ଅଜାତଶତ୍ରୁ ରଣଜିତ

ସମ୍ବାଦ ଭବନ ଶୋକାକୁଳ; ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲେ ସହକର୍ମୀ

ଆଉ ପଢ଼ିବାକୁ ମିଳିବନି ‘ଅପ୍ରସଙ୍ଗ’। ଟିଭି ପରଦା‌ରେ ଆଉ ଦେଖିବାକୁ ମିଳିବନି ତାଙ୍କର ବଳିଷ୍ଠ ତର୍କସଙ୍ଗତ ବକ୍ତବ୍ୟ। ଝୁରିବେ ‘ସମ୍ବାଦ’, ସାମ୍ବାଦିକତା ଜଗତ ଓ ଗୁଣଗ୍ରାହୀ ପାଠକ। ନିଷ୍ଠାପର, ସମର୍ପିତ, ପ୍ରତିବଦ୍ଧ ଓ ନିରପେକ୍ଷ ସାମ୍ବାଦିକତାର ଉଜ୍ଜ୍ବଳ ତାରକା ରଣଜିତ ଗୁରୁଙ୍କ ପରଲୋକ ସହ ଶେଷ ହୋଇଯାଇଛି ଓଡ଼ିଆ ସାମ୍ବାଦିକତା ଜଗତର ଏକ ସୁନେଲି ଅଧ୍ୟାୟ।

ଶନିବାର ବିଳମ୍ବିତ ରାତିରେ ଶ୍ରୀ ଗୁରୁଙ୍କ ଅକାଳ ମୃତ୍ୟୁ ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଥିଲା। କିମ୍ସ ହସ୍ପିଟାଲ୍‌ରେ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ। ରବିବାର ସକାଳେ ମରଶରୀର କର୍ମଭୂମି ‘ସମ୍ବାଦ’ କାର୍ଯ୍ୟାଳୟକୁ ଆସିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସହକର୍ମୀମାନେ ଶ୍ରୀ ଗୁରୁଙ୍କ ସହ ବିତାଇଥିବା ସମୟର ସ୍ମୃତିକୁ ରୋମନ୍ଥନ କରିବା ବେଳେ ଆଖି କୋଣରେ ଜକେଇ ଆସୁଥିଲା ଅଶ୍ରୁବିନ୍ଦୁ। ମ୍ରିୟମାଣ ହୋଇ ପଡ଼ିଥିଲେ ‘ସମ୍ବାଦ’ର ସବୁ ଅଧିକାରୀ ଓ କର୍ମଚାରୀ।

ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରକାଶକ ବିଜୟ ପଟ୍ଟନାୟକ, ସମ୍ବାଦ ଗ୍ରୁପ୍‌ ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ନିର୍ଦେଶିକା ତନୟା ପଟ୍ଟନାୟକ, ସିଓଓ ପଦାଧିକାରୀ କମଳାକାନ୍ତ ମହାପାତ୍ର, ରବିବାର ସମ୍ବାଦ ତଥା ‘କଥା’ର ସଂପାଦକ ଗୌରହରି ଦାସ, ‌ଆମ ଓଡ଼ିଶା ସଂପାଦକ ଅସିତ ମହାନ୍ତି, ସ୍ବରାଜ ମିଶ୍ର, ମାନବସମ୍ବଳ ବିଭାଗ ଉପମହାପ୍ରବନ୍ଧକ ବୈଜୟନ୍ତୀ କର, ସମ୍ବାଦ ପୋର୍ଟାଲର ସୁବ୍ରତ ଦାସ, ଧ୍ରୁତିକାମ ମହାନ୍ତି, ବିନୋଦ ପଣ୍ଡା, ରତିକାନ୍ତ ଶତପଥୀ ପ୍ରମୁଖଙ୍କ ସହ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ବରିଷ୍ଠ ସାମ୍ବାଦିକ ରବି ଦାସ, ଧୀରେନ୍ଦ୍ର ମିଶ୍ର, ଶରତ ଚନ୍ଦ୍ର ଭଦ୍ର, ତେଜେଶ୍ବର ପରିଡ଼ା ପ୍ରମୁଖ ଶ୍ରୀ ଗୁରୁଙ୍କ ଶେଷ ଦର୍ଶନ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶ୍ରୀ ଗୁରୁଙ୍କ ବିୟୋଗ ଯୋଗୁ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନ ଉତ୍ସବକୁ ବାତିଲ କରାଯାଇଥିଲା। ଏହାପରେ କର୍ମଭୂମିରୁ ଜନ୍ମଭୂମି ବରଗଡ଼ ଜିଲ୍ଲାର ଗୋଡ଼ଭଗା ନିକଟବର୍ତୀ ମହଖଣ୍ଡ ଅଭିମୁଖେ ତାଙ୍କ ମରଶରୀରକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର