ସମ୍ମାନ ଦେବାରେ ଏତେ କାର୍ପଣ୍ୟ? ତ୍ରିଲୋଚନ ପ୍ରଧାନ, ଜି ସି ମିତ୍ରଙ୍କୁ ମିଳିଲାନି ରାଷ୍ଟ୍ରୀୟ ସମ୍ମାନ

ପଦ୍ମ ବିଜେତା ବି ସରକାରଙ୍କ ପାଇଁ ଅଲୋଡ଼ା
ସରକାରୀ ବ୍ୟବସ୍ଥାରେ ହୀନମନ୍ୟତା ବଢ଼ୁଛି

ଭୁବନେଶ୍ୱର,(ଚୌଧୁରୀ ଅମିତାଭ ଦାସ): ପ୍ରଫେସର ତ୍ରିଲୋଚନ ପ୍ରଧାନ। ବିଜ୍ଞାନ ପ୍ରତି ତାଙ୍କର ଅବଦାନ ଯେତେ କହିଲେ ବି କମ୍ ହେବ। ତାଙ୍କୁ ବାଦ୍ ଦେଇ ଓଡ଼ିଶାର ଉଚ୍ଚଶିକ୍ଷା ଓ ବିଜ୍ଞାନର ଇତିହାସ ଲେଖାଯାଇପାରିବନି। ଭାରତ ସରକାର ମଧ୍ୟ ତାଙ୍କ ଅବଦାନକୁ ସ୍ବୀକୃତି ଦେଇ ୧୯୯୦ ମସିହାରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।

ଡ. ଗୋପାଳ ଚନ୍ଦ୍ର ମିତ୍ର। ସାଧାରଣରେ ଜି ସି ମିତ୍ର ନାମରେ ବେଶ୍ ପରିଚିତ। ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଅବଦାନ ଅନସ୍ବୀକାର୍ଯ୍ୟ। ବିଶେଷ କରି ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରର ଗର୍ଭଗୃହ ସଂରକ୍ଷଣ କାର୍ଯ୍ୟରେ ତାଙ୍କର ନିଷ୍ଠା ଓ କାର୍ଯ୍ୟକୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ବିଜ୍ଞାନ ଓ ଯାନ୍ତ୍ରିକ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନକୁ ସ୍ବୀକୃତି ଦେଇ ୨୦୦୩ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ।

ନିଜ ନିଜ କ୍ଷେତ୍ରରେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିବା ଏହି ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କର ଗତ ଡିସେମ୍ବର ମାସରେ ପରଲୋକ ହେଲା। ପ୍ରଥମ ସପ୍ତାହରେ ପ୍ରଫେସର ପ୍ରଧାନ ଓ ଶେଷ ସପ୍ତାହରେ ଡ. ମିତ୍ରଙ୍କର। କିନ୍ତୁ ଉଦବେଗର ବିଷୟ ‌ଯେ ରାଜ୍ୟ ସରକାର ଉଭୟଙ୍କୁ ଯଥୋଚିତ ସମ୍ମାନ ଦେଲେନାହିଁ। ଉଭୟଙ୍କ ଶେଷକୃତ୍ୟ ବେଳେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବାକୁ ଉଚିତ ମଣିଲେ ନାହିଁ। ଶେଷ ଦର୍ଶନ କରିବା ଲାଗି ମନ୍ତ୍ରୀଙ୍କ ମଧ୍ୟରୁ କାହାରିକୁ ସମୟ ମିଳିଲା ନାହିଁ। ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ଘର କିମ୍ବା ଶ୍ମଶାନ ଯାଇ ଫୁଲତୋଡ଼ାଟିଏ ଦେବାକୁ କୁଣ୍ଠାବୋଧ କଲେ। ଏହି ଦୁଇ ବିଶିଷ୍ଟ ବ୍ୟକ୍ତି ରାଜ୍ୟର ବୌଦ୍ଧିକ ସମ୍ପତ୍ତି ଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ସେମାନଙ୍କ କ୍ଷେତ୍ରରେ ଏଭଳି ଅ‌ବହେଳା ସରକାରୀ ବ୍ୟବସ୍ଥାର ହୀନମନ୍ୟତା ସୂଚାଉଛି ବୋଲି ଅଭିଯୋଗ ହେଉଛି। ଜ୍ଞାନୀ ଗୁଣୀ ଲୋକଙ୍କ ପ୍ରତି ସରକାରଙ୍କର ଏପରି ବେପରୱା ଆଭିମୁଖ୍ୟ ଓ ସମ୍ମାନ ଦେବାରେ କାର୍ପଣ୍ୟ ରାଜ୍ୟର ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଭବିଷ୍ୟତ ପିଢ଼ି ପାଇଁ ଏହା ଏକ ଭୁଲ୍ ପରମ୍ପରା ସୃଷ୍ଟି କରୁଛି ବୋଲି ସେମା‌ନେ ଅଭିଯୋଗ କରିଛନ୍ତି।

ସାଧାରଣତଃ ପଦ୍ମ ସମ୍ମାନ ବିଜେତାଙ୍କର ପରଲୋକ ହେଲେ ସେମାନଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ କରାଯାଏ। ପୁଲିସ୍ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯାଏ। ସରକାରଙ୍କର ପ୍ରତିନିଧି ଭାବେ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରୁହନ୍ତି। ପଦ୍ମ ବିଜେତାଙ୍କୁ ଏପରି ସମ୍ମାନ ଦେବା ପାଇଁ କୌଣସି ଆଇନଗତ ବ୍ୟବସ୍ଥା ନ ଥିଲେ ମଧ୍ୟ ଏହା ଏକ ଜାତିର ଅସ୍ମିତାର ପ୍ରସଙ୍ଗ ହୋଇଯାଇଛି। କୃତୀ ବ୍ୟକ୍ତିଙ୍କୁ ଶେଷ ବିଦାୟ ବେଳେ ଏପରି ସମ୍ମାନ ଦେଇ ସରକାର ଏକ ଉଚ୍ଚ ନୈତିକତାର ପରମ୍ପରା ଦେଖାନ୍ତି। ଓଡ଼ିଶାରେ ଏହା ଏକ ପରମ୍ପରା ଭାବେ ମଧ୍ୟ ରହି ଆସିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସେହି ପରମ୍ପରାକୁ ଏବେ ଦଳିମକଚି ଦିଆଯାଇଛି। ନିଜ ମାଟିର କୃତୀ ସନ୍ତାନଙ୍କୁ ଶେଷ ସମୟରେ ଟିକେ ସମ୍ମାନ ଦେବାକୁ ବି କୁଣ୍ଠାବୋଧ କରିବା ଆଶ୍ଚର୍ଯ୍ୟର ବିଷୟ। ତେ‌ବେ ପ୍ରଶ୍ନ ଉଠୁଛି, ବାସ୍ତବରେ ସରକାରୀ ବ୍ୟବସ୍ଥାରେ ଥିବା ବ୍ୟକ୍ତିମାନେ ଏଇ ମାଟିର ପ୍ରତିଭାଧର ବ୍ୟକ୍ତିମାନଙ୍କୁ ଜାଣନ୍ତି ନାହିଁ ନା ଜାଣିଶୁଣି ସମ୍ମାନ ଦେବାକୁ କୁଣ୍ଠାବୋଧ କରୁଛନ୍ତି? ଦେଢ଼ ବର୍ଷ ତଳେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କୁ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଗାର୍ଡ ଅଫ୍ ଅନର୍ ଦିଆଗଲା ବେଳେ ସୌଜନ୍ୟ ଦୃଷ୍ଟିରୁ ଜଣେ ବି ମନ୍ତ୍ରୀ ସେଠାରେ ଉପସ୍ଥିତ ନ ଥିଲେ।

ଏମିତିରେ ବି ନିଜ ଜାତିର ଚିର ନମସ୍ୟ ବ୍ୟକ୍ତିତ୍ବମାନଙ୍କୁ ଯଥୋଚିତ ସମ୍ମାନ ନ ଦେଇପାରିବାର ଅପବାଦ ଆମେ ସବୁବେଳେ ମୁଣ୍ଡାଇ ଆସିଛୁ। ଅନ୍ୟ ରାଜ୍ୟରେ ଦିବଂଗତ ବରପୁତ୍ରଙ୍କ ସ୍ମୃତିପୀଠ ଓ ସ୍ମାରକସ୍ଥଳ ସେହି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଛି। ସେଠାକାର ସରକାର ତାହାକୁ ଏପରି ଭାବେ ଗଢ଼ିଛନ୍ତି ଯେ ବହୁ ସଂଖ୍ୟାରେ ପର୍ଯ୍ୟଟକ, ସାଧାରଣ ଜନତା ସେଠାକୁ ଯାଉଛନ୍ତି ଓ ସେହି ବ୍ୟକ୍ତିଙ୍କ ଅବଦାନକୁ ନିକଟରୁ ଦେଖୁଛନ୍ତି। କିନ୍ତୁ ଆମ ରାଜ୍ୟରେ ସେମିତି ଉଦାହରଣ ବିରଳ। ଓଡ଼ିଶାରେ କୌଣସି ବରପୁତ୍ରଙ୍କ ସାଧନାସ୍ଥଳ, ଜନ୍ମପୀଠ ପର୍ଯ୍ୟଟକ କିମ୍ବା ସାଧାରଣ ଜନତାଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇପାରି ନାହିଁ। ଅନେକ ବିଶ୍ବସ୍ତରର ନିର୍ମାଣ ଏବେ କରାଯାଉଥିଲେ ବି ବରପୁତ୍ରଙ୍କ ସ୍ମାରକସ୍ଥଳକୁ ବିଶ୍ବସ୍ତରର କରିବା ପାଇଁ ହାତ ଯାଇନି। କିଛି ବରପୁତ୍ରଙ୍କ ଜନ୍ମପୀଠର ନାମକୁ ମାତ୍ର ଭିତ୍ତିଭୂମିର ବିକାଶ କରାଯାଇଛି। ସେଥିପାଇଁ ଓଡ଼ିଆ ଅସ୍ମିତା ଉପରେ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଏବେ ପୁଣି ସେହି ଅଲୋଡ଼ା ଧାରାରେ ପଦ୍ମବିଜେତାଙ୍କୁ ସମ୍ମାନ ପ୍ରଦର୍ଶନ କରା ନ ଯିବାର ପରମ୍ପରା ଯୋଡ଼ି ହୋଇଯାଇଛି। ଜୀବନତମାମ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରି ରାଜ୍ୟର ଗୌରବ ବୃଦ୍ଧି କରିଥିବା ଓଡ଼ିଆଙ୍କ ପ୍ରତି ଆମ ଶାସନ ବ୍ୟବସ୍ଥାର ଉଦାସୀନତା ଭବିଷ୍ୟତ ପାଇଁ ଏକ ଭୁଲ୍ ଉଦାହରଣ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର