେପ, ତାଳଦଣ୍ଡା କେନାଲର ଦୁଇ ପାର୍ଶ୍ବ ସଂପ୍ରସାରଣ ଆଉ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ପରେ ଶନିବାର ଦିନ ଅତ୍ୟାଧୁନିକ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ନେତାଜୀଙ୍କ ନାମରେ ଖାନଗରଠାରେ ଏହି ପ୍ରସ୍ତାବିତ ବସ ଟର୍ମିନାଲର ନାମକରଣ କରାଯାଇ ତାହାର ଶିଳାନ୍ୟାସ କରାଯାଇଛି।

ଖାନନଗରଠାରେ କଟକ ନେତ‌ାଜୀ ବସ୍ ଟର୍ମିନାଲ(ସିଏନବିଟି) ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଭାରତ ମାତାର ଅମୂଲ୍ୟ ରତ୍ନ ଭାବେ ବର୍ଣ୍ଣନା କରିବା ସହିତ ତାଙ୍କର ଦୃଢ ନେତୃତ୍ବ, ସାହସ, ଅତୁଳନୀୟ ବୋଲି ଉଲ୍ଲେଖ କରି ଦେଶଭକ୍ତି ପାଇଁ ସେ ପ୍ରତିଟି ଭାରତୀୟ ହୃଦୟରେ ଅମର ରହିବେ ବୋଲି କହିଥିଲେ। ରାଜ୍ୟ ସରକାର ନେତାଜୀଙ୍କ ୧୨୫ତମ ଜୟନ୍ତୀଙ୍କୁ ରାଜ୍ୟବ୍ୟାପୀ ବର୍ଷ ତମାମ ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନେତାଜୀ ଏହି କଟକ ମାଟିର ପୁଅ। ସେ ଏଠା‌ରେ ଜନ୍ମ ହୋଇ ଏଇଠି ହିଁ ବଡ ହୋଇଥିଲେ। କଟକ ମାଟି ହିଁ ତାଙ୍କୁ ସେବା ଓ ସଂଗ୍ରାମ ମନ୍ତ୍ରରେ ଦୀକ୍ଷିତ କରିଥିଲା। ତେଣୁ ନେତାଜୀଙ୍କ ୧୨୫ ତମ ଜନ୍ମବାର୍ଷିକୀ ପାଳନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଯେତେବେଳେ ବି ସେ ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇଛନ୍ତି, ସେତେବେଳେ ସେ ଭାବୁକ ହୋଇଯାନ୍ତି। ଦେଶ ଓ ଜାତି ପାଇଁ ନେତାଜୀଙ୍କ ତ୍ୟାଗକୁ କେବେ ଭୁଲି ହେବ ନାହିଁ। ଭାରତର ସ୍ବାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିବାରେ‌ ନେତାଜୀଙ୍କ ଭୂମିକା ଅତୁଳନୀୟ। ନେତାଜୀଙ୍କ ଦେଶଭକ୍ତି ଓ ସାହସ ଭାରତ ଇତିହାସରେ ଏକ ଗୌରବମୟ ଗାଥା ହେଇ ରହିଛି।

କଟକର ଏହି ବସ ଟର୍ମିନାଲକୁ ଦେଶର ଏକ ମଡେଲ ବସ ଟର୍ମିନାଲ ଭ‌ାବେ ପ୍ରସ୍ତୁତ କରାଯିବ। ଏଠାକୁ ଆସୁଥିବା ସମସ୍ତଙ୍କ ମନରେ ନେତାଜୀଙ୍କ ସ୍ମୃତି ଯେଭଳି ଜାଗ୍ରତ ହୋଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ। ନେତାଜୀଙ୍କ ଜୀବନୀ ଓ ସଂଗ୍ରାମର ଝଲକ ସବୁଠି ଦେଖିବାକୁ ମିଳିବ। ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷ ନେତାଜୀଙ୍କ ସାହସ ଓ ଦେଶଭକ୍ତିର ବାର୍ତ୍ତା ନେଇ ଫେରିବେ। ବସ୍ ଟର୍ମିନାଲ ହଜାର ବର୍ଷର ସହର କଟକର ଗରିମାକୁ ଆହୁରି ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ବରରୁ ହେଲିକପ୍ଟରରେ ଆସି ସନସାଇନ୍ ପଡିଆରେ ଓହ୍ଲାଇବା ପରେ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେଠାରୁ ଖାନନଗରସ୍ଥିତ ବିଶ୍ବନାଥ ପଣ୍ଡିତ ପାଠାଗାର ନିକଟରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳକୁ ଆସି ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ସୁବାସ ସିଂହ, ବିଧାୟକ ସୌଭିକ ବିଶ୍ବାଳ, ଦେବୀରଂଜନ ତ୍ରିପାଠୀ, ପ୍ରଶାନ୍ତ ବେହେରା, ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତରଂଜନ ବିଶ୍ବାଳ, ୫-ଟି ସଚିବ ଭି.କେ. ପାଣ୍ଡିଆନ୍, ପୂର୍ତ୍ତ ସଚିବ କିଷନ କୁମାର, ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାତନନ, ଆରଡିସି ଅନିଲ କୁମାର ସାମଲ, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ସିଏମସି କମିସନର ଅନନ୍ୟା ଦାସ, ପିଡି ଡିଆରଡିଏ ଅବଦଲ୍ ଅଖତର, ଏଡିଏମ ବିଜୟ କୁମାର ଖଣ୍ଡାୟତରାୟ, ପୂର୍ଣ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର