ଓଡ଼ିଶାରେ ପୁଣି ତିନି ତଲାକ୍‌: ସ୍ୱାମୀ-ସ୍ତ୍ରୀଙ୍କ ସମସ୍ୟା ନେଇ ବୈଠକ ଚାଲିଥିବା ବେଳେ ତିନି ତଲାକ୍‌ ଅଭିଯୋଗ

ବାଲେଶ୍ୱର: ତିନି ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ସହ ଦଣ୍ଡ ବିଧାନ ପାଇଁ ସଂସଦରେ ବିଲ୍‌ ଗୃହୀତ ହେବା ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଂଚଳରେ ତିନି ତଲାକ ଅଭିଯୋଗ ହୋଇଥିବା ରବିବାର ଜଣାପଡ଼ିଛି।

ସୂଚନା ଅନୁସାରେ ସୁନାଧରବସାଣ ଗାଁରେ ଘରୋଇ କଳିରୁ ସ୍ତ୍ରୀକୁ ସ୍ୱାମୀ ତିନି ତଲାକ୍‌ ଦେଇଛି। ସ୍ୱାମୀ-ସ୍ତ୍ରୀଙ୍କ ବଚସା ହେବାରୁ ଗାଁ ମସ୍‌ଜିଦ୍‌ରେ ବୈଠକ ବସିଥିଲା। ଗାଁ ମୁଖିଆ ଓ ବାପା ମା’ଙ୍କ ଉପସ୍ଥିତିରେ ସ୍ୱାମୀ ତିନି ତଲାକ୍‌ ଦେଇଥିବା ଅଭିଯୋଗ ହୋଇଛି।

ଦୁଇଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ତିନି ତଲାକ ଅଭିଯୋଗ ସାମ୍ନାକୁ ଆସିଥିଲା। ଏ ସଂକ୍ରାନ୍ତରେ ଥାନାରେ ମାମଲା ରୁଜୁ ହୋଇଛି। ୧୧ ନମ୍ବର ୱାର୍ଡ ନିବାସୀ ଜଣେ ସଂଖ୍ୟାଲଘୁ ମହିଳାଙ୍କୁ ହାଇଦ୍ରାବାଦରେ ରହୁଥିବା ତାଙ୍କ ସ୍ୱାମୀ ତିନି ତଲାକ୍‌ ଦେଇଛନ୍ତି। ପାଞ୍ଚ ବର୍ଷ ପୂର୍ବରୁ ଆସିକ୍‌ ସୁଫିଆ ଖାନ୍‌ଙ୍କୁ କୋର୍ଟରେ ବିବାହ କରିଥିଲେ। ଏଠାରେ ଦୁଇ ମାସ ରହିବା ପରେ ତାଙ୍କୁ ସେ ହାଇଦ୍ରାବାଦକୁ ନେଇ ଯାଇଥିଲେ। ସେଠାରୁ ଫେରିଆସି ପୀଡ଼ିତାଙ୍କୁ ପଟ୍ଟାମୁଣ୍ଡାଇ ଘରେ ଛାଡ଼ି ଦେଇଥିଲେ। ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କର ଏକ ୪ ମାସର ଶିଶୁ ପୁତ୍ର ଥିବା ବେଳେ ସେ ନିଜ ମା’ଙ୍କ ପାଖରେ ରହୁଛନ୍ତି।

ସମ୍ବନ୍ଧିତ ଖବର