ଚିର ସବୁଜ, ଚିର କିଶୋର

କିଏ ଜା‌ଣିଥିଲା ରାତିରେ ଯେଉଁ କଲମରୁ ଲେଖା ହୋଇଥିଲା ଶେଷ ‘କଟାକ୍ଷ’, ରାତି ପାହିଲେ ସେ କଲମରୁ କାଳି ସରିଯିବ? କିଏ ଭାବିଥିଲା ଯେଉଁ ତୂଳୀରେ ଅଙ୍କା ହୋଇଥିଲା ଶତସହସ୍ର ରେଖାଚିତ୍ର, ସବୁଦିନ ପାଇଁ ସେ ତୂଳୀ ରଙ୍ଗହୀନ ହୋଇଯିବ? ଯେଉଁ ହସହସ ମୁହଁଟି ଅକାତରେ ହସ ବାଣ୍ଟି ଚାଲିଥିଲା ଏବଂ ନିଃସର୍ତ୍ତ ଭଲପାଇବାରେ ସମସ୍ତଙ୍କୁ ମୁହୂର୍ତ୍ତକ‌େର ଆପଣାର କରି ପାରୁଥିଲା; ଏମିତି ସବୁଦିନ ପାଇଁ ନିରବ ନିସ୍ପନ୍ଦ ହୋଇଯିବ?

କିନ୍ତୁ ‌ହାୟ! ଯାହା କାଲିଯାଏ କେହି କଳ୍ପନା ବି କରି ନ ଥିଲେ, ଅକାଳ ଚଡ଼କ ଭଳି ଆଜି ତାହା ଘଟିଗଲା।

ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ଧରି ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ନିଜର ଶାଣିତ ବ୍ୟଙ୍ଗରେ ପ୍ରତିଦିନ ଲକ୍ଷଲକ୍ଷ ପାଠକଙ୍କୁ ଆମୋଦିତ ଓ ଆନ୍ଦୋଳିତ କରୁଥିବା ‘କଟାକ୍ଷ’ର ସ୍ରଷ୍ଟା ଓଡ଼ିଶାର ଖ୍ୟାତନାମା ବ୍ୟଙ୍ଗ ଚିତ୍ରଶିଳ୍ପୀ କିଶୋର ତାଙ୍କର ଅଗଣିତ ପ୍ରଶଂସକଙ୍କୁ କନ୍ଦାଇ ଆରପାରିକୁ ଚାଲିଗଲେ। ଜୀବନତମାମ ନିଜ ଜୀବନକୁ ନିଜ ଇଚ୍ଛାରେ ଜିଇଁ ଆସୁଥିବା ଚିରସବୁଜ ଚିରକିଶୋର ଏହି ଚିତ୍ରକର ବୋଧହୁଏ ମୃତ୍ୟୁକୁ ବି ଏମିତି ଅକାଳରେ ନିଜ ଇଚ୍ଛାରେ ବରଣ କରିନେଲେ। ଏକାଧାରରେ ଜଣେ କାର୍ଟୁନିଷ୍ଟ, ବ୍ୟଙ୍ଗକବି, ଅଭିନେତା ଓ ଢୁମ୍ପା ସଂଗୀତ ଭଳି ଏକ ଲୁପ୍ତପ୍ରାୟ ଲୋକକଳାର ଆଜୀବନ ପୂଜାରୀ କିଶୋରଙ୍କ ଅବିସ୍ମରଣୀୟ ପ୍ରତିଭାର କିଛି ଝଲକ ସହ ‘ସମ୍ବାଦ’ର ସ୍ବତନ୍ତ୍ର ପ୍ରତିବେଦନ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

 

ସମ୍ବନ୍ଧିତ ଖବର