ସାନ୍ତାଳୀ ସମାଜକୁ ଆଶାର ଆଲୋକ ଦେଖାଇଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ

ବାଲେଶ୍ବର (ରୁଦ୍ରରଂଜନ ଶେଜପଡ଼ା): ଏକଦା ସାନ୍ତାଳୀମାନେ ସମାଜର ମୁଖ୍ୟ ସ୍ରୋତଠାରୁ ଅନେକ ଦୂରରେ ଥିଲେ। ନିଜସ୍ବ ପରିଚୟ ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଥିଲା। ହେଲେ ପରବର୍ତୀ ସମୟରେ ସାନ୍ତାଳୀ ସମାଜ ଆଶାର ଆଲୋକ ଦେଖିଛି। ବିକାଶଶୀଳ ଭାରତବର୍ଷରେ ନିଜର ସ୍ଥିତିକୁ ଜାହିର କରିଛି। ତେବେ ଏଥିପାଇଁ କିଛି ସାନ୍ତାଳୀ ସଂସ୍କାରକଙ୍କ ଅବଦାନ ଅବିସ୍ମରଣୀୟ। ସେମାନଙ୍କ ମଧ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ହେଉଛନ୍ତି ଅଗ୍ରପୂଜ୍ୟ। ଆଜି ବୈଶାଖ ପୂର୍ଣ୍ଣିମାରେ ତାଙ୍କ ଜୟନ୍ତୀ। ଆଦିବାସୀମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀକୁ ଅତି ଉତ୍ସାହର ସହ ପାଳନ କରୁଛନ୍ତି।

ପଣ୍ଡିତ ରଘୁନାଥ ପ୍ରଥମ କରି ଅଲ୍‌ଚିକି ଲିପି ପ୍ରସ୍ତୁତ କରିଥିଲେ। ଯାହାକୁ ୧୯୨୫ ମସିହା ପରେ ପରେ ଭାରତ ଓ ଅନ୍ୟ ଦେଶର ସାନ୍ତାଳୀମାନେ ବ୍ୟବହାର କରିବା ଆରମ୍ଭ କଲେ। ଏଥିପାଇଁ ସାନ୍ତାଳୀ ଭାଷାଭାଷୀ ଲୋକମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଆଦରରେ ‘ଗୁରୁ ଗୋମକେ’ ବୋଲି ଡାକିଥା’ନ୍ତି। ପଣ୍ଡିତ ରଘୁନାଥ ମୁର୍ମୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ପାଇଁ ଅନେକ ସଂସ୍କାରମୂଳକ କାମ କରିଥିଲେ। ତାଙ୍କ ଅବଦାନକୁ ସମ୍ମାନ ଜଣାଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ୧୯୮୬ ମସିହାରେ ବାଙ୍କୁରା ଜିଲ୍ଲା ଜାମବାଣିଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଏବଂ ୨୦୦୭ ମସିହାରେ ମୁର୍ସିଦାବାଦଠାରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ସେହିପରି ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପଞ୍ଚମ ମେଡିକାଲ୍‌ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି।

ବାଗ୍ମୀ ପୁରୁଷ ପଣ୍ଡିତ ରଘୁନାଥ ମୁର୍ମୁ ବିଭିନ୍ନ କ୍ଷେତ୍ରରେ ଲେଖନୀ ଚାଳନା କରିଥି‌େଲ। ତାଙ୍କ ଦ୍ବାରା ଲିଖିତ ଅନେକ ପାଠ୍ୟପୁସ୍ତକ ରହିଛି। ସେଗୁଡ଼ିକ ମଧ୍ୟରେ ଏଲଖା ପତବ, ରନଳ, ଞ୍ଜେଲ ଜଂ ଲାଗିଦ ଅଲ, ଅଲ ଚେମେଦ, ପାର୍ସିପୋହା, ପାର୍ସିଅପାଦ ରହିଛି। ସେହିପରି ସେ ବିନ୍ଦୁ ଚାନ୍ଦାନ, ଦାଳେଗେ ଧନ, ଖେରୱାଳ ବୀର, ସିଦୁ କାହ୍ନୁ ସାନ୍ତାଳ ହୁଲ, ଦାଳେଗେ ଧନ ପରି ଏକାଧିକ ନାଟକ ଲେଖିଥିଲେ। ହର ସେରେଞ୍ଜ, ବାହା ସେରେଞ୍ଜ ଓ ହିତାଲ ଭଳି ପଣ୍ଡିତ ରଘୁନାଥଙ୍କ ପାଠକପ୍ରିୟ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି।

ନିଜର ଦକ୍ଷତା ପାଇଁ ସେ ଅନେକ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଛନ୍ତି। ୧୯୫୧ ମସିହାରେ ପଣ୍ଡିତ ରଘୁନାଥ ଡିଲିଟ୍‌ ଉପାଧି ପାଇଥିବା ବେଳେ ୧୯୭୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ୧୮ ମେ ୧୯୦୫ (ବୈଶାଖ ପୂର୍ଣ୍ଣିମା)ରେ ପଣ୍ଡିତ ରଘୁନାଥ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ଡହରଡ଼ିହା-ଦାଣ୍ଡବୋଷଠାରେ ଜନ୍ମଗ୍ରହଣ କରିଥିଲେ। ସେ ରାଇରଙ୍ଗପୁରର ବଡ଼ାମତଳିଆଠାରେ ସ୍କୁଲ୍‌ ଶିକ୍ଷକ ଥିବା ସମୟରେ ସାନ୍ତାଳୀ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ। ଆଜି ୧୧୮ତମ ଜନ୍ମଦିନ ଥିବାରୁ ଦାଣ୍ତବୋଷ ଡାହାରଡ଼ିହ ଗ୍ରାମରେ ପଣ୍ଡିତ ରଘୁନା‌ଥଙ୍କ ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପୂଜାପାଠ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଉଛି।

ସାନ୍ତାଳୀ ସମାଜ ଆକାଶରେ ପଣ୍ଡିତ ରଘୁନାଥ ମୁର୍ମୁ ହେଉଛନ୍ତି ଏପରି ଏକ ତାରା, ଯାହା ସାନ୍ତାଳୀ ଅସ୍ମିତାର ପରିଚୟ ତୋଳୁଛି। ସେ ପ୍ରତିଟି ସାନ୍ତାଳୀ ମଣିଷର ହୃଦହରେ ରହିଛନ୍ତି, ସବୁଦିନ ରହିବେ। ରଘୁନାଥ ମୁର୍ମୁ ଜଣେ ମଣିଷ ନ ଥିଲେ, ତାଙ୍କ ଭିତରେ ଈଶ୍ବରରୀୟ ସତ୍ତା ରହିଥିଲା। ଜନ୍ମଦିନରେ ପଣ୍ଡିତ ରଘୁନାଥଙ୍କୁ ସମ୍ବାଦ ପୋର୍ଟାଲ୍‌ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଂଜଳି।

ସମ୍ବନ୍ଧିତ ଖବର