ସିଂଘମ୍ ସାଜିଲେ ଓଡ଼ିଆ ଆଇପିଏସ, ମାଓବାଦୀଙ୍କ ଗଡ଼ରେ ପ୍ରଥମ ଥର ଉଡ଼ାଇଲେ ତ୍ରିରଙ୍ଗା

ଦୀର୍ଘ ଦିନର ଭୟ ଦେଖାଇ, ରକ୍ତର ବିଭୀଷିକା ରଚାଇ ଆସୁଥିବା ମାଓବାଦୀଙ୍କୁ ଜଣେ ଆଇପିଏସ ଅଫିସର ଏବେ ଦେଇଛନ୍ତି ମୁହଁତୋଡ ଜବାବ| ନିଜର ଅଞ୍ଚଳ ବୋଲି ଦାବି କରିଆସୁଥିବା ମାଓବାଦୀଙ୍କ ଗଡ଼ରେ ପଶି ଜାତୀୟ ପତାକା ଉଡାଇଛନ୍ତି | ଏହି ଅଫିସର ଜଣକ ହେଉଛନ୍ତି ଡ଼ିଆଇଜି ହିମାଂଶୁ ଲାଲ |

ମାଲକାନଗିରି: ଲାଲବାହିନୀର ଦବଦବା ଯୋଗୁଁ ଉଡିପାରୁନଥିଲା ତ୍ରିରଙ୍ଗା | ସ୍ୱାଧୀନତାକୁ ସାତ ଦଶନ୍ଧି ବିତିଯାଇଥିଲେ ବି ଲାଲବାହିନୀର ଭୟ ଯୋଗୁଁ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟାରେ ତ୍ରିରଙ୍ଗା ଉଡିପାରୁ ନ ଥିଲା | କିନ୍ତୁ ଏଥର ପ୍ରଥମ ଥର ଲାଗି ଏହି ଅଞ୍ଚଳର ଜାନବାଇ ଗ୍ରାମରେ ତ୍ରିରଙ୍ଗା ଉଡିଥିବା ବେଳେ ପତାକା ଉତ୍ତୋଳନ କରିଥିଲେ ଓଡ଼ିଶା କ୍ୟାଡର ଆଇପିଏସ ହିମାଂଶୁ ଲାଲ | ଯାହାକୁ ନେଇ ବେଶ ଆଶାବାଦୀ ହୋଇପଡିଛନ୍ତି ସ୍ଥାନୀୟ ଲୋକ | ଶ୍ରୀ ଲାଲ ଆଶାର କିରଣ ଆଣିଥିବାର ଲୋକ କହିବା ସହ ଦୀର୍ଘ ଦିନ ଧରି ମାଓ ଭୟ ଧୀରେ ଧୀରେ ଅପସରି ଯାଉଥିବାର ଦେଖିବାକୁ ମିଳିଛି |

ଏଠାରେ ସୂଚନା ଥାଉ କି ବିଚ୍ଛିନ୍ନାଂଚଳର ଗାଁମାନଙ୍କରେ ମାଓବାଦୀଙ୍କ ପ୍ରଭାବ ଏବେ ବି ରହିଛି  | ଅଗଷ୍ଟ ୧୫ରେ ଯେତେବେଳେ ଜାନବାଇରେ ତ୍ରିରଙ୍ଗା ଉଡିଥିଲା ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ନୂଆ ଡିଆଇଜିଙ୍କ ଏଭଳି କାର୍ଯ୍ୟକୁ ନେଇ ମନେ ମନେ ଖୁସି ବି ହୋଇଯାଇଥିଲେ| ଏ ବାବଦରେ ହିମାଂଶୁଙ୍କ କହିବା କଥା ପ୍ରତିଦିନ ଏକ ନୂଆ ଦିନ ହୋଇଥାଏ, ସେହିପରି ନୂଆ ପୋଷ୍ଟିଙ୍ଗ ସବୁବେଳେ ନୂଆ ନୂଆ ଆହ୍ୱାନ ଆଣିଦେଇଥାଏ ଯାହାଦ୍ୱାରା ଲୋକଙ୍କ ପାଇଁ କିଛି ନୂଆ କରିହୁଏ | ଯଦି ମୋ ପ୍ରୟାସ ଯୋଗୁଁ କିଛି ଲୋକଙ୍କ ଓଠରେ ହସ ଖେଳିଯାଇପାରେ ସେତିକି ଯଥେଷ୍ଟ |

ଏଠାରେ ସୂଚନା ଥାଉ କି ହିମାଂଶୁ ଲାଲ ୨୦୦୩ ବ୍ୟାଚର ଅଧିକାରୀ ହୋଇଥିବାବେଳେ ୨୦୦୫-୦୬ରେ ମାଲକାନଗିରିରେ ଏସପି ଭାବେ ମଧ୍ୟ କାର୍ଯ୍ୟ କରିଆସିଛନ୍ତି | ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ରାଷ୍ଟ୍ରପତି ପଦକ ମଧ୍ୟ ମିଳିଛି |

ସମ୍ବନ୍ଧିତ ଖବର