ଗୋଆ ମୁକ୍ତି ଆନ୍ଦୋଳନର ନେତାଙ୍କୁ ଶ୍ରଦ୍ଧାଞ୍ଜଳି: ବଡ଼ଚଣାର ଗୌରବ ଥିଲେ ସଚ୍ଚିଦାନନ୍ଦ

ଚଣ୍ଡିଖୋଲ: ଗୋଆ ମୁକ୍ତି ଆନ୍ଦୋଳନରେ ସାମିଲ ହୋଇ ଓଡ଼ିଶା ମାଟିର ଗୌରବ ବୃଦ୍ଧି କରିବା ସହିତ ବଡ଼ଚଣା ମାଟିକୁ ଗର୍ବିତ କରିଥିଲେ ସମାଜବାଦୀ ଆନ୍ଦୋଳନର ନେତା ସ୍ବର୍ଗତ ସଚ୍ଚିଦାନନ୍ଦ ରାଉତ। ସ୍ବର୍ଗତ ରାଉତ ଅଶୋକ ମେହେଟାଙ୍କ ଅର୍ଥନୀତିତତ୍ତ୍ୱକୁ ସେତେବେଳେ ଖୋଲାଖୋଲି ସମର୍ଥନ ଜଣାଇ ପଣ୍ଡିତ ଜବାହରଲାଲ ନେହରୁଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ ବୋଲି ବଡ଼ଚଣା ବ୍ଲକ ବରୁଣିଆ ଗ୍ରାମର ସ୍ବର୍ଗତ ସଚ୍ଚିଦାନନ୍ଦ ରାଉତଙ୍କ ୩୭ ତମ ସ୍ମୃତି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି।

ସଚ୍ଚିଦାନନ୍ଦ ସ୍ମୃତି କମିଟି ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକ ସତ୍ୟବାଦୀ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଯୋଗଦେଇଥିଲେ। ସ୍ୱର୍ଗତ ରାଉତ ଭୋଟ ରାଜନୀତିରେ ଅଂଶଗ୍ରହଣ ନକରି ନିଃସ୍ୱାର୍ଥ ସେବକ ଭାବେ ସମାଜସେବା କାର୍ଯ୍ୟ କରି ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ କଂଗ୍ରେସ ନେତା ଶ୍ରୀନାଥ ମିଶ୍ର, ସମ୍ମାନିତ ଅତିଥି କଂଗ୍ରେସ ନେତା ଅଜୟ କୁମାର ସାମଲ, ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ, ଅକ୍ଷୟ କୁମାର ମହାନ୍ତି, ଅନନ୍ତ ଷେଣ୍ଢ, ଅନଙ୍ଗ ପାଢ଼ୀ, ରମେଶ ଚନ୍ଦ୍ର ବିଶ୍ୱାଳ, ପୂର୍ବତନ ସରପଞ୍ଚ ନୀଳମଣି ରାଉତ, ବିଳାସ ଚନ୍ଦ୍ର ବାରିକ ଓ ଅଶୋକ ରାଉତ ଯୋଗଦେଇ ସ୍ବର୍ଗତ ରାଉତଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ‘ସଚ୍ଚିଦାନନ୍ଦ ସଙ୍ଗୀତ ସଦନ ଓ ପାଠାଗାର’ କୁ ଲୋକାର୍ପଣ କରାଯାଇଥିଲା। ସମାଜସେବୀ ପ୍ରିୟନାଥ ପୃଷ୍ଟି ଓ ସୁରେଶ ଚନ୍ଦ୍ର ବିଶ୍ୱାଳଙ୍କୁ ସଚ୍ଚିଦାନନ୍ଦ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ମୃତି କମିଟି ସମ୍ପାଦକ ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁ ଅତିଥି ପରିଚୟ ଓ ସ୍ୱର୍ଗତ ରାଉତଙ୍କ କନିଷ୍ଠ ପୁତ୍ର ନଳିନୀ ରଞ୍ଜନ ରାଉତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର