ସ୍ୱଭାବ କବିଙ୍କୁ ଜନ୍ମମାଟିରେ ‘ସମ୍ବାଦ’ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରପାଲି : କବି ଗଙ୍ଗାଧର ମେହେରଙ୍କ ଜନ୍ମମାଟି ବରପାଲିଠାରେ ‘ସମ୍ବାଦ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସେ କବି ଗଙ୍ଗାଧର ମେହେରଙ୍କ ପ୍ରତିଟି ସ୍ମୃତିପୀଠ ବିକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କବିଙ୍କ ସ୍ମୃତି ବହନ କରୁଥିବା ସମାଧି ପୀଠର ବିକାଶ କାମ ବ୍ୟକ୍ତିଗତ ଭାବେ ସେ ତଦାରଖ କରୁଥିବା ସୂଚନା ଦେଇଥିଲେ। ଏହି ଅବସ‌ରରେ ‘ସମ୍ବାଦ ସମ୍ବଲପୁର ସଂସ୍କରଣ ଶାଖା ପରିଚାଳକ ଗଜେନ୍ଦ୍ରନାଥ ମଲ୍ଲିକ, ଜିଲ୍ଲା ପ୍ରତିନିଧି ଅଞ୍ଜନ ପ୍ରଧାନ, ସହସଂପାଦକ ପ୍ରଦ୍ୟୁମ୍ନ ରାଉତ, ପ୍ରଶାନ୍ତ ମିଶ୍ର, ନରେଶଚନ୍ଦ୍ର ସେଠ, ଡୁଂଗୁରିପାଲି ସାହିତ୍ୟଘରର ପବିତ୍ର ମୋହନ ପାଣ୍ଡିଆ, ବଦ୍ରିନାରାୟଣ ପାଣ୍ଡିଆ, ଅମୂଲ୍ୟ ବେହେରା, ଦେବାଶିଷ ମହାପାତ୍ର, ଉଜ୍ୱଳ ମେହେର, ବରପାଲି ସାହିତ୍ୟଘରର ମହେନ୍ଦ୍ର ମେହେର, ବୀରେନ୍ଦ୍ରନାଥ ନାଗ, ସୁବଳ ମାଝୀ, ସୁରେନ୍ଦ୍ର ମେହେର, ନିରଂଜନ ମେହେର, ଗୁଣନିଧି ମେହେର, ବଳରାମ ପଧାନ, ପଦ୍ମଲୋଚନ ସାହୁ, କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ବଭାବ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଗଙ୍ଗାଧର ଜୟନ୍ତୀ ପାଳିତ: ଗଙ୍ଗାଧର ସାହିତ୍ୟର ଗବେଷଣାକୁ ଗୁରୁତ୍ବ
ବରପାଲି : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମି ଆନୁକୂଲ୍ୟରେ ଜନ୍ମମାଟି ବରପାଲି ଠାରେ ପାଳିତ ହୋଇଛି।

ଏକାଡେମି ତରଫରୁ ସଦସ୍ୟ ବାମାପଦ ତ୍ରିପାଠୀ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଉତ୍ସବର ଉଦ୍‌ଘାଟନ କରି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଗଙ୍ଗାଧର ସାହିତ୍ୟର ଗବେଷଣା ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଲେ, ଗଙ୍ଗାଧର ସାହିତ୍ୟର ପ୍ରତିଟି ଉପାଦାନ ସାହିତ୍ୟିକଙ୍କ ପାଇଁ ପ୍ରେରଣାର ଉତ୍ସ। ଏହି ଉପାଦାନଗୁଡ଼ିକୁ ଗବେଷଣା ମାଧ୍ୟମରେ ହିଁ ପରବର୍ତୀ ପିଢ଼ି ପାଖକୁ ପହଂଚାଇ ହେବ। ମୁଖ୍ୟବକ୍ତା ଅଧ୍ୟାପକ ପ୍ରଦୀପ ହୋତା ନିଜ ବକ୍ତବ୍ୟରେ ଗଙ୍ଗାଧର ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସାହିତ୍ୟକୁ ଆକଳନ ମଣିଷ ନୁହେଁ, ବରଂ ସମୟ କରିଥାଏ। ଗଙ୍ଗାଧର ସାହିତ୍ୟରେ ଶହେ ବର୍ଷର ସମାଜର ଚିତ୍ର ରହିଛି। ସାଧାରଣତଃ ସମାଜ ଅନୁସାରେ ସାହିତ୍ୟ କୃତି ସୃଷ୍ଟି ହୁଏ ବୋଲି ଧାରଣା ରହିଛି। କିନ୍ତୁ ସମାଜ କିଭଳି ହେବା କଥା ତାହା ବିବେଚନା କରିବା ସାହିତ୍ୟ ଓ ସାହିତ୍ୟିକର ଧର୍ମ ବୋଲି ଶ୍ରୀ ହୋତା ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ବକ୍ତା ପ୍ରଫେସର ରଘୁନାଥ ମେହେର ନିଜ ବକ୍ତବ୍ୟରେ ଗଙ୍ଗାଧର ସାହିତ୍ୟର ସୃଜନଶୀଳତା ଏବଂ ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ।

ଶିକ୍ଷକ ଅଶୋକ ପଣ୍ଡା ଅତିଥି ପରିଚୟ, ବାଳକିଶୋର ଖାଡ଼ଙ୍ଗା ସ୍ୱାଗତ ଅଭିଭାଷଣ, ଉତ୍ତର ଗଡ଼ତିଆ ଧନ୍ୟବାଦ ଦେଇଥିଲେ। ଲିଟିଲ୍‌ ଆଞ୍ଜେଲ୍‌ ପବ୍ଲିକ୍‌ ସ୍କୁଲର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର