ଜମି ବିବାଦରୁ ଟ୍ରିପଲ୍ ମର୍ଡର : ମା’, ଝିଅ, ଜ୍ବାଇଁଙ୍କୁ ହାଣି ପକାଇଲେ, ଅଭିଯୁକ୍ତ ବାପ-ପୁଅ ଗିରଫ

ବାମରା/କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଞ୍ଚାୟତର ଲପଡ଼ା ଗାଁରେ ଗୋଟିଏ ପରିବାରର ୩ ଜଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ପ୍ରଥମେ ବିଲରେ ଉକ୍ତ ଗାଁର ଗିରିଧାରୀ ସାହୁ (୪୧)ଙ୍କୁ ସେହି ଗାଁର ନବୀନ ଦେହୁରୀ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗାଁ ଦାଣ୍ଡରେ ଗିରିଧାରୀଙ୍କ ପତ୍ନୀ ଓ ଶାଶୂଙ୍କୁ ହାଣି ପକାଇଛି। ସ୍ପଷ୍ଟ ଦିବାଲୋକରେ ଗାଁ ଲୋକଙ୍କ ସାମ୍‌ନାରେ ଘଟିଥିବା ଏହି ଟ୍ରିପଲ୍ ମର୍ଡର ଚାଞ୍ଚଲ୍ୟ ଖେଳାଇ ଦେଇଛି। ହତ୍ୟାକାରୀ ନବୀନ ଓ ତା ପୁଅ ହେମାନନ୍ଦ (ମଣ୍ଟୁ)କୁ ପୁଲିସ୍‌ ଗିରଫ କରିଛି।

ସୂଚନା ଅନୁଯାୟୀ, ବୁଧବାର ଦିନ ପ୍ରାୟ ୨ ଟା ବେଳେ ଲପଡ଼ା ଗାଁର ଗିରିଧାରୀ ପୂର୍ବରୁ କାଟି ରଖିଥିବା ଧାନକୁ ‌ଆଣିବା ପାଇଁ ବିଲକୁ ଯାଇଥିଲେ। କିଛି ସମୟ ପରେ ନବୀନ ଦେହୁରୀ (୫୦) ଓ ତା ପୁଅ ମଣ୍ଟୁ ଦେହୁରୀ (୨୨) ଟାଙ୍ଗିଆ ଧରି ବିଲ ଅଭିମୁଖେ ଯିବା ଗାଁ ଲୋକେ ଦେଖିଥିଲେ। ସେଠାରେ ଗିରିଧାରୀଙ୍କୁ ନବୀନ ଓ ମଣ୍ଟୁ ଟାଙ୍ଗିଆରେ ହାଣି ହତ୍ୟା କରି ବିଲରେ ଫୋପାଡ଼ି ଦେଇଥିଲେ। ଏହାପରେ ସେମାନେ ଗାଁକୁ ଫେରି ଆସିଥିଲେ। ଗାଁ ଦାଣ୍ଡରେ ଥିବା ନଳକୂଅକୁ ଗିରିଧାରୀଙ୍କ ପତ୍ନୀ ସାବିତ୍ରୀ ସାହୁ (୩୫) ଓ ତାଙ୍କ ମା’ ପୀରବତୀ ବେହେରା (୫୫) ପାଣି ନେବାକୁ ଆସିଥିଲେ। ସେତିକିବେଳେ ରକ୍ତମୁଖା ନବୀନ ଟାଙ୍ଗିଆ ଧରି ଦଉଡ଼ି ଆସି ଉଭୟ ମହିଳାଙ୍କୁ ନୃଶଂସଭାବେ ହାଣି ପକାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ସମ୍ବଲପୁର ଏସ୍‌ପି କନ୍‌ୱର ବିଶାଳ ସିଂହ, କୁଚିଣ୍ଡା ଏସଡ଼ିପିଓ ରାଜକିଶୋର ମିଶ୍ର, ମହୁଲପାଲି ଥାନା ଅଧିକାରୀ ଜ୍ୟୋସ୍ନାରାଣୀ ବେହେରା, ସବଇନ୍ସପେକ୍ଟର ଦିଲୀପ ବେହେରା ସଦଳବଳେ ପହଞ୍ଚି ଘରେ ଲୁଚିଥିବା ଅଭିଯୁକ୍ତ ବାପ-ପୁଅ ନବୀନ ଓ ମଣ୍ଟୁକୁ କାବୁ ତଦନ୍ତ ଆରମ୍ଭ କରିଥିଲେ। ଘଟଣା ପରେ ଲପଡ଼ା ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗାଁରେ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ, ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ମାମଲାକୁ ରେଡ୍ ଫ୍ଳାଗ୍ ଟ୍ୟାଗ୍‌ କରାଯାଇଛି। ତେଣୁ ଫ‌ାଷ୍ଟଟ୍ରାକ୍ କୋର୍ଟରେ ଏହାର ବିଚାର ହେବ ଓ ୩୦ ଦିନ ମଧ୍ୟରେ ମାମଲାର ଫଇସଲା ହେବ ବୋଲି ପୁଲିସ୍‌ ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର