ପୁରୀ : ବ୍ରିଟେନ୍‌ ରାଣୀ ଏଲିଜାବେଥ୍‌-୨ଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଶୁକ୍ରବାର ଦିନ ପୁରୀ ବେଳାଭୂମିରେ ରାଣୀ ଏଲିଜାବେଥ୍‌ଙ୍କ ବିରାଟ ବାଲୁକାକଳା କରିବା ସହ ଏହାକୁ ଗୋଲାପ ଫୁଲରେ ସଜାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବାଲୁକା କଳା ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ସେ ଏଥିରେ ୭୪୦ଟି ଗୋଲାପ ଫୁଲ ବ୍ୟବହାର କରିଛନ୍ତି। ଏହି ବାଲୁକାକଳାର ଉଚ୍ଚତା ୬ ଫୁଟ ହୋଇଥିବାବେଳେ ଏଥିରେ ସେ ୬ ଟନ୍‌ ବାଲି ବ୍ୟବହାର କରିଥିବା କହିଛନ୍ତି।