ଲଳିତ ଦା’ ଥିଲେ ଶତ ପ୍ରତିଶତ ସମାଜସେବୀ

ସମାଜସେବୀ ଲଳିତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ରାଜନେତାମାନେ ଫର୍ମ ପୂରଣ କଲା ବେଳେ ନିଜ ବୃତ୍ତି ବାବଦ ସୂଚନା ପାଇଁ ଉଦ୍ଦିଷ୍ଟ ସ୍ଥାନରେ ରାଜନେତା ବଦଳରେ ସମାଜସେବୀ ଲେଖନ୍ତି। କାରଣ ବୃତ୍ତି ବା ପେସାକୁ ରାଜନେତା ବୋଲି ଲେଖିବାକୁ ଲାଜ ମାଡ଼େ। ସେଥିପାଇଁ ଈଶ୍ବର ସମାଜସେବାର ଜଣେ ଆଦର୍ଶ ପୁରୁଷଙ୍କୁ ରାଜନୀତିରେ ସଫଳ ହେବାକୁ ଦେଇନଥିଲେ। ସ୍ବର୍ଗତ ଲଳିତ ନାୟକ ଥିଲେ ଶତ ପ୍ରତିଶତ ସମାଜସେବୀ। ପର ପାଇଁ ନିଜକୁ କିଭଳି ଉତ୍ସର୍ଗ କରିବାକୁ ହୁଏ, ତା’ ଲଳିତ ଦା’ଙ୍କଠାରୁ ଅଧିକ କାହାଠାରୁ ଶିଖିବାକୁ ମିଳିବ ନାହିଁ। ପଶ୍ଚିମ ଓଡ଼ିଶାର ଶକ୍ତିକେନ୍ଦ୍ର ଲଳିତ ଦା’ଙ୍କ ବିୟୋଗରେ ଲଳିତ ନାୟକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଶ୍ରାଦ୍ଧ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ସମାଜସେବା କ୍ଷେତ୍ରରେ ସେ କେବେ ହେଲେ ନିଜ ପରିବାର କଥା ଚିନ୍ତା ନ କରି ପୂରା ଓଡ଼ିଶା କଥା ଚିନ୍ତା କରୁଥିଲେ। ବର୍ତ୍ତମାନ ସମାଜସେବା ବା ରାଜନୀତି କ୍ଷେତ୍ରରେ ନୂଆ କରି ପାଦ ଥାପୁଥିବା ଯୁବପିଢ଼ି ଯଦି କିଛି କରିବାକୁ ଚାହାନ୍ତି, ତା’ ହେଲେ ତାଙ୍କ ଭଳି ଅନ୍ୟମନସ୍କ ହୁଅନ୍ତୁ ଓ ସମାଜସେବା କ୍ଷେତ୍ରରେ ସେ ରଚି ଯାଇଥିବା ଅନତିକ୍ରମଣୀୟ ଇତିହାସକୁ ଜାଣନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ ଯେ ଲୋକଙ୍କୁ ସେବା ଯୋଗାଇବାରେ ଲଳିତ ଦା’ଙ୍କ ନାଁ ସର୍ବପ୍ରଥମେ ଆସିବ। ତ୍ୟାଗପୂତ ଜୀବନ କାଳରେ ସେ ଶ୍ରମିକଙ୍କଠାରୁ ଆରମ୍ଭ କରି କୃଷକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନିଜକୁ ଅର୍ପଣ କରିଥିଲେ। ତାଙ୍କ ଅସମୟ ଦେହାନ୍ତରେ ବି ସେ ଲୋକଙ୍କ ହୃଦୟରେ ଚିର ଅମର ହୋଇ ରହିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଲଳିତ ଦା’ଙ୍କୁ ଏକ ବିରଳ ବ୍ୟକ୍ତିତ୍ବ ବୋଲି କହିଥିଲେ। ସମାଜସେବା ମାଧ୍ୟମରେ ସେ ସମସ୍ତଙ୍କ ହୃଦୟକୁ ଜିତି ପାରିଥିଲେ। ନିଜ ଜୀବନ କାଳରେ ସେ ପ୍ରାୟ ୧୫୪ ଥର ରକ୍ତଦାନ କରିଥିଲେ। ଏମିତିକି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବି ସେ ତାଙ୍କ ପାଖରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ପାଇଁ ଆସିଥିବା ରକ୍ତରୁ ଗୋଟିଏ ୟୁନିଟ୍ ଦାନ କରିଥିଲେ। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ତାଙ୍କୁ ଅନ୍ୟର ସେବା କରିବା ଲାଗି ଜଣେ ବ୍ରାଣ୍ଡ୍‌ର ଅଧିକାରୀ ବୋଲି କହିଥିଲେ। ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ତାଙ୍କୁ ଗରିବ ଲୋକଙ୍କ ସ୍ବର ଭାବେ ଅଭିହିତ କରିଥିଲେ। ପୂର୍ବତନ ବିଧାୟକ ପ୍ରଭାସ କୁମାର ସିଂହ ତାଙ୍କୁ ସାରା ରାଜ୍ୟର ଖଟିଖିଆ, ଦିନ ମଜୁରିଆଙ୍କ ବନ୍ଧୁ ବୋଲି କହିଥିଲେ। ଯାହାର କେହି ନାହିଁ, ତା’ର ଲଳିତ ଦା’ ଅଛି ବୋଲି ଆଜି ତାଙ୍କ ଦେହାନ୍ତରେ ସାରା ଓଡ଼ିଶାରୁ ଲୋକ ଭୁବନେଶ୍ବରରେ ଏକାଠି ହୋଇ ସ୍ମୃତି ଚାରଣ କରୁଛନ୍ତି ବୋଲି ବିଧାୟକ ମହୀଧର ରଣା କହିଥିଲେ।

ଏହି ଶ୍ରାଦ୍ଧୋତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଓ ଗୋପାଳକୃଷ୍ଣ ମହାପାତ୍ର, ଡା. ଜୟନ୍ତ ପଣ୍ଡା, ନଚିକେତା ଶର୍ମା, ବାବୁଲା ଭଂଜ, ବିଙ୍ଗ ହ୍ୟୁମାନ୍‌ ଅର୍ଗାଇନେଜସନ୍‌ର ସୋମନାଥ ଓ ବିବେକ, ବ୍ରହ୍ମା ମେହେର, ଅଚ୍ୟୁତ ମେହେର ଏବଂ ସମାଜସେବୀ ମୀରା ପରିଡ଼ାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ସହିତ ଜଡ଼ିତ ଅନ୍ତରଙ୍ଗ ମୁହୂର୍ତ୍ତ ବାବଦରେ ସ୍ମୃତିଚାରଣ କରିଥିଲେ। ବିଶିଷ୍ଟ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନ କରାଯାଇଥିଲା। ପରେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ୍ ଛୋଟରାୟ ଭାବମୟ ସଙ୍ଗୀତ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ରୀନିବାସ ଘଟୁଆରୀ ସଭା ପରିଚାଳନା କରିଥିଲେ। ସମ୍ବାଦର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର