ଭୁବନେଶ୍ବର: ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର ଆଜି ସଂଧ୍ୟାରେ ବିମାନ ଯୋଗେ ଚେନ୍ନାଇରୁ ଭୁବନେଶ୍ବର ଅଣାଯାଇଛି। ଏହାପରେ ରାଣୀଙ୍କ ପାର୍ଥିବ ଶରୀରକୁ ଶେଷ ଶୋଭଯାତ୍ରାରେ ଶଙ୍ଖ ଭବନ ଅଣାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତାମାନେ ରାଣୀଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଏହି ଅବସରରେ ବାଚସ୍ପତି ପ୍ରମିଳା ମଲ୍ଲିକ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ କେ.ନାରାୟଣ ରାଓ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସୁରେଶ କୁମାର ରାଉତରାୟ, ପଦ୍ମନାଭ ବେହେରା, ଶଶୀଭୂଷଣ ବେହେରା, ଅନନ୍ତ ନାରାୟଣ ଜେନା, ଲତିକା ପ୍ରଧାନ, ବିକ୍ରମ ପଣ୍ଡା, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟା‌ଉପଟ୍ଟନାୟକ, ନନ୍ଦିନୀ ଦେବୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରଭାତ କୁମାର ବିଶ୍ବାଳ, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ରାଣୀଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ରାଣୀଙ୍କ ପାର୍ଥିବ ଶରୀରକୁ ଖଲ୍ଲିକୋଟ ଅଭିମୁଖେ ନିଆଯାଇଛି।