ଭୁବନେଶ୍ୱର: ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୂର୍ବାଞ୍ଚଳ ଘଞ୍ଚ ଜଙ୍ଗଲରେ ଯେଉଁ ବିପ୍ଳବର ସ୍ୱର ଝଙ୍କୃତ ହୋଇଥିଲା ତାହା ହିଁ ଥିଲା ବ୍ରିଟିସ୍‌ ବିରୋଧରେ ପ୍ରତିବାଦର ସ୍ୱର। ସେତେବେଳେ ଜାଗିରିଦାର, ଜମିଦାର ଓ ଠିକାଦାରମାନେ ମୁଣ୍ଡା ତଥା ଆଦିବାସୀମାନଙ୍କ ଉପରେ ଅତ୍ୟାଚାର 
କରିବା ସହିତ ଶୋଷଣ କରୁଥିଲେ।

Advertisment

ଏହିଭଳି ଏକ ସନ୍ଧିକ୍ଷଣରେ ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଆବିର୍ଭାବ ଘଟିଥିଲା। ସେ ମୁଣ୍ଡା ସମ୍ପ୍ରଦାୟର ନେତୃତ୍ୱ ନେବା ସଙ୍ଗେ ସଙ୍ଗେ ବ୍ରିଟିସ୍‌ ଶାସନର ଅନ୍ୟାୟ ଅତ୍ୟାଚାର ବିରୋଧରେ ସଂଗ୍ରାମ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଇ ଥିଲେ। ମାତ୍ର ୨୫ ବର୍ଷ ବୟସରେ ସେ ସହିଦ ହୋଇଥିଲେ। ଆଜି ସେ ଆଦିବାସୀମାନଙ୍କ ନିମନ୍ତେ ଗୌରବମୟ ପରିଚୟ ଓ ଭବିଷ୍ୟତ ପିଢ଼ିଙ୍କ ନିମନ୍ତେ ଆଲୋକବର୍ତ୍ତିକା। ସେ ‘ବିର୍ସା ଭଗବାନ’ ଭାବେ ଓଡ଼ିଶା ତଥା ବିଭିନ୍ନ ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ପୂଜା ପାଉଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ସହିଦ ବିର୍ସା ମୁଣ୍ଡାଙ୍କ ଶ୍ରାଦ୍ଧ ଦିବସରେ ଯୋଗ ଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଓଡ଼ିଶା ବିଧାନସୌଧ ସମ୍ମୁଖରେ ଥିବା ସହିଦଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି  ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପବାଚସ୍ପତି ଭବାନୀଶଙ୍କର ଭୋଇ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଧାୟକ ବାବୁ ସିଂହ, ଦୁଷ୍ମନ୍ତ ସ୍ୱାଇଁ, ସରୋଜ ପାଢ଼ୀ, ଦୁର୍ଗା ଚରଣ ତନ୍ତୀ, ରୁପୁ ଭତ୍ରା, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ଓ ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।