କୋହ ଆଉ କ୍ରୋଧ : ୯ଘଣ୍ଟା ଧରି ବିମାନବନ୍ଦର ଲୋକାରଣ୍ୟ, ପାକିସ୍ତାନ, ଆତଙ୍କବାଦ ବିରୋଧରେ ଗର୍ଜନ

ଭୁବନେଶ୍ବର : ପରିବାର ଲୋକଙ୍କ କାନ୍ଦରେ ଫାଟିଫଡୁଥିଲା ଅଞ୍ଚଳ। ସାନ୍ତ୍ବନା ଦେଉଥିବା ସିଆର୍‌ପିଏଫ୍ ଯବାନ ବି ନିଜର ଲୁହକୁ ଚାପି ପାରୁନଥିଲେ। ଯାହାକୁ ଦେଖିଲେ, ତା ଆଖିରେ ଥିଲା ଆଖିଏ ଲୁହ, କିନ୍ତୁ ମୁହଁରେ କ୍ରୋଧ ଟକ୍ ମକ୍ ହୋଇ ଫୁଟୁଥିଲା। ସତେ ଯେମିତି, ଆତଙ୍କବାଦୀ ସାମ୍ନାରେ ପଡିଲେ ଦଳି ଚକଟି ମାଟିରେ ମିଶାଇଦେବେ। କାନ୍ଦ, କୋହର ଏହି ପରିବେଶକୁ ଅଧିକ ଗମ୍ଭୀର କରିଦେଉଥିଲା। ଏହାସହିତ ପାକିସ୍ତାନ ଓ ଆତଙ୍କବାଦ ବିେରାଧୀ ଗର୍ଜନରେ ମଧ୍ୟ କମ୍ପୁଥିଲା।

ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ। ଶନିବାର ସକାଳ ପାଖାପାଖି ସାେଢ ସାତଟାରୁ ଅପରାହ୍ନ ୪ ଟାଯାଏ ଭୁବନେଶ୍ବର ବିମାନ ବନ୍ଦରର ଚିତ୍ର ଥିଲା ଏମିତି। ପୁଲଵାମା ଉଗ୍ରପନ୍ଥୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଶାର ଦୁଇ ବୀର ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ ବେହେରାଙ୍କ ପାର୍ଥିବ ଶରୀର ବିମାନବନ୍ଦରରେ ପହଞ୍ଚି ଜନ୍ମମାଟିକୁ ଯିବା ପର୍ଯ୍ୟନ୍ତ ପାଖାପାଖି ୯ ଘଣ୍ଟାର ଏହି ଦୃଶ୍ୟ ଆଜି ଆତଙ୍କବାଦୀ ଆକ୍ରମଣ ଘଟଣାରେ ଓଡ଼ିଶାର ଭୀଷଣ ମାନସିକତାକୁ ପ୍ରକଟ କରିଛି। ଛାତି ଭିତରେ କୋହ ଚାପି ଯୁବକ, ଛାତ୍ର, ବରିଷ୍ଠ, ଯବାନ କେତେବେଳେ ଗର୍ଜିୁଥିଲେ ତ ଆଉ କେତେବେଳେ ସହିଦ ଯବାନଙ୍କ ମାଆ ଓ ପରିବାରର ଭୋ ଭୋ କାନ୍ଦକୁ ଦେଖି ଧୈର୍ଯ୍ୟ ହରାଇ ବସୁଥିଲେ। ଲୁହ ଆଖିର ସୀମା ଚଉହଦକୁ ଟପି ଠପ୍ ଠପ୍ ହୋଇ ତଳେ ପଡୁଥିଲା।

ପୁଲଵାମା ଆକ୍ରମଣ ଘଟଣାରେ ୩୬ ଘଣ୍ଟା ଧରି ମନ ଭିତର କୋହ, କ୍ରୋଧ ଚାପି ରଖିଥିବା ଓଡ଼ିଆ ଯେମିତି ଆଜି ଯବାନଙ୍କ ମୃତ୍ୟୁର ଜବାବ ମାଗୁଥିଲା। ଦଳମତ ନିର୍ବିେଶଷରେ ଉପସ୍ଥିତ ରାଜନୈତିକ ଦଳର ନେତାମାନେ ମଧ୍ୟ ଘଟଣାକୁ ଘୋର ନିନ୍ଦା କରି ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ବେଳେ କେଇ ମୁହୂର୍ତ ପାଇଁ ରାଗରେ ଥରି ଉଠୁଥିଲେ।

ବିଜୁ ପଟ୍ଟନାୟକ ବିମାନ ବନ୍ଦର ଦେଇ ଅନେକ ସହିଦଙ୍କ ମରଶରୀର ଓଡ଼ିଶା ଆସିଛି। କିନ୍ତୁ ଆଜି ଭଳି ଭାବଗମ୍ଭୀର ପରିବେଶ ଆଗରୁ କେବେ ଦେଖାଯାଇନଥିଲା। ଦିନ େଯତିକି ବଢୁଥିଲା, େଲାକଙ୍କ ସଂଖ୍ୟା ସେତିକିି ବୃଦ୍ଧି ପାଉଥିଲା। ଏମିତି ପରିବେଶ ଭିତରେ ସହିଦ ଯବାନଙ୍କ ପାର୍ଥିବ ଶରୀର ଆଜି ଅପରାହ୍ନ ପ୍ରାୟ ୩ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା।

ବାୟୁ ସେନାର ସ୍ବତନ୍ତ୍ର ବିମାନରେ ଯବାନଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ରାଞ୍ଚି ଆସିବା ପରେ ସେଠାରୁ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବର ଅଣାଯାଇଥିଲା। ସେଠାରେ ସିଆରପିଏଫ୍, ଭାରତୀୟ ବାୟୁ ସେନା, ଓଡ଼ିଶା ପୁଲିସ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସିଆରପିଏଫ୍ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା, ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ପୁଲିସ ଡିଜି ଆର୍‌.ପି ଶର୍ମା, ପୁଲିସ କମିସନର ସତ୍ୟଜିତ ମହାନ୍ତି, ସିଆରପିଏଫ୍‌ ଆଇଜି (ଓଡ଼ିଶା ସେକ୍ଟର) ଭିତୁଲ କୁମାର, ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ, ପୂର୍ବତନ ସିଆରପିଏଫ୍‌ ଡିଜି ପ୍ରକାଶ ମିଶ୍ର, ପୂର୍ବତନ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସିଆରପିଏଫ୍‌ର ବରିଷ୍ଠ ଅଧିକାରୀମାନେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବିମାନବନ୍ଦରରେ ଉପସ୍ଥିତ ଦୁଇ ସହିଦ ଯବାନଙ୍କ ପରିବାରବର୍ଗ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହି ସମୟରେ ହାତରେ ତ୍ରିରଙ୍ଗା ଧରି କମ୍ପିଥିଲେ ଜନତା। ଚିତ୍କାର କରି ହଜାର ହଜାର ଲୋକ ଏକାସାଙ୍ଗରେ କହୁଥିଲେ ଇଣ୍ଡିଆନ ଆର୍ମି ଆଗେ ବଢ଼ୋ, ହମ୍‌ ତୁମ୍‌ହାରେ ସାଥ୍‌ ହୈଁ। ଚୁନ୍ ଚୁନ୍ କେ ଆତଙ୍କିଓଁ କୋ ମାରୋ, ହମ୍‌ ତୁମ୍‌ହାରେ ସାଥ୍‌ ହୈଁ। ହିନ୍ଦୁସ୍ତାନ ଜିନ୍ଦାବାଦ, ପାକିସ୍ତାନ ମୁର୍ଦ୍ଦାବାଦ। ସହିଦ୍‌ ତୁମ୍‌ ଅମର୍‌ ହୋ। ଏହି ଭିଡ େକଉଁଠି ନା େକଉଁଠି ସୂଚାଇ ଦେଉଥିଲା, ଆତଙ୍କବାଦ ବିେରାଧରେ ଦଳମତ, ଧର୍ମ, ବର୍ଣ୍ଣ ଓ ବୟସ ନିର୍ବିେଶଷରେ ଓଡ଼ିଶାର ମତ ଏକ।

ବିମାନବନ୍ଦରରେ ପ୍ରାୟ ୪୫ମିନିଟ ପର୍ଯ୍ୟନ୍ତ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସମସ୍ତଙ୍କୁ ସୁଯୋଗ ଦିଆଯାଇଥିଲା। ଏହାପରେ ସିଆରପିଏଫ୍‌ର ସ୍ବତନ୍ତ୍ର ଗାଡ଼ିରେ ଦୁଇ ଯବାନଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ପୈତୃକ ଗାଁକୁ ନିଆଯାଇଥିଲା।

ଅନୁରୂପ ପରିସ୍ଥିତି ସୃଷ୍ଟି େହାଇଥିଲା େଯତେବେଳେ ଯବାନଙ୍କ ମରଶରୀର ଜନ୍ମମାଟିକୁ ଯାଉଥିଲା। ରାସ୍ତାର ଉଭୟ ପାର୍ଶ୍ବ ଠାରୁ ଆରମ୍ଭ କରି ନିକଟସ୍ଥ େକାଠା ଉପରେ େଲାକେ ଆତଙ୍କବାଦ ବିେରାଧ ଲଢି ଅମର େହାଇଥିବା ଏହି ଯବାନଙ୍କ ସ୍ମୃତି ଚାରଣ କରିବା ସହିତ ଲୁହଭିଜା ଆଖିରେ ସେମାନଙ୍କୁ େଶଷ ସମ୍ମାନ ଜଣାଉଥିଲେ। ବିଳମ୍ବିତ ରାତ୍ରିେର ଦୁଇ ଯବାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆଯିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର