କଟକ/ନରସିଂହପୁର : ଆତଙ୍କ ଖେଳାଇଛି ବାଘୁଣୀ ‘ସୁନ୍ଦରୀ’। ନରସିଂହପୁର ବ୍ଲକ୍‌ ସାତକୋଶିଆ ଅଭୟାରଣ୍ୟ ପାଶ୍ବବର୍ତ୍ତୀ ଗାଁଗୁଡିକରେ ଭୟ ଓ ଆତଙ୍କର ବାତାବରଣ ଦେଖାଦେଇଛି। ସ୍କୁଲ ମାଡୁନାହାନ୍ତି ପିଲା। ତିନିଦିନ ହେଲା ବଡଭୂଇଁ, ଜୟପୁର, ନୂଆବଡଭୂଇଁ, ବୀରସିଂହପୁର ଅଞ୍ଚଳର ସ୍କୁଲଗୁଡିକୁ ଶିକ୍ଷକମାନେ ଯାଉଥିଲେ ମଧ୍ୟ ପିଲାମାନେ ଅନୁପସ୍ଥିତ ରହୁଛନ୍ତି। ଏପଟେ ବନ ବିଭାଗ ପକ୍ଷରୁ ମଧ୍ୟ ଜଙ୍ଗଲକୁ ନଯିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି।

Advertisment

ନରସିଂହପୁର ବ୍ଲକ୍‌ର ସାତକୋଶିଆ ଜଙ୍ଗଲ ଓ ଆଖପାଖ ଗାଁରେ ଦୁଇ ଦିନ ଧରି ସୁନ୍ଦରୀ ବୁଲୁଥିବା ବେଳେ ଆଜି ସେ ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ରେଞ୍ଜ ଟୁଲକା ପାହାଡରେ ବୁଲୁଥିବା ଦେଖିବାକୁ ମିଳିଛି। ୫କିଲୋମିଟର ଜଙ୍ଗଲ ରାସ୍ତା ସହ ଶୁଳିଆ ଘାଟି ଦେଇ ବଡଭୂଇଁ ବିଦ୍ୟାଳୟକୁ ପଢିବା ପାଇଁ ଆସିଥାନ୍ତି ପିଲା। ସୁନ୍ଦରୀ ବୁଲୁଥିବା ଖବର ପାଇବା ପରେ ଅଭିଭାବକ ଭୟରେ ପିଲାଙ୍କୁ ସ୍କୁଲକୁ ପଠାଉନାହାନ୍ତି। ଉକ୍ତ ବ୍ଲକ୍‌ର ବଡଭୂଇଁ, ନୂଆବଡଭୂଇଁ, ଜୟପୁର, ବୀରସିଂହପୁର ଅଂଚଳ‌େର ଏଭଳି ଜଙ୍ଗଲ ରାସ୍ତା ହେଇ ପିଲା ସ୍କୁଲ ଆସୁଥିବାରୁ ପିଲାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ। ତିନିଦିନ ହେଲା ବଡଭୂଇଁର ହୃଷିକେଶ ହାଇସ୍କୁଲ, ନୂଆ ବଡଭୂଇଁର ପ୍ର‌କଳ୍ପ ପ୍ରାଥମିକ ବିଦ୍ୟାଳୟ, ପ୍ରଗଳା ମଧ୍ୟ ଇଂଗ୍ରାଜୀ ସ୍କୁଲ, ବୀରସିଂହପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହୋଇଛି ଅଘୋଷିତ ଛୁଟି । କେବଳ ସ୍କୁଲ ପିଲା ନୁହନ୍ତି, ଭୟରେ ଜଙ୍ଗଲ ମାଡୁନାହାନ୍ତି ଅଞ୍ଚଳବାସୀ। ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୁନ୍ଦରୀର ଗତିବିଧି ଉପରେ ନଜର ରଖାଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ମଧ୍ୟ ସୁନ୍ଦରୀର ଗତିବିଧି ଉପରେ ନଜର ରଖାଯାଇଛି । ଲୋକଙ୍କୁ ଜଙ୍ଗଲକୁ ନଯିବା ପାଇଁ ବାରଣ କରାଯାଇଥିବା ଏସିଏଫ୍ ପୂର୍ଣ୍ଣଚନ୍ଦ୍ର ଗୁରୁ ସୂଚନା ଦେଇଛନ୍ତି।