ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିଙ୍କ ସମ୍ମିଳନୀ : ବ୍ୟକ୍ତି, ଦଳ ଅପେକ୍ଷା ପ୍ରସଙ୍ଗକୁ ଗୁରୁତ୍ୱ ଦେଲେ ସଂଗଠନ ବଞ୍ଚିବ

ଭୁବନେଶ୍ୱର : ରାଜ୍ୟରେ କୌଣସି ସଂଗଠନ ଶକ୍ତିଶାଳୀ ହୋଇ ମୁଣ୍ଡ ଟେକି ପାରୁ ନାହାନ୍ତି। କୃଷକ ହୁଅନ୍ତୁ ବା ଶ୍ରମିକ, ସଂଗଠିତ ହୋଇ ସ୍ଥାୟୀ ଅନୁଷ୍ଠାନର ରୂପ ନେଇ ପାରୁ ନାହାନ୍ତି। ପୂର୍ବରୁ ଛାତ୍ର ସଂଗଠନ କିଛି ମାତ୍ରରେ ସଫଳ ହୋଇଥିଲେ ହେଁ, ଏବେ ତାହା ନାହିଁ। ତେଣୁ ବ୍ୟକ୍ତି କିମ୍ବା ଦଳ ଅପେକ୍ଷା ପ୍ରସଙ୍ଗକୁ ଗୁରୁତ୍ୱ ଦେଲେ ଗୋଟିଏ ସଂଗଠନ ବଞ୍ଚିପାରିବ ବୋଲି କହିଛନ୍ତି ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ।

ଆଜି ଓ୍ଵାର୍ଡମେମ୍ବର, ନାଏବ ସରପଞ୍ଚ, ସରପଞ୍ଚ, ପଞ୍ଚାୟତ ସମିତି ମେମ୍ବର ଓ ଜିଲ୍ଲା ପରିଷଦ ମେମ୍ବର୍ସ ଆସୋସିଏସନ୍‌ ପକ୍ଷରୁ ଏକ ସମ୍ମିଳନୀ ରେଡକ୍ରସ୍‌ ଭବନରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଫରିଦ ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଲୋକ ପ୍ରତିନିଧିଙ୍କୁ ସମ୍ମାନ ଓ ସ୍ୱୀକୃତି ମୁଖ୍ୟ ପ୍ରସଙ୍ଗ ହେବା ଦରକାର। ନିଜର ଦାବିକୁ ପଛକୁ ରଖି ସାମାଜିକ କାର୍ଯ୍ୟକ୍ରମକୁ ପ୍ରସଙ୍ଗ କଲେ ଗୋଟିଏ ସଂଗଠନ ଆଗକୁ ବଢ଼ିପାରିବ। ରକ୍ତଦାନ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉଥିବା ଅବନତି ସଂପର୍କରେ ଲୋକଙ୍କ ପାଇଁ ଲଢ଼ିବାକୁ ପଡ଼ିବ। ସଂଗଠନର ସବୁ ଦଳର ପ୍ରତିନିଧିଙ୍କୁ ବିଶ୍ୱାସ ପାଇଁ ସଦସ୍ୟଭାବେ ଗ୍ରହଣ କରିବାକୁ ପଡ଼ିବ। ଏହାସହ ଦାବି ମଧ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନ ହେବା ଦରକାର।

ଗଣତନ୍ତ୍ରରେ ରାଜନୈତିକ ଦଳମାନେ ଶକ୍ତିଶାଳୀ। ଏବେ ସବୁ ଦଳର ଗୋଟିଏ ଲକ୍ଷ୍ୟ କିଭଳି ଆସନ୍ତା ନିର୍ବାଚନକୁ ଜିତିବେ। ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦେଶରେ ଗଣତନ୍ତ୍ର ବଞ୍ଚିଛି। ଆମ ପଡ଼ୋଶୀ ଦେଶଗୁଡ଼ିକରେ ଗଣତନ୍ତ୍ର ସୁଦୃଢ଼ ହୋଇପାରୁ ନାହିଁ। ତେବେ ଦେଶରେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଭାଙ୍ଗିବା ପାଇଁ ଉଦ୍ୟମ ଚାଲିଛି। ତେଣୁ ତୃଣମୂଳସ୍ତରରେ ଏହି ବିପଦକୁ ବୁଝିପାରିଲେ ଏହାର ପ୍ରତିକାର ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିଙ୍କ ଦାବି ମଧ୍ୟରେ ରହିଛି ପଞ୍ଚାୟତ ପ୍ରତିନିଧିମାଙ୍କ ପରିଚୟପତ୍ର ପ୍ରଦାନ, ସ୍ୱାସ୍ଥ୍ୟବୀମା ଯୋଜନା, ପାରିତୋଷିକ ଭତ୍ତା ବୃଦ୍ଧି, ରାଜଧାନୀରେ ରାଜ୍ୟସ୍ତରୀୟ ପଞ୍ଚାୟତରାଜ ଭବନ ନିର୍ମାଣ ଓ ଅବସରକାଳୀନ ଭତ୍ତା ଯୋଗାଇ ଦିଆଯାଉ। ଏହି ସମ୍ମିଳନୀରେ ଆଇନୀଜୀବ ଦେବଦତ୍ତ ମଳୟ କୁମାର ବରାଳ, ଅଖିଳ କୁମାର ମହାରଣା, ଖୋର୍ଧା ଜିଲ୍ଲା ସଂଯୋଜିକା କୌଶଲ୍ୟା ବଳିଆରସିଂହ, ରାଜ୍ୟ ମହିଳା ସଂଯୋଜିକା ବିନ୍ଦୁଶ୍ରୀ ଖଣ୍ଡାୟତରାଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ମେମ୍ବର, ସରପଞ୍ଚ ଓ ଓ୍ଵାର୍ଡ ମେମ୍ବରମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର