ସୁନ୍ଦରଗଡ଼: ‘ଭଲ ମଣିଷଟେ ସମସ୍ତଙ୍କ ହୃଦୟରେ ଜିଇଁ ରହିଥାଏ। ଦିବଂଗତ କବିୟତ୍ରୀ ରଞ୍ଜିତା ପଣ୍ଡା ହୃଦୟରେ ଘର କରିଥିଲେ। ଯିଏ କହୁଥିଲେ ‘ଭଲ କବିଟେ ହେବାକୁ ହେଲେ ପ୍ରଥମେ ଭଲ ମଣିଷ ହେବାକୁ ପଡ଼ିବ’। ସ୍ଥାନୀୟ ବୀରମିତ୍ର କ୍ଲବ୍ ଠାରେ ଆୟୋଜିତ ଦିବଂଗତ କବିୟତ୍ରୀ ରଞ୍ଜିତା ପଣ୍ଡାଙ୍କ ସ୍ମୃତିସଭାରେ ସାହିତ୍ୟିମାନେ ଏହା ବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗତ ସେପ୍ଟେମ୍ବର ୧୯ରେ ୫୨ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିଲା। ସେ କବୀ ଭାବେ ଯେତିକି ପରିଚିତ ଥିଲେ, ତା’ଠାରୁ ଅଧିକ ଜଣେ ନିର୍ମଳ, ସରଳ ହୃଦୟର ମଣିଷ ଭାବେ ସାହିତ୍ୟିକ ଓ ବନ୍ଧୁ ପରିଜନରେ ତାଙ୍କ ପରିଚୟ ଥିଲା। ତାଙ୍କ କବିତାରେ ଦରଦୀ ଭାବ ଓ ନିର୍ଭେଜାଲ ମଣିଷପଣିଆ ଫୁଟି ଉଠୁଥିଲା।
ତାଙ୍କ ବିୟୋଗ କବିତାଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସଭାରେ ଉପସ୍ଥିତ ସାହିତ୍ୟିକମାନେ ମତପ୍ରକାଶ କରିଥିଲେ। ଯୁବ ଗାଳ୍ପିକ ବିବିଧ ବିଶ୍ବଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ କବୀ ମିନତୀ ମିଶ୍ର, ଦୁର୍ଗା ପଣ୍ଡା, ବିଜ୍ଞାନୀ ମହାନ୍ତି, ଚିରବ୍ରତ ଦତ୍ତ, ଲଳିତା ଖଣ୍ଡା, ସୁଷମା ପଟେଲ, ଜୀବେଶ୍ବରୀ ପଟେଲ, ଚୈତାଳୀ ଦତ୍ତ, ପ୍ରତାପ ପଟ୍ଟନାୟକ, ରାମେଶ୍ବର ପଟେଲ, କମଳ ସେନ, କିଶୋରୀ ଦାସ, ମୀନାରାଣୀ ସହାୟ, ରାଜକିଶୋର ଷଡ଼ଙ୍ଗୀ, ବବଲୁ ଦାଶ, ସସ୍ମିତା ଭୋଇ, ପ୍ରତିମା ମିଶ୍ର, ଶରତ ପାଣ୍ଡେ, ବିଦ୍ୟାଭୂଷଣ ଶାସନୀ, ବିରେନ ସାମେଲ ପ୍ରମୁଖ କବି ଓ ଲେଖକମାନେ ଯୋଗ ଦେଇ ଶ୍ରୀମତୀ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ।