କଟକରେ ପ୍ରଥମ ତିନି ତଲାକ୍‌ ମାମଲା ! ଫୋନରେ ତଲାକ ଦେଇ ଗିରଫ

କଟକ : ଫୋନ୍‌ରେ ସ୍ତ୍ରୀକୁ ତିନ୍ ତଲାକ୍ ଦେଇ କଟକରୁ ପ୍ରଥମ ଥର ଜଣେ ଅଭିଯୁକ୍ତ ସ୍ବାମୀ ଗିରଫ ହୋଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ସେକ୍ ବାବରଙ୍କ ଝିଅ ମୁନି ଖାତୁନ(୨୯) ୨୦୧୧ରେ ଦିଓ୍ବାନ ବଜାର ଅଞ୍ଚଳର ହବିବ୍ ଖାଁଙ୍କ ପୁଅ ବର୍କତୁଲ୍ଲା ଖାଁ(୩୨)କୁ ବିବାହ କରିଥିଲେ। ଏବେ ସେମାନଙ୍କର ୩ଟି ପୁଅ। ପାରିବାରିକ ବିବାଦ କାରଣରୁ ବର୍କତୁଲ୍ଲାଙ୍କୁ ପରିବାର ଲୋକେ ଘରେ ରହିବାକୁ ଅନୁମତି ଦେଉ ନଥିଲେ। ତେଣୁ ସେ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ସହିତ କଟକ ଓ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ରହିଆସୁଥିଲେ। କପଡ଼ା ବ୍ୟବସାୟ ସହିତ ହୋଟେଲରେ କାମ କରୁଥିଲେ। ମଝିରେ ସ୍ତ୍ରୀ ଓ ପିଲାଙ୍କୁ ଛାଡ଼ି ବେଙ୍ଗାଲୁରୁ ବି ଚାଲିଯାଇଥିଲେ। ଗଲା ୭ ମାସ ତଳେ ମୁନିଙ୍କୁ ଫୋନରେ ତିନି ତଲାକ ଦେଇଥିଲେ ବର୍କତୁଲ୍ଲା। ଏ ସମ୍ପର୍କରେ ମୁନି ମହିଳା ଥାନାରେ ନିକଟରେ ଲିଖିତ ଅଭିଯୋଗ କରିଥିଲେ।

ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ବର୍କତୁଲ୍ଲା ତାଙ୍କୁ ତିନି ତଲାକ ଦେଇଥିବା ବେଳେ ୪ ଜଣ ଯୁବତୀଙ୍କ ସହିତ ସମ୍ପର୍କ ରଖିଥିଲେ। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ବି କରିଛନ୍ତି ବର୍କତୁଲ୍ଲା। ତିନି ତଲାକ ବ୍ୟବସ୍ଥା କେନ୍ଦ୍ର ସରକାର ଉଚ୍ଛେଦ କରିବା ପରେ ଆଇନ ଅନୁଯାୟୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ଏଭଳି ବ୍ୟବସ୍ଥା ସମ୍ପୂର୍ଣ୍ଣ ବେଆଇନ। ତେଣୁ ପୁଲିସ ଦି ମୁସଲିମ ଓମେନ୍(ପ୍ରୋଟେକ୍ସନ ଅଫ୍ ରାଇଟ ଅନ୍ ମ୍ୟାରେଜ୍) ଆକ୍ଟ ୨୦୧୯ର ଧାରା ୪ ସହିତ ଆଇପିସିର ଦଫା ୪୯୮(ଏ), ୪୯୪ ଏବଂ ଯୋତୁକ ନିରୋଧ ଆଇନର ଧାରା ୪ ଆଧାରରେ ମହିଳା ଥାନା ପୁଲିସ ଅଭିଯୁକ୍ତ ବର୍କତୁଲ୍ଲାଙ୍କୁ ଗିରଫ କରି ଚୋଦ୍ବାର ଜେଲ ପଠାଇ ଦେଇଛି।

ସୂଚନାଯୋଗ୍ୟ, ତିନି ତଲାକ ବ୍ୟବସ୍ଥା ଉଚ୍ଛେଦ ସହିତ ଏହାକୁ ଅପରାଧ ଭାବେ ୨୦୧୯ ଅଗଷ୍ଟ ୧ ତାରିଖରୁ ବିବେଚନା କରାଯିବା ପରେ ରାଜ୍ୟରେ ପ୍ରଥମ ମାମଲା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନାରେ ୨୦୧୯ ଅଗଷ୍ଟ ୯ ତାରିଖରେ ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର