ଏନ୍‌ଆର୍‌ଏଲ୍ ଟର୍ମିନାଲ ଲ୍ୟାଣ୍ଡ ରିକ୍ଲେମେସନ୍‌ ପାଇଁ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ

ଜଗତସିଂହପୁର : ପାରାଦୀପରେ ନୁମାଲିଗଡ଼ ରିଫାଇନାରୀ ଲିମିଟେଡ୍ (ଏନ୍ଆର୍‌ଏଲ୍) ପକ୍ଷରୁ ଷ୍ଟୋରେଜ ଟର୍ମିନାଲ ଲ୍ୟାଣ୍ଡ ରିକ୍ଲେମେସନ୍‌ (ଭୂମି ଉଦ୍ଧାର) ପାଇଁ ଆଜି ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏନ୍ଆର୍‌ଏଲ୍, ପାରାଦୀପ ବନ୍ଦର ଓ ଡ୍ରେଜିଂ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଡିସିଆଇ) କର୍ତ୍ତୃପକ୍ଷ ଉକ୍ତ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଫଳରେ ଡିସିଆଇ ଆସନ୍ତା ନଭେମ୍ବର ମଧ୍ୟଭାଗରୁ ଡ୍ରେଜିଂ କାର୍ଯ୍ୟ ଆରମ୍ଭ କରିବ ଏବଂ ୭ମାସ ଭିତରେ ଟର୍ମିନାଲ ଭୂମିଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ପାରାଦୀପ ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ଅଶୋଧିତ ତୈଳ ଆମଦାନୀ ଟର୍ମିନାଲ ସ୍ଥାପନ ପାଇଁ ଏନ୍ଆରଏଲ୍‌କୁ ୨୦୦ ଏକର ଜମି ଦିଆଯାଇଛି। ୨୨ ହଜାର କୋଟିର ଏହି ମେଗା ପ୍ରକଳ୍ପ ପ୍ରତିଷ୍ଠା ପରେ ପାରାଦୀପ ବନ୍ଦରକୁ ଅଶୋଧିତ ତୈଳ ଆମଦାନୀ କରାଯାଇ ଆସାମର ନୁମାଲିଗଡ଼ସ୍ଥିତ ବିଶୋଧନାଗାରକୁ ପଠାଯିବାର ଯୋଜନା କରାଯାଇଛି। ଚଳିତବର୍ଷ ଜୁଲାଇ ମାସରେ ଏଥିପାଇଁ ପରିବେଶ ମଂଜୁରୀ ମିଳିବା ସାରିଛି। ସେହିପରି ଡ୍ରେଜିଂ ପରେ ବର୍ଜ୍ୟବସ୍ତୁଗୁଡ଼ିକ ପ୍ରକଳ୍ପ କାର୍ଯ୍ୟରେ ଲଗାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିଲାଗି ଜାହାଜ ଚଳାଚଳ ମନ୍ତ୍ରୀ ମନ୍‌ସୁକ୍ ମଣ୍ଡାଭୈୟା ପରାମର୍ଶ ଦେଇଥିଲେ। ଏହାପରେ ପାରାଦୀପ ବନ୍ଦର, ଏନ୍ଆରଏଲ୍ ଓ ଡିସିଆଇ ପକ୍ଷରୁ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର କରାଯାଇଥିବା ଜଣାପଡ଼ିଛି। ପାରାଦୀପ ବନ୍ଦର ଉପସଂରକ୍ଷକ କ୍ୟାପ୍‌ଟେନ୍ ଅତୁଲ୍ୟ ମହାପାତ୍ର, ଡିସିଆଇର ମୁଖ୍ୟ ମହାପ୍ରବନ୍ଧକ କ୍ୟାପଟେନ୍ ଏସ୍‌. ଦିବାକର, ଏନ୍ଆରଏଲ୍ ଡିଜିଏମ୍ ଏ.ଜେ. ଫୁକନ ଉକ୍ତ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଏହି ସମୟରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ, ଏନ୍ଆର୍‌ଏଲ୍ ମୁଖ୍ୟ ଏସକେ ବାରୁଅ ଓ ଡିସିଆଇ ମୁଖ୍ୟ ରାଜେଶ ତ୍ରିପାଠୀଙ୍କ ସମେତ ତିନି ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର