ତଳକୋର୍ଟର ରାୟକୁ ପରିବର୍ତ୍ତନ କଲେନି ଜିଲ୍ଲା ଦୌରାଜଜ୍ କୋର୍ଟ
କୀଟନାଶକ ଇଞ୍ଜେକସନ୍ ଦେଇ ହତ୍ୟା ପରେ ପୋଡ଼ି ଦେଇଥିଲେ

Advertisment

ରାୟଗଡ଼ା/ଗୁଣପୁର : ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣାର ପୁନର୍ବିଚାର କରି ବଡ଼ ତଥା ଐତିହାସିକ ରାୟ ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଦୌରାଜଜ୍‌। ପୂର୍ବରୁ ଗୁଣପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଯେଉଁ ଦଣ୍ଡ ଆଦେଶ କରିଥିଲେ, ତାହାକୁ ଜିଲ୍ଲା ଦୌରାଜଜ୍‌ କାଏମ ରଖିଛନ୍ତି। ତ‌ଳକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଘଟଣାର ଦୋଷୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାବେଳେ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଆବେଦନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲା ଦୌରାଜଜ୍‌ ଆଜି ଅପରାଧୀଙ୍କ ବର୍ବରତା ଏବଂ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଫାଶୀ ଦଣ୍ଡାଦେଶକୁ ବଳବତ୍ତର ରଖିଛନ୍ତି। ଯାହାଫଳରେ ଦୋଷୀ ଡେଙ୍ଗୁନ ଶବର, ଦାଷୁନ୍ତ ଶବର, ଅଜନ୍ତା ଶବର, ପ୍ରଧାନ୍ତୁ ଶବର, ଦାଲସା ଶବର, ମାଲକୁ ଶବର, ବୁବୁନା ଶବର, ଲାକିୟା ଶବର, ଇରୁ ଶବର ପ୍ରମୁଖଙ୍କ ଦଣ୍ଡ କୋହଳ ହେବା ଆଶା ମଉଳି ଯାଇଛି।

୨୦୧୬ ସେପ୍ଟେମ୍ବର ୯ ତାରିଖରେ ଦୋଷୀମାନେ ଗୁଣି ଗାରେଡ଼ି ସନ୍ଦେହରେ ଗୁଣପୁର ବ୍ଲକ୍ ପୁଟାସିଂ ଥାନା ଅନ୍ତର୍ଗତ କିତୁଂ ଗ୍ରାମର ଅସିତ ଶବର, ପତ୍ନୀ ଆମ୍ବଏ ଶବର ଏବଂ ବଡ଼ ଝିଅ ଅସମଣି ଶବରକୁ ବୀଭତ୍ସ ଭାବେ ହତ୍ୟା କରିଥିଲେ। ସାନ ଝିଅ ମେଳତୀ ଶବରକୁ ଅଭିଯୁକ୍ତମାନେ ଗୋଟିଏ ଖୁଣ୍ଟରେ ବାନ୍ଧି ଦେବାପରେ ବାପା ଅସିତ୍, ମାଆ ଆମ୍ବଏ ଓ ବଡ଼ ଝିଅ ଅସମଣିକୁ ଘରୁ ଘୋଷାଡ଼ି ଆଣି ଗାଁ ମୁଣ୍ଡରେ ଥିବା ଗୁହାଳରେ ହାତଗୋଡ଼କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଦରମରା ଅବସ୍ଥାରେ ସଭିଏଁ ପଡିଥିଲେ ମଧ୍ୟ ଦୋଷୀଙ୍କ ଆକ୍ରୋଶ କମି ନଥିଲା। ଅସିତଙ୍କ ବଡ଼ ଝିଅ ଅସମଣିଙ୍କ ଶରୀରର ବିଭିନ୍ନ ସ୍ଥାନରେ ସିରିଞ୍ଜ ଭର୍ତ୍ତି କରି କୀଟନାଶକ ଇଞ୍ଜେକସନ୍ ଦେଇଥିଲେ। ସେଠାରୁ ତିନି ଜଣଙ୍କୁ ଗାଁ ମଶାଣିକୁ ନେଇ ଗାତ ଖୋଳି ପୋତି ଦେଇଥିଲେ। ଘଟଣା ପ୍ରଘଟ ହେବାର ଦୁଇ ଦିନ ପରେ ପ୍ରମାଣ ନଷ୍ଟ ପାଇଁ ପୋତା ଯାଇଥିବା ତିନି ଜଣଙ୍କ ଶବକୁ ବାହାରକୁ କାଢ଼ି ପୁଣି ସମ୍ପୂର୍ଣ୍ଣ ଭାବେ ପୋଡି ଦେଇ ମାଟି ପକାଇ ଘୋଡାଇ ଦେଇଥିଲେ।

ଏଭଳି ନାରକୀୟ ହତ୍ୟାକାଣ୍ଡର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ମାତ୍ର ସାକ୍ଷୀ ଥିଲା ସାନ ଝିଅ ମେଳତୀ ଶବର। ମେଳତୀକୁ ଗ୍ରାମବାସୀ ଦୁଇ ଦିନ ଧରି ନଜରବନ୍ଦୀ କରି ରଖିଥିଲେ ମଧ୍ୟ କୌଶଳକ୍ରମେ ଖସିଯିବାରେ ସକ୍ଷମ ହୋଇଥିଲା। ହତ୍ୟାକାଣ୍ଡର ସପ୍ତାହ ପରେ ପୁଟାସିଂ ଥାନାରେ ମେଳତୀ ଶବର ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ତତ୍କାଳୀନ ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ ନିଜେ ତଦନ୍ତ ଭାର ନେଇ ଘଟଣାରେ ସଂପୃକ୍ତ ଜଣେ ନାବାଳକ ସମେତ ୧୦ ଜଣଙ୍କୁ ଗିରଫ କରିଥିଲେ। ବଳିଷ୍ଠ ପ୍ରମାଣକୁ ଯୋଗାଡ଼ କରି ପୁଲିସ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ପରେ ଦେଢ଼ ବର୍ଷ ଧରି ମାମଲାର ଶୁଣାଣି ଚାଲିଥିଲା। ୨୦୧୮ ଏପ୍ରିଲ ୧୩ ତାରିଖରେ ଗୁଣପୁରର ତତ୍କାଳୀନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଡ. ଶୁଭେନ୍ଦୁ କୁମାର ପତି ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀଦଣ୍ଡ ଶୁଣାଇଥିଲେ।

ସରକାରଙ୍କ ପକ୍ଷରୁ କ୍ୟାଡର୍ ପବ୍ଲିକ୍ ପ୍ରସିକ୍ୟୁଟର ଅଜିତ୍ ପଟ୍ଟନାୟକ, ସ୍ବତନ୍ତ୍ର ଓକିଲ୍ କୃଷ୍ଣଚନ୍ଦ୍ର ସେନାପତି ଓ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ବିଷ୍ଣୁ ପଣ୍ଡା ମାମଲା ପରିଚାଳନା କରୁଥିଲେ।