ଫୋନ୍‌ରେ ୩ ତଲାକ କହି ବିଚ୍ଛେଦ, ୨ ଶିଶୁ ପୁଅକୁ ବିକ୍ରି ଉଦ୍ୟମ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସୁନାପାଲିର ସବନମ ପରବିନ୍‌ଙ୍କୁ ତାଙ୍କ ସ୍ବାମୀ ଫୋନ୍‌ରେ ୩ ଥର ତଲାକ କହି ବିବାହ ବିଚ୍ଛେଦ କରିଛନ୍ତି। ଆହୁରି ମଧ୍ୟ ସବନମ ଅଭିଯୋଗ କରିଛନ୍ତି, ତାଙ୍କ ଅଜାଣତରେ ୨ ଜଣ ଶିଶୁ ପୁତ୍ରଙ୍କୁ ସ୍ବାମୀ ଉଠାଇ ନେଇଛନ୍ତି। ସେମାନଙ୍କୁ ବିକ୍ରି ଉଦ୍ୟମ କରୁଛନ୍ତି। ଦୁଇ ଶିଶୁ ପୁତ୍ରଙ୍କୁ ସୁରକ୍ଷିତ ଭାବରେ ତାଙ୍କ କୋଳକୁ ଫେରାଇ ଆଣିବା ପାଇଁ ସେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।

photo–nagaland page

ଅଭିଯୋଗ ଅନୁସାରେ, ୨୦୧୨ ମସିହାରେ ସବନମ୍‌ଙ୍କ ବିବାହ ରାଉରକେଲା କୁଲୁଙ୍ଗାର ଅନବର ଆଲମଙ୍କ ସହିତ ହୋଇଥିଲା। ବିବାହ ପରଠୁ ସ୍ବାମୀ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବାରୁ ୨୦୧୮ ମସିହାରେ ସେ ସମ୍ବଲପୁର ସ୍ଥିତ ବାପ ଘରକୁ ଚାଲି ଆସିଥିଲେ। ତାଙ୍କର ୨ ଶିଶୁ ପୁତ୍ରଙ୍କୁ ଏକୁଟିଆ ପାଳନ କରୁଥିଲେ। ଏହି ସମୟରେ ସ୍ବାମୀ ତାଙ୍କ ଠାରୁ ବିବାହ ବିଚ୍ଛେଦ ନକରି ପ୍ରାୟ ବର୍ଷେ ପରେ ଅନ୍ୟ ସ୍ଥାନରେ ବିବାହ କରିଥିଲେ। ୨୦୧୯ ମସିହା ଡିସେମ୍ବର ମାସରେ ସବନମଙ୍କ ବାପାଙ୍କ ଦେହାନ୍ତ ହୋଇଗଲା। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସ୍ବାମୀ ଅନବର ଆସିଥିଲେ। କାର୍ଯ୍ୟକ୍ରମର ଭିଡର ଫାଇଦା ଉଠାଇ ତାଙ୍କ ଅଜାଣତରେ ତାଙ୍କ ୬ ବର୍ଷ ଏବଂ ୪ ବର୍ଷର ଦୁଇ ଶିଶୁ ପୁଅଙ୍କୁ ନେଇ ଯାଇଥିଲେ। କିଛି ଦିନ ପରେ ଅର୍ଥାତ ଡିସେମ୍ବର ୩୦ ତାରିଖରେ ଫୋନ୍‌ରେ ୩ ଥର ତଲାକ କହି ବିବାହ ବିଚ୍ଛେଦ କରିଛନ୍ତି। ବର୍ତ୍ତମାନ ସବନମ ଜାଣିବାକୁ ପାଉଛନ୍ତି, ଅନବର ବର୍ତ୍ତମାନ ସାଉଦି ଆରବ ଯିବା ପାଇଁ ଯୋଜନା କରୁଛନ୍ତି। ଏହା ପୂର୍ବରୁ ତାଙ୍କ ଦୁଇ ଶିଶୁ ପୁଅ ତାଙ୍କୁ ନଦେଇ ରାଉରକେଲା କେଉଁଠି ବିକ୍ରି ପାଇଁ ଉଦ୍ୟମ କରୁଛନ୍ତି। ଏ ସଂକ୍ରାନ୍ତରେ ସମ୍ବଲପୁର ମହିଳା ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଫୋନ୍‌ରେ ୩ ତଲାକ୍‌ ଗ୍ରହଣୀୟ ନୁହେଁ। ଖୁବ୍‌ଶୀଘ୍ର ରାଉରକେଲା ଯାଇ ଶିଶୁମାନଙ୍କୁ ଉଦ୍ଧାର କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧିତ ଖବର