ଜନ୍ମମାଟି ମହଖଣ୍ଡରେ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି : ‘ରଣଜିତ ଗୁରୁ ଥିଲେ ଅଜାତଶତ୍ରୁ’

ସମ୍ବଲପୁର :  ସାମ୍ବାଦିକତା ବୃତ୍ତିରେ ଥିବା ଲୋକର ଅନେକ ଶତ୍ରୁ ତିଆରି ହୋଇଥାନ୍ତି। ମାତ୍ର ବରିଷ୍ଠ ସାମ୍ବାଦିକ ଓ ଭାଷ୍ୟକାର ରଣଜିତ ଗୁରୁ ଥିଲେ ଏହାର ବ୍ୟତିକ୍ରମ। ସେ ଥିଲେ ଅଜାତଶତ୍ରୁ। ଏଥିସହ ଦୃଢ଼ ଆତ୍ମ ବିଶ୍ବାସ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ମଣିଷର କର୍ମ ପଥରେ ଅସୁସ୍ଥତା ବି ବାଧକ ସାଜି ପାରେନା- ତାହା ସେ ପ୍ରମାଣ କରି ଦେଖାଇଛନ୍ତି। ଅସୁସ୍ଥତାକୁ ଆଳ କରି ସେ କେବେ ହେଲେ ତାଙ୍କ ଦାୟିତ୍ବରୁ ଓହରି ଯାଇ ନଥିଲେ। କେବଳ ସେତିକି ନୁହେଁ, ଜଣେ ସଫଳ ମଣିଷ କିପରି ହେବାକୁ ହୁଏ, ତାହା ମଧ୍ୟ ନୂଆ ପିଢ଼ି ରଣଜିତ ଗୁରୁଙ୍କ ଠାରୁ ଶିଖିବା ଉଚିତ୍‌। ସେ କେବଳ ଯେ ତାଙ୍କ ବୃତ୍ତିରେ ନିଷ୍ଠା ଓ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି ତାହା ନୁହେଁ, ‌ଯୌଥ ପରିବାର ଭିତରେ ରହି ଜଣେ ସଫଳ ଭାଇ, ସଫଳ ସ୍ବାମୀ ଓ ସଫଳ ବାପା ଭାବରେ ମଧ୍ୟ ନିଜକୁ ପ୍ରତିପାଦିତ କରିପାରିଛନ୍ତି; ଯାହାକି ସମସ୍ତଙ୍କ ପାଇଁ ଅନୁକରଣୀୟ। ତାଙ୍କ ଭଲ ଗୁଣଗୁଡ଼ିକୁ ଅନୁସରଣ କରି ପାରିଲେ ତାହା ତାଙ୍କ ପ୍ରତି ସବୁଠୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ‘ସମ୍ବାଦ’ ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ବୁଧବାର ସ୍ବର୍ଗତ ରଣଜିତ ଗୁରୁଙ୍କ ଦ୍ବାଦଶାହ ଅବସରରେ ଜନ୍ମମାଟି ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟ ମହଖଣ୍ଡ ଗାଁରେ ଅନୁଷ୍ଠିତ ସ୍ମୃତିସଭାରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ସମ୍ବାଦ’ର ଦୀର୍ଘ ୩୫ ବର୍ଷର ଯାତ୍ରାରେ ରଣଜିତ ଗୁରୁ କେବଳ ସାମିଲ ନଥିଲେ. ବରଂ ‘ସମ୍ବାଦ’ର ସଫଳତାରେ ତାଙ୍କର ସିଂହଭାଗ ଶ୍ରେୟ ରହିଥିଲା। ସେ ‘ସମ୍ବାଦ’ ପରିବାରର ବଡ଼ ପୁଅ ଥିଲେ। ତାଙ୍କ ବିୟୋଗକୁ ଅପୂରଣୀୟ କ୍ଷତି ବୋଲି କହିବା ପରିବର୍ତ୍ତେ ଯଦି ଦ୍ବିଗୁଣ ନିଷ୍ଠାର ସହ ତାଙ୍କୁ ଅନୁକରଣ କରାଯାଇ ପାରିବ ତେବେ ଏହି କ୍ଷତି ଭରଣା ହେବା ସହ ତାଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ।

ଶ୍ରଦ୍ଧାଞ୍ଜଳି ସଭାରେ ପ୍ରସାର ଭାରତୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦେଶକ ଅଭୟ ପାଢ଼ୀ ସ୍ବର୍ଗତ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ ଯେ, ଜୀବନ ଦୀପ ଲିଭିବା ଯାଏଁ କଲମ ନଛାଡ଼ିବା ଖୁବ୍‌ କମ୍‌ ସାମ୍ବାଦିକଙ୍କ ନିକଟରେ ଦେଖିବାକୁ ମିଳେ। କିଡ୍‌ନି ପ୍ରତିରୋପଣ ସତ୍ତ୍ବେ ଦୃଢ଼ ଆତ୍ମଶକ୍ତି ହିଁ ତାଙ୍କୁ ଏତେ ଦିନ ବଞ୍ଚାଇ ରଖିଥିଲା ବୋଲି ଶ୍ରୀ ପାଢ଼ୀ ମତବ୍ୟକ୍ତ କରିଥିଲେ।

‘ସମ୍ବାଦ’ ଫିଚର ପୃଷ୍ଠାର ସଂପାଦକ ତଥା ବିଶିଷ୍ଟ କଥାକାର ଡ.ଗୌରହରି ଦାସ କହିଥିଲେ ଯେ,  ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବାର କଳା ସ୍ବର୍ଗତ ଗୁରୁଙ୍କଠାରୁ ଶିଖିବା ଆବଶ୍ୟକ। ମାତ୍ର ୬୧ ବର୍ଷର ଜୀବନକାଳରେ ସେ ଯେତେ ଜ୍ଞାନ, ସମ୍ମାନ ଅର୍ଜନ କରିଛନ୍ତି ତାହା ୧୨୦ ବର୍ଷର ଜୀବନ ଅପେକ୍ଷା ବି ଅଧିକ।

ସ୍ବର୍ଗତ ଗୁରୁଙ୍କ ଭଉଣୀ ଜ୍ବାଇଁ କବି ଭାଗିରଥୀ ମିଶ୍ର ସଭା ପରିଚାଳନା କରିଥିଲେ। ଏହି ଅବସରରେ ସ୍ବର୍ଗତ ଗୁରୁଙ୍କ ସ୍ମୃତିରେ ପ୍ରକାଶିତ ସ୍ମୃତି ସଂକଳନ ‘ମରଣଜୟୀ ରଣଜିତ’ ଓ ସ୍ବର୍ଗତ ଗୁରୁଙ୍କ ସ୍ବରଚିତ ‘ଓଡିଶା ରାଜନୀତି: ଶାସନ ଓ ବିକାଶ ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସଭା ଆରମ୍ଭରେ ପଣ୍ଡିତ ଅମରନାଥ ମିଶ୍ର ବେଦପାଠ କରିଥିଲେ।

ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ସମାଜସେବୀ ଭାଗବତ ପ୍ରସାଦ ନନ୍ଦ, ଲିଙ୍ଗରାଜ, ଲଳିତ ନାୟକ, ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ, ‘ସମ୍ବାଦ ସିଓଓ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ ବାର୍ତ୍ତା ଅରବିନ୍ଦ ଦାସ, ମାନବ ସମ୍ବଳ ବିଭାଗ ଉପମହାପ୍ରବନ୍ଧକ ବୈଜୟନ୍ତୀ କର, ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର, ଉପମହାପ୍ରବନ୍ଧକ ଭବାନୀ ତ୍ରିପାଠୀ, ଗୌତମବୁଦ୍ଧ ଦାସ, ସମ୍ବଲପୁର ଉପମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟ, ଶାଖା ପରିଚାଳକ ଗଜେନ୍ଦ୍ର ମଲ୍ଲିକଙ୍କ ସମେତ ସମ୍ବାଦର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ, ଗୁରୁ ପରିବାରର ସଦସ୍ୟ ଓ ସଂପର୍କୀୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର