ବନ୍ୟ ରେଶମ ପ୍ରକଳ୍ପ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ବେଙ୍ଗାଲୁରୁସ୍ଥିତ କେନ୍ଦ୍ରୀୟ ସିଲ୍କ ବୋର୍ଡ ଏବଂ ଓଡ଼ିଶା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆଜି ରାଜ୍ୟ ଅତିଥି ଭବନରେ ଓଡ଼ିଶାରେ ବନ୍ୟ ରେଶମ ଉନ୍ନୟନ ପ୍ରକଳ୍ପ ସଂପର୍କିତ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଗ୍ରାମବାସୀ ଓ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିବାସୀଙ୍କ ପାଇଁ ବନ ସଂରକ୍ଷଣ ସମିତି ଜରିଆରେ ପୋଷଣୀୟ ଜୀବନଜୀବିକା ଉପଲବ୍ଧ ହେବ। ଏହା ଜରିଆରେ ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେଶମ ଚାଷୀଙ୍କ ଅଧିକ ଖୋସା ଉତ୍ପାଦନ ପାଇଁ ଟସର ପୋକ, ଖାଦ୍ୟ ଭାବେ ବ୍ୟବହାର କରୁଥିବା ଅସନ ଓ ଅର୍ଜୁନ ଗଛ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ବହୁଳ ଭାବେ ଲଗାଯିବ।

ରାଜ୍ୟର ୧୮ଟି ବନଖଣ୍ଡ ଯଥା ଆଠମଲ୍ଲିକ, ଢେଙ୍କାନାଳ, କଟକ, ବୌଦ୍ଧ, ବରଗଡ଼, ସୁନ୍ଦରଗଡ଼, ବଣାଇ, ଦେବଗଡ଼, କେନ୍ଦୁଝର, ବାରିପଦା, ରାଇରଙ୍ଗପୁର, ବଲାଙ୍ଗୀର, ଖରିଆଳ, ରାୟଗଡ଼ା, କୋରାପୁଟ, ଜୟପୁର, ନବରଙ୍ଗପୁର ଓ ମାଲକାନଗିରି ବନଖଣ୍ଡରେ ଚଳିତବର୍ଷ ଏହି ବନ୍ୟ ରେଶମ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ପ୍ରକଳ୍ପ ରାଜ୍ୟରେ ଜନଜାତିମାନଙ୍କ ଜୀବନଜୀବିକା ନିମନ୍ତେ ଉପଯୋଗୀ ହେବ। ବୁଝାମଣାପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶିଶିର କୁମାର ରଥ, କେନ୍ଦ୍ରୀୟ ସିଲକ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଜିତ ରଞ୍ଜନ ଓଖାଣ୍ଡିଆର୍‌ ଏବଂ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିସନର ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ରହି ଏହି ପ୍ରକଳ୍ପ ଜନଜାତି ଓ ଗ୍ରାମାଞ୍ଚଳବାସୀଙ୍କ ଜୀବନଜୀବିକା ନିମନ୍ତେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ।

ଜଙ୍ଗଲ ବିଭାଗ ପକ୍ଷରୁ ମୁଖ୍ୟ ବନ ସଂରକ୍ଷକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପରାଜ କରାଟ, ରାଜ୍ୟ କାମ୍ପା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ସୁଶାନ୍ତ ଦାଶ ଓ ଭାରତ ସରକାରଙ୍କ କେନ୍ଦ୍ରୀୟ ସିଲକ୍‌ ବୋର୍ଡ ପକ୍ଷରୁ ବୈଷୟିକ ନିର୍ଦ୍ଦେଶକ ଶିବପ୍ରସାଦ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। କାର୍ଯ୍ୟକ୍ରମ ଅବସରରେ ବନ୍ୟ ଟସର ଉପରେ ଆଧାରିତ ଓ ଟସର ଚାଷ ଜରିଆରେ ଭଗାମୁଣ୍ଡାରେ ମହିଳା ସଶକ୍ତୀକରଣ ସଂପର୍କିତ ଦୁଇଟି କ୍ଷୁଦ୍ର ବତ୍ତୃଚିତ୍ର ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମକୁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ମନୋଜ ମହାପାତ୍ର ସଂଯୋଜନା କରିଥିବା ବେଳେ ମୁଖ୍ୟ ବନ ସଂରକ୍ଷକ ମିତା ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର