ସହିଦ କୋଭିଡ୍‌ ଯୋଦ୍ଧାଙ୍କୁ ସବୁ ମହଲରେ ଦିଆଗଲା ଶ୍ରଦ୍ଧାଞ୍ଜଳି; ନିରବ ପ୍ରାର୍ଥନା କଲା ସାରା ଓଡ଼ିଶା

ମୁଁ ଜଣେ ଓଡ଼ିଶାବାସୀ...କରୋନା ବିରୋଧୀ ଲଢ଼େଇ ପାଇଁ ସମସ୍ତେ ଶପଥ ନେଲେ

କୋଭିଡ୍‌ ଯୋଦ୍ଧାଙ୍କ ବଳିଦାନ ବ୍ୟର୍ଥ ହେବାକୁ ଦେବୁ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଁ ଜଣେ ଓଡ଼ିଶାବାସୀ ଭାବରେ ଶପଥ କରୁଛି ଯେ କୋଭିଡ୍‌ ଯୋଦ୍ଧାମାନଙ୍କୁ ପୂରା ସହଯୋଗ ଓ ସମ୍ମାନ ଦେବି….କୋଭିଡ୍‌ ଲଢ଼େଇ ଆମ ସମସ୍ତଙ୍କ ଲଢ଼େଇ….।

ସମୟ ଠିକ୍ ସନ୍ଧ୍ୟା ୬ ଟା। ଅଟକିଗଲା ସାରା ଓଡ଼ିଶା। ଏକବିଂଶ ଶତାବ୍ଦୀରେ ମଣିଷ ସମାଜ ଲଢ଼ୁଥିବା ସବୁଠାରୁ ବଡ଼ ଯୁଦ୍ଧରେ ଯୋଦ୍ଧା ସାଜି ନିଜ ଜୀବନ ହରାଇବା ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସବୁ ଓଡ଼ିଆ ଏକ ମିନିଟ୍ ନିରବ ପ୍ରାର୍ଥନା କଲେ। ୬ ଟା ୧ରେ କୋଭିଡ୍‌ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ଶପଥ ପାଠ କଲେ। ଉତ୍ସର୍ଗୀକୃତ ମନୋଭାବ, ତ୍ୟାଗ ଓ ନିଷ୍ଠାର ସହ ଲୋକଙ୍କ ସେବା କରୁଥିବା ଯୋଦ୍ଧାମାନଙ୍କୁ ଶପଥ ପାଠ ମାଧ୍ୟମରେ ଉତ୍ସାହିତ କରିଥିଲେ। ପୁଣି ଏହି ଲଢ଼େଇରେ କୋଭିଡ୍‌ ନିୟମାବଳୀକୁ ମାନିବାକୁ…ନିଜେ ଜିତି ଓଡ଼ିଶା ଓ ମାନବ ସମାଜକୁ ଜିତାଇବାକୁ ସମସ୍ତେ ଶପଥ ନେଇଥିଲେ।

ଆଜି ଓଡ଼ିଶାରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାର ଟପିଛି। ହଜାର ହଜାର କୋଭିଡ୍‌ ଯୋଦ୍ଧାମାନଙ୍କ ପ୍ରତିବଦ୍ଧତା ଓ ନିଷ୍ଠା ଯୋଗୁ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପୁଣି ଏହି ଲମ୍ବା ଲଢ଼େଇରେ ୨୫ ଜଣ ଯୋଦ୍ଧା ଜୀବନ ହରାଇ ସାରିଲେଣି। ତେଣୁ ଏହି ପରିପ୍ରେକ୍ଷୀରେ ଏକ ମିନିଟ୍‌ ନିରବ ପ୍ରାର୍ଥନା ସହ ଶପଥପାଠ କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ସାରା ରାଜ୍ୟ ସମ୍ମାନ ଜଣାଇଥିଲା। ଦଳମତ, ବୟସ, ବର୍ଗ ନିର୍ବିଶେଷରେ ସବୁ ଓଡ଼ିଆ ଏଥି‌ରେ ସାମିଲ ହୋଇଥିଲେ। ରାସ୍ତାଘାଟ, ଅଫିସ୍‌, ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁଠି ଲୋକମାନେ ୬ଟା ବେଳେ ଠିଆ ହୋଇ ନିରବ ପ୍ରାର୍ଥନା କରିଥିଲେ। ନିଜେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ। ନବୀନ ନିବାସରୁ ଟିଭି ଓ ସୋସିଆଲ୍‌ ମିଡିଆ ଜରିଆରେ ଶ୍ରୀ ପଟ୍ଟନାୟକ ଶପଥ ପାଠ କରାଇଥିଲେ।

ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନିରବ ପ୍ରାର୍ଥନା ଓ ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। କର୍ମଚାରୀମାନେ ଓ ଅନ୍ୟ ଅଧିକାରୀମାନେ ନିଜ ନିଜ ବିଭାଗରେ ଶପଥ ପାଠ କରିଥିଲେ। ଖାରବେଳ ଭବନ, ରାଜୀବ ଭବନ ଓ ଲୋକସମ୍ପର୍କ ଭବନରେ ଥିବା ସରକାରୀ ବିଭାଗଗୁଡ଼ିକରେ ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ। ରାଜ୍ୟସାରା ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପୂର୍ବରୁ ନିର୍ଦ୍ଦେଶ ଜାରି ହୋଇଥିଲା। ସେହି ଅନୁଯାୟୀ ରାଜ୍ୟତମାମ ସବୁ ସରକାରୀ କାର୍ଯ୍ୟ‌ାଳୟ‌େର ଆବଶ୍ୟକ ପ୍ରସ୍ତୁତି କରାଯାଇଥିଲା। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ନିରବ ପ୍ରାର୍ଥନା କରାଯିବା ସହ ଶପଥ ପାଠ କରାଯାଇଥିଲା।

ଜୀବନକୁ ବାଜି ଲଗାଇ ସେବା କରୁଥିବା କୋଭିଡ୍‌ ଯୋଦ୍ଧାମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଛନ୍ତି ଯେ ଗତ ୫ ମାସ ଧରି ଓଡ଼ିଶା କୋଭିଡ୍‌ ବିରୋଧରେ ଲଢ଼େଇ ଜାରି ରଖିଛି। ଏହି ଲଢ଼େଇର ଆଗ ଧାଡ଼ିରେ ରହିଥିବା କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁ ଆଜି ରାଜ୍ୟରେ କୋଭିଡ୍‌ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି। ଏହା କୋଭିଡ୍‌ ଯୁଦ୍ଧର ଏକ ମହତ୍ତ୍ବପୂର୍ଣ୍ଣ ଘଟଣା। ଏହାର ସବୁ ଶ୍ରେୟ କୋଭିଡ୍‌ ଯୋଦ୍ଧା ଓ ଓଡ଼ିଶାବାସୀଙ୍କର। କୋଭିଡ୍‌ ଲଢ଼େଇରେ ୨୫ ଜଣ ଯୋଦ୍ଧା ସେମାନଙ୍କ ଜୀବନ ବଳିଦାନ ଦେଇ ସେବା, ତ୍ୟାଗ ଓ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର