ବ୍ରହ୍ମପୁର: ସୁରତର ଅମ୍ରୋଲି ସ୍ଥିତ ଅଞ୍ଜନି ଶିଳ୍ପାଞ୍ଚଳରେ ଘଟିଥିବା ଟ୍ରିପଲ୍‌ ମର୍ଡ଼ର୍‌ ଘଟଣାରେ ପୁଲିସ ଦୁଇଜଣ ହତ୍ୟା ଅଭିଯୁକ୍ତଙ୍କୁ କାବୁ କରିଛି। ସେମାନେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକାର ବୋଲି ଆଜି ସୁରତ ପୁଲିସ କହିଛି। ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣଙ୍କ ନାମ ଆଶିଷ ରାଉତ(୧୮) ବୋଲି ପୁଲିସ ସୂଚନା ଦେଇଛି। ଆଜି ନାବାଳକଙ୍କୁ ଜେଜେବିରେ ହାଜର କରା ଯାଇଥିବା ବେଳେ ଅଭିଯୁକ୍ତ ଆଶିଷକୁ କୋର୍ଟ ଚାଲାଣ କରା ଯାଇଥିଲା। ଅଧିକ ତଦନ୍ତ ସହିତ ଘଟଣାରେ ବ୍ୟବହୃତ ଛୁରି ଜବତ କରିବା ପାଇଁ ପୁଲିସ ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡ୍‌ରେ ନେବା ପାଇଁ ସୁରତ ଫାଷ୍ଟଟ୍ରାକ୍‌ କୋର୍ଟରେ ଆବେଦନ କରିଥିଲା। କୋର୍ଟ ୩ ଦିନିଆ ରିମାଣ୍ଡ ମଂଜୁର କରିଛନ୍ତି। ଫ୍ୟାକ୍ଟ୍ରି ମାଲିକ ତାଙ୍କୁ କାମରୁ ବାହାର କରି ଦେଇଥିବାରୁ ଉଭୟେ ଉତ୍ୟକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ପୁଲିସ ତା’ର ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଛି।

Advertisment

ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଆଶିଷ ତାଙ୍କର ଜଣେ ନାବାଳକ ବନ୍ଧୁ ସହିତ କାମ କରିବା ପାଇଁ ସୁରତ ଯାଇଥିଲେ। ସେମାନେ ଗତ ପ୍ରାୟ ୧୦ଦିନ ହେଲା ଅମ୍ରୋଲି ଅଞ୍ଜନି ଶିଳ୍ପାଞ୍ଚଳରେ ଥିବା ବେଦାନ୍ତ ଟେକ୍ସପୋ ନାମକ ଏକ ସୁତା କାରଖାନାରେ କାମ ଆରମ୍ଭ କରିଥିଲେ। ଶନିବାର ରାତିରେ ଉଭୟେ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ହେଲେ ରାତିରେ ମେସିନ୍‌ ଚାଲୁଥିବା ସମୟରେ ସେମାନେ ଶୋଇ ପଡ଼ିଥିଲେ। ଭୋର୍‌ରେ ଫ୍ୟାକ୍ଟ୍ରି ମାଲିକ ସେଠାରେ ପହଞ୍ଚିଥିଲେ। ସିସି କ୍ୟାମେରା ଦେଖିବା ପରେ ଉଭୟ ଶ୍ରମିକ ଶୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଯାହାକୁ ନେଇ ମାଲିକ ତାଙ୍କୁ ଗାଳିଗୁଲଜ କରି କାମରୁ ବାହାର କରି ଦେଇଥିଲେ। ଏହାପରେ ଉଭୟେ କତାରଗାଁ ସ୍ଥିତ ଭଡ଼ା ଘରକୁ ଯାଇଥିଲେ। ସେମାନେ ତାଙ୍କର ବ୍ୟାଗ୍‌ ଧରି ପୁଣିଥରେ ଫ୍ୟାକ୍ଟ୍ରିକୁ ଫେରିଥିଲେ। ୧୦ଦିନର ମଜୁରି ବାବଦରେ ଉଭୟେ ୭ହଜାର ଟଙ୍କା ଦେବାକୁ ମାଲିକ କଲ୍ପ‌େଶ ଢୋଲ୍‌କିଆ ଓ ବାପା ଧନ୍‌ଜୀ ଭାଇ ଢୋଲ୍‌କିଆଙ୍କୁ କହିଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉଭୟ ଅଭିଯୁକ୍ତ ଧନ୍‌ଜୀ ଭାଇଙ୍କୁ ଛୁରି ଭୁସି ଦେଇଥିଲେ। ବାପାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ପୁଅ କଳ୍ପ‌େଶଙ୍କୁ ମଧ୍ୟ ଲୁହାରଡ଼ରେ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲେ। ଉଭୟେ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିବାକୁ ଉଦ୍ୟମ କରୁଥିବା ବେଳେ ଫ୍ୟାକ୍ଟ୍ରି ବାହାରେ ଧନ୍‌ଜୀ ଭାଇଙ୍କ ଶାଳକ ଘନଶ୍ୟାମ ରାଜୋଡ଼ିଆଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଘନଶ୍ୟାମ ଉଭୟଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନ ତାଙ୍କୁ ମଧ୍ୟ ଛୁରି ଭୁସି ହତ୍ୟା କରି ସେଠାରୁ ଖସି ପଳାଇଥିଲେ।

ଏହି ଘଟଣା ପ୍ରଚାରିତ ହେବା ପରେ ସେଠାରେ ଶହ ଶହ ଫ୍ୟାକ୍ଟ୍ରି ମାଲିକଙ୍କ ଭିଡ଼ ଜମିଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତେଜନା ବଢ଼ିଥିଲା। ପରେ ଅମ୍ରୋଲି ପୁଲିସ କତାରଗାଁରେ ଚଢ଼ଉ କରିଥିଲା। କତାରଗାଁ ପୁଲିସ ସହାୟତାରେ ଉଭୟଙ୍କୁ କାବୁ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ହତ୍ୟା ଘଟଣା ଫ୍ୟାକ୍ଟ୍ରିର ସିସିଟିଭି କ୍ୟାମେରାରେ କଏଦ ହୋଇଛି। କିନ୍ତୁ ଘଟଣାରେ ବ୍ୟବହୃତ ହୋଇଥିବା ଛୁରି ଜବତ ହୋଇ ନାହିଁ। ଏଣୁ ସୁରତ ପୁଲିସ ଉଭୟଙ୍କୁ ରିମାଣ୍ଡ୍‌ରେ ନେଇ ଅଧିକ ତଦନ୍ତ ଜାରି ରଖିଛି।