ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ; ନିର୍ଦ୍ଧାରିତ ସମୟରେ ଦାଖଲ ହୋଇ ପାରିଲା ନାହିଁ ଚାର୍ଜସିଟ

କଟକ: ଆୟ ବହୁର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ସିଗ୍ନାଲ ବିଭାଗର ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଜାମିନ ମିଳିଛି। ନିର୍ଦ୍ଧାରିତ ସମୟରେ ତଦନ୍ତକାରୀ ସଂସ୍ଥା ଚାର୍ଜସିଟ ଦାଖଲ କରି ନଥିବାରୁ ଶ୍ରୀ ମିଶ୍ରଙ୍କୁ ଆଜି କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିର୍ଦ୍ଧାରିତ ୬୦ ଦିନ ଭିତରେ ତଦନ୍ତକାରୀ ସଂସ୍ଥା ଚାର୍ଜସିଟ ଦାଖଲ କରି ନଥିବାରୁ ସିଆରପିସିର ଧାରା ୧୬୭(୨)ରେ ଜାମିନ ମଞ୍ଜୁର କରାଯାଉ ବୋଲି ଦର୍ଶାଇ ଶ୍ରୀ ମିଶ୍ରଙ୍କ ତରଫରୁ ଅଦାଲତରେ ଆବେଦନ କରାଯାଇଥିଲା। ଅଦାଲତ ଆବେଦନର ଶୁଣାଣି କରି ଶ୍ରୀ ମିଶ୍ରଙ୍କୁ ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୯ କୋଟି ୫ ଲକ୍ଷ ୨୯ ହଜାର ୭୩ ଟଙ୍କାର ଆୟ ବହୁର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ରହିଛି ଶ୍ରୀ ମିଶ୍ରଙ୍କ ବିରୋଧରେ। ତାଙ୍କୁ ଭିଜିଲାନ୍ସ ଫେବ୍ରୁଆରି ୧୬ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ପାଇଁ ଶ୍ରୀ ମିଶ୍ର ପୂର୍ବରୁ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ କରିଥିବା ଆବେଦନ ଫେବ୍ରୁଆରି ୨୪ରେ ଖାରଜ ହୋଇଥିଲା। ଏହାପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଏହି ଆବେଦନ ବିଚାରାଧୀନ ରହିଥିବା ବେଳେ ନିର୍ଦ୍ଧାରିତ ସମୟ ଭିତରେ ଚାର୍ଜସିଟ ଦାଖଲ ହୋଇ ନଥିବାରୁ ଶ୍ରୀ ମିଶ୍ରଙ୍କ ତରଫରୁ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ସାନି ଆବେଦନ ଦାୟର କରାଯାଇଥିଲା। ଶ୍ରୀ ମିଶ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମାମଲା ପରିଚାଳନା କରୁଥିବା ବେଳେ ସଂଗ୍ରାମ କୁମାର ଦାସ ଓ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର