ଭୁବନେଶ୍ବର: ପୂରା ଦେଶରେ ୭୮ତମ ସ୍ବାଧୀନତା ଦିବସ ହର୍ଷୋଲ୍ଲାସର ସହିତ ପାଳନ କରାଯାଇଛି। ଜାତୀୟ ଦିବସକୁ ଅନେକ ଲୋକ ସ୍ମରଣୀୟ ରଖିବା ପାଇଁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଏହି କ୍ରମରେ ଆଜି ଭୁବନେଶ୍ବର ଉପକଣ୍ଠ ଦେଇ ପ୍ରବାହିତ ଦୟା ନଦୀରେ ତ୍ରିରଙ୍ଗା ଉଡ଼ିଛି। ପୁରୀ ଜିଲ୍ଲା ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ନିଜ ସମର୍ଥକମାନଙ୍କ ସହିତ ଡଙ୍ଗାରେ ବସି ନିଆରା ଢଙ୍ଗରେ ତ୍ରିରଙ୍ଗା ଯାତ୍ରା ପାଳନ କରିଛନ୍ତି।

Advertisment

ସ୍ବାଧୀନତା ଦିବସ ଅବସରରେ ଦୟା ନଦୀରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଯାତ୍ରାରେ ବିଧାୟକ ଶ୍ରୀ ମିଶ୍ରୀ ଯାତ୍ରୀ ହୋଇଥିଲେ। ସେ ପୁରୀ ଜିଲ୍ଲା କଣାସ ବ୍ଲକ ଦୋକନ୍ଦା ମେଳଣ ପଡ଼ିଆଠାରୁ ଚିପୁରିଙ୍ଗ ନଦୀ ଘାଟ ଯାଏ ୪ କିଲୋମିଟର ନଦୀରେ ତ୍ରିରଙ୍ଗା ଧରି ଯାତ୍ରା କରିଥିଲେ। ଏକାଧିକ ଡଙ୍ଗାରେ ପ୍ରାୟ ୨୦୦ ଲୋକ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ଗ୍ରୁପ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଅଭିଯାନକୁ ବିଧାୟକ ସ୍ବାଗତ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗଛ ଲଗାଇବାକୁ ସେ ଆହ୍ବାନ କରିଛନ୍ତି।