ନିର୍ମଳା ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ସି‌ନେମା କହିଲେ ନିର୍ମଳା ମିଶ୍ରଙ୍କୁ ବୁଝାଯାଏ
‘ ତାଙ୍କ ଘର ଉତ୍ତରପ୍ରଦେଶ। କଲିକତାରେ ରୁହନ୍ତି। କିନ୍ତୁ ଓଡ଼ିଆ ଗୀତକୁ ଏତେ ସୂକ୍ଷ୍ମ, ସ୍ପଷ୍ଟ ଆଉ ସୁନ୍ଦର ଭାବରେ ସେ ଗାଇଛନ୍ତି ଯେ ସମସ୍ତେ ଭାବନ୍ତି ସେ ଓଡ଼ିଆ ବୋଲି। ତାଙ୍କ ସହିତ ମୋର ଘନିଷ୍ଟ ସଂପର୍କ। କଲିକତାରେ ତାଙ୍କ ଘରେ ଅନେକଥର ଖାଇଛି। ଭାରି ଭଲପାଆନ୍ତି ମୋତେ। କଣ୍ଠଶିଳ୍ପୀ ଭାବେ ଅତ୍ୟନ୍ତ ଉଚ୍ଚକୋଟିର। କେତେ ଯେ ଅଭୁଲା ଓଡ଼ିଆ ଗୀତ ଗାଇଛନ୍ତି, ତାହା କହିହେବ ନାହିଁ। ଓଡ଼ିଆ ସିନେମା କହିଲେ, ନିର୍ମଳା ମିଶ୍ରଙ୍କୁ ହିଁ ବୁଝାଏ। ତାଙ୍କର ବିୟୋଗ ଉଭୟ ଓଡ଼ିଆ ଓ ବଙ୍ଗଳା ସିନେମା ଜଗତ ପାଇଁ ବଡ଼ କ୍ଷତି।’
ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀ

ଆଖି ବନ୍ଦ୍‌କରି ଅତ୍ୟନ୍ତ ଭାବପୂର୍ଣ୍ଣ ଭାବେ ଗାଆନ୍ତି
‘ପ୍ରଖ୍ୟାତ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର ଓଡ଼ିଆ ଗୀତକୁ ଅତ୍ୟନ୍ତ ସ୍ପଷ୍ଟ ଓ ଭାବପୂର୍ଣ୍ଣ ଭାବେ ଗାଉଥିଲେ। ପୂର୍ବରୁ ସେ ମୁଖସ୍ଥ କରୁଥିବାରୁ ଗାଇଲାବେଳେ ଆଖି ବନ୍ଦ କରି ଗାଉଥିଲେ। ଏଥିପାଇଁ ତାଙ୍କ ଗୀତ ଶ୍ରୋତାଙ୍କ ପାଇଁ ହୃଦୟସ୍ପର୍ଶୀ ଥିଲା। ତାଙ୍କ ସହ ମୋର ପ୍ରଥମ ଦେଖା ହୋଇଥିଲା କଲିକତାର ଟେକ୍ନିସିଆନ୍ ଷ୍ଟୁଡିଓରେ। ମୋତ‌େ ୧୨ବର୍ଷ ହୋଇଥିଲା। ମୁଁ ବୋଉ ଲୋ କି କହିବି ନୂଆ ଭାଉଜଙ୍କ କଥା…ରେ‌କର୍ଡିଂ ପାଇଁ କଲିକତା ଯାଇଥିଲି। ଏହାର କିଛିବର୍ଷ ପରେ ସେହି ଟେକ୍ନିସିଆନ ଷ୍ଟୁଡିଓରେ ଆହୁତି ଚଳଚ୍ଚିତ୍ରର ହେ ମୋର ଆଖି ଲୁହ… ଗୀତ ରେ‌କର୍ଡିଂ ବେଳେ ନିର୍ମଳା ମିଶ୍ର ଏହା ଶୁଣିଥିଲେ। ରେକର୍ଡିଂ ପରେ ଖୁସିହୋଇ ମୋତେ ଆଲିଙ୍ଗନ କରିଥିଲେ।‌ କଟକ ଆକାଶବାଣୀର ପ୍ରତିଷ୍ଠା ଦିବସରେ ତତ୍କାଳୀନ ନି‌ର୍ଦ୍ଦେଶକ ପି.ଭି. କ୍ରିଷ୍ଣମୂର୍ତ୍ତିଙ୍କ ନିମନ୍ତ୍ରଣରେ ନିରୋଳା ଏ ଜହ୍ନ ରାତି…. ଓ ସଂଧ୍ୟା ତାରା… ଗୀତ ଗାଇଥିଲେ। ଏଇ ଦୁଇ ଗୀତକୁ ମୁଁ ଆକାଶବାଣୀର ୬୦ତମ ପ୍ରତିଷ୍ଠା ଦିବସରେ ଗାଇଥିଲି। ଦେବଦାସ ଛୋଟରାୟ, ମାଳବିକା ରାୟଙ୍କ ଭଳି ବହୁ ବିଶିଷ୍ଟ ଶ୍ରୋତା ବେଶ୍‌ ପ୍ରଭାବିତ ହୋଇଥିଲେ। ସଂଗୀତ ଜଗତରେ ନିର୍ମଳା ମିଶ୍ର ଥିଲେ ସ୍ବତନ୍ତ୍ର, ମୋ ପାଇଁ ଆଦର୍ଶ।
ତୃପ୍ତି ଦାସ, ଲୋକପ୍ରିୟ କଣ୍ଠଶିଳ୍ପୀ, ସଂଗୀତ ନି‌ର୍ଦ୍ଦେଶକ

ନିର୍ମଳା ଥିଲେ ଓଡ଼ିଶାର ଲତା ମଙ୍ଗେସକର୍‌
‘ ନିର୍ମଳା ମିଶ୍ରଙ୍କ ପରିବାର ସହ ମୋର ଘନିଷ୍ଠ ସଂପର୍କ। ମୁଁ ତାଙ୍କୁ ଦିଦି ଡାକେ। କଲିକତା ଗଲେ ତାଙ୍କରି ଘରେ ଖାଏ। ଅନେକଥର ଇଲିଶି ମାଛ ରୋଷେଇ କରି ଖୁଆଇଛନ୍ତି। ସଂଗୀତରେ ଯେମିତି, ବ୍ୟବହାରରେ ବି ସେମିତି। ତାଙ୍କ ସ୍ବାମୀ ଦାସଗୁପ୍ତ ଦାଦା ବି ମୋତେ ଭାବି ଭଲ ପାଆନ୍ତି। ଓଡ଼ିଆ ଚଳଚ୍ଚିତ୍ର ପ୍ରତି ତାଙ୍କ ଅବଦାନ ତାଙ୍କୁ ଚିରସ୍ମରଣୀୟ କରି ରଖିବ। ତାଙ୍କ ପରଲୋକ ଓଡ଼ିଆ ସ‌ିନେମା ଜଗତ ପ୍ରତି ବଡ଼ କ୍ଷତି। ସେ ଥିଲେ ଓଡ଼ିଶାର ଲତା ମଙ୍ଗେସକର୍‌। ’
ସୁବାସ ଦାସ, ବରିଷ୍ଠ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ

ମୋର ସୌଭାଗ୍ୟ ତାଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଛି
‘ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ ‌ଅନେକ ଅଭୁଲା, ଅପାସୋରା ସଂଗୀତ ଗାଇଛନ୍ତି। ସେ ଯେତେ ଗୀତ ଗାଇଛନ୍ତି, ବୋଧହୁଏ କୌଣସି ଓଡ଼ିଆ ଗାୟିକା ଏତେ ଗୀତ ଗାଇ ନଥିବେ। ନିଦ ଭରା ରାତି, ମଧୁଝରା ଜନ୍ମ….ଠୁ ଆରମ୍ଭ କରି ଆଜି ଆକାଶେ କି ରଙ୍ଗ ଲାଗିଲା… ଭଳି ଅନେକ ମନଛୁଆଁ ସଂଗୀତ ସେ ଗାଇ ଓଡ଼ିଆ ଚଳଚ୍ଚିତ୍ର ଓ ସଂଗୀତ ଜଗତରେ ୬୦ବର୍ଷରୁ ଅଧିକ ସମୟ ଧରି ପ୍ରଭାବ ବସ୍ତାର କରିଥିଲେ। ତାଙ୍କର ସ୍ପଷ୍ଟ ଓଡ଼ିଆ ଉଚ୍ଚାରଣ ଓ ଭାବପୂର୍ଣ୍ଣ ଶୈଳୀ ପାଇଁ ସେ ଓଡ଼ିଆ ଶ୍ରୋତାଙ୍କ ହୃଦୟରେ ସ୍ବତନ୍ତ୍ର ଅଧିକାର କରିଛନ୍ତି ଓ କରିଥିବେ ମଧ୍ୟ। ତାଙ୍କ ବିନା ଓଡ଼ିଆ ଚଳିଚ୍ଚିତ୍ର ଜଗତ କଥା ଚିନ୍ତା କରାଯାଇ ପାରେନା। ତାଙ୍କ ପ୍ରତି ମୋର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି। ’
ଶେଖର ଘୋଷ, ବରିଷ୍ଠ କଣ୍ଠଶିଳ୍ପୀ

ସମ୍ବନ୍ଧିତ ଖବର