କରଞ୍ଜିଆ/କରଞ୍ଜିଆଗୋଲେଇ: ତିନି ଜଣଙ୍କୁ ହତ୍ୟା ଓ ୪ ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲାର ବିଚାର କରି କରଞ୍ଜିଆ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ପ୍ରଶାନ୍ତ କୁମାର ମିଶ୍ର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୩୦ ବର୍ଷ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଅର୍ଥ ଅନାଦେୟ ଆସାମୀ ଅଧିକ ୪ ବର୍ଷ କାରାଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ।
ମାମଲାର ବିବରଣୀରୁ ପ୍ରକାଶ, ୨୦୧୩ ମସିହାରେ ଯଶିପୁର ଥାନା ଅନ୍ତର୍ଗତ ମହୁଲିଆଶୁଳି ଗ୍ରାମର ରତନ ମୁଣ୍ଡା ନିଜ ପୁଅ ସୁରଜ ମୁଣ୍ଡାଙ୍କ ସମେତ ଜୟନ୍ତୀ ମହାନ୍ତ ଓ ବୁଧୁନି ତିରିଆଙ୍କୁ ଏକ ଟାଙ୍ଗିଆ ସାହାଯ୍ୟରେ ହତ୍ୟା କରିବା ସହିତ ଲକ୍ଷ୍ମୀ ମୁଣ୍ଡା, ଚିତ୍ତରଞ୍ଜନ ମହାନ୍ତ, ଶାନ୍ତିଲତା ତାଇସାମ ଓ ଜିତେନ୍ଦ୍ର ତାଇସାମଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଆକ୍ରମଣରେ ସୁରଜ ମୁଣ୍ଡା, ଜୟନ୍ତୀ ମହାନ୍ତ ଓ ବୁଧୁନି ତିରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ୍ମୀ ମୁଣ୍ଡା, ଚିତ୍ତରଞ୍ଜନ ମହାନ୍ତ, ଶାନ୍ତିଲତା ତାଇସାମ ଓ ଜିତେନ୍ଦ୍ର ତାଇସାମ ଅଳ୍ପକେ ବଞ୍ଚି ଯାଇଥିଲେ।
ଏ ନେଇ ଗ୍ରାମର ରବୀନ ତିରିଆଙ୍କ ଅଭିଯୋଗ ଆଧାରରେ ଯଶିପୁର ଥାନା କେସ୍ ନଂ ୨୭/୨୦୧୩, ଆଇପିସି ୩୦୨, ୪୫୦, ୩୦୭ରେ ଅଭିଯୁକ୍ତ ରତନ ମୁଣ୍ଡା ବିରୋଧରେ ପୁଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୨୯ ଜଣଙ୍କ ସାକ୍ଷ୍ୟ ବୟାନକୁ ଭିତ୍ତି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ପ୍ରଶାନ୍ତ କୁମାର ମିଶ୍ର ଆଜି ଅଭିଯୁକ୍ତ ରତନ ମୁଣ୍ଡାଙ୍କୁ ୩୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ସାହୁ ପରିଚାଳନା କରିଥିଲେ।