ସମୁଦ୍ରରେ ଫୁଟିଲା ଗୁଳି : ଟଳି ପଡ଼ିଲେ ଟ୍ରଲର୍‌ ଡ୍ରାଇଭର

ଟ୍ରଲର ଜବତ; ୮ ଗିରଫ, ଗୁଳିମାଡ଼ ପ୍ରତିବାଦରେ ଧାରଣା, ପୁଅକୁ ଚାକିରି ପ୍ରତିଶ୍ରୁତି

ରାଜନଗର/ ଜଗତସିଂହପୁୁର : ଗହୀରମଥା ସାମୁଦ୍ରିକ ଅଭୟ‌ାରଣ୍ୟ‌ ନିକଟ ସମୁଦ୍ର ଭିତରେ ଗତକାଲି ରାତିରେ ଗୁଳି ଫୁଟିଛି। ବେଆଇନ୍‌ ଭାବେ ମାଛ ଧରୁଥିବା ‘ମା’ କାନନ’ ନାମକ ଟ୍ରଲର ଉପରକୁ କୋଷ୍ଟଗାର୍ଡ ପକ୍ଷରୁ ଗୁଳି ମାଡ଼ କରାଯାଇଛି। ଏଥିରେ ଟ୍ରଲର ଡ୍ରାଇଭର ମାୟାଧର ମଳିକ(୪୫)ଙ୍କ ମୃତ୍ୟୁ ଘଟିଛି। ଟ୍ରଲରରେ ଥିବା ୮ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। କୋଷ୍ଟଗାର୍ଡ ପକ୍ଷରୁ ଏହା ଏନ୍‌କାଉଣ୍ଟର୍‌ ବୋଲି ସଫେଇ ଦିଆଯାଇଛି। ଅନ୍ୟପଟେ ଲାଞ୍ଚ ଓ ମାଛ ନଦେବାରୁ ତଟରକ୍ଷୀ ବାହିନୀ ତାଙ୍କ ସ୍ବାମୀକୁ ଗୁଳି ମାରି ହତ୍ୟା କରିଥିବା ମୃତ ଡ୍ରାଇଭରଙ୍କ ପତ୍ନୀ ସାଜ ମଳିକ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସନ୍ଧ୍ୟାରେ ଶତାଧିକ ମତ୍ସ୍ୟଜୀବୀ ପାରାଦୀପସ୍ଥିତ ତଟରକ୍ଷୀ ବାହିନୀ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଧାରଣା ଦେଇଛନ୍ତି। ମୃତ ମାୟାଧରଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସେମାନେ ଦାବି କରିଛନ୍ତି। କୋଷ୍ଟଗାର୍ଡ କର୍ତ୍ତୃପକ୍ଷ ମତ୍ସ୍ୟଜୀବୀଙ୍କ ପ୍ରତିନିଧିଙ୍କୁ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହାର ହୋଇଛି। ମୃତ ମାୟାଧରଙ୍କ ପୁଅଙ୍କୁ କୋଷ୍ଟ ଗାର୍ଡରେ ଚାକିରି ଏବଂ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଦେବାର ପ୍ରତିଶ୍ରୁତି ମିଳିବା ପରେ ମତ୍ସ୍ୟଜୀବୀମାନେ ଧାରଣାରୁ ଓହରି ଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବିରଳ ଅଲିଭରି‌ଡ଼ଲେ କଇଁଛଙ୍କ ପ୍ରଜଜନ ଋତୁ ପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଦେବୀ ମୁହାଣଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ନଭେମ୍ବର ୧ ତାରିଖରୁ ଲାଗୁ ହୋଇଥିବା ଏହି କଟକଣା ମେ’ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିଛି। ବିରଳ କଇଁଛଙ୍କ ସୁରକ୍ଷା ପ‌ାଇଁ ବନ ବିଭାଗ, ମତ୍ସ୍ୟ ବିଭାଗ, ସାମୁଦ୍ରିକ ପୁଲିସ୍‌ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ପାଟ୍ରୋଲିଂ ଚାଲିଥିବା ବେଳେ ବେଆଇନ୍‌ ଭାବେ ନିଷିଧାଞ୍ଚଳ‌େର ମାଛ ମାରୁଥିବା ‘ମା’ କାନନ’ ନାମକ ଟ୍ରଲର୍‌ ଧରା ପଡିଥିଲା। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଦଳି ସାଉଥ୍‌ ଠାରୁ ୩ କିମି ସମୁଦ୍ର ଭିତରେ ଏହି ଟ୍ରଲର ଥିବା ବେଳେ କୋଷ୍ଟଗାର୍ଡ ଉକ୍ତ ଟ୍ରଲର୍‌କୁ ଅଟକିବାକୁ କହିଥିଲା। ମାତ୍ର ଡ୍ରାଇଭର ବାରଣ ନ ମାନି ଟ୍ରଲର୍‌ ନେଇ ପଳାଇ ଯାଉଥିଲେ। କୋଷ୍ଟଗାର୍ଡ ପକ୍ଷରୁ ପ୍ରଥମେ ଫାଙ୍କା ଗୁଳି ଚାଳନା କରାଯାଇଥିଲା। ଫାଙ୍କା ଗୁଳି ଚାଳନା କରିବା ସ‌େତ୍ତ୍ବ ଟ୍ରଲର ନ ଅଟକିବାରୁ କୋଷ୍ଟଗାର୍ଡ ପକ୍ଷରୁ ଆଖିବୁଜା ଗୁଳି ଚାଳନା କରାଯାଇଥିଲା। ମାୟାଧରଙ୍କ ଦେହରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ତାଙ୍କ ଘର ସିମୁଳିଆ ଥାନା ଅନ୍ତର୍ଗତ ନରଣପୁର ଗ୍ରାମ‌େର ବୋଲି ଜଣାପଡ଼ିଛି। କୋଷ୍ଟଗାର୍ଡ ପକ୍ଷରୁ ଟ୍ରଲର୍‌ଟିକୁ ଜବତ କରାଯିବା ସହିତ ମାୟାଧରଙ୍କୁ ଚିକିତ୍ସା ପାଇଁ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବାଲେଶ୍ବରରୁ ମାୟାଧରଙ୍କ ପତ୍ନୀ ସାଜ ସମ୍ପର୍କୀୟମାନଙ୍କ ସହ ଅପରାହ୍ନରେ ପାରାଦୀପ ବନ୍ଦର ନ୍ୟାସ୍‌ ହସ୍‌ପିଟାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ମାୟାଧରଙ୍କ ମୃତଦେହ ଦେଖିବାକୁ ସୁଯୋଗ ଦିଆଯାଇନଥିଲା। ହସ୍‌ପିଟାଲ ବାହାରେ ଏକ ରକ୍ତ ଭିଜା ଅଖା ପଡ଼ିଥିବା ଦେଖି ସାଜ ଏହାକୁ ଧରି କାନ୍ଦୁଥିବା ଦେଖାଯାଇଥିଲା। ସନ୍ଧ୍ୟାରେ ସାମୁଦ୍ରିକ ଥାନାରେ ତଟରକ୍ଷୀ ବାହିନୀ କର୍ମଚାରୀଙ୍କ ବିରୋଧରେ ସେ ଏତଲା ଦେଇଛନ୍ତି।

ଅନ୍ୟପକ୍ଷରେ ଜବତ ଟ୍ରଲର୍‌ ଓ ସେଥିରେ ଥିବା ୮ଜଣ ମତ୍ସ୍ୟଜୀ‌ବୀଙ୍କୁ କୋଷ୍ଟଗାର୍ଡ ପକ୍ଷରୁ ବନ ବିଭାଗକୁ ଗତକାଲି ରାତି ୧ଟା ୩୫ ମିନିଟ୍‌ରେ ହସ୍ତାନ୍ତର କରାଯାଇଛି। ଜବତ ଟ୍ରଲର୍‌ରୁ ୨ଟି ଭିଏଚ୍‌ଏଫ୍‌, ୧ଟି ଜିପିଏସ୍‌, ୧ଟି ଫିସ୍‌ ଫାଉଣ୍ଡର୍‌ ଓ ୧୧ଟି ଜାଲ, ୮ଟି ମୋବାଇଲ୍‌ ଓ ୨୦ କୁଇଣ୍ଟାଲ୍‌ ମାଛ ଜବତ କରାଯାଇଛି। ‌େତବେ ଗିରଫ ମତ୍ସ୍ୟଜୀବୀଙ୍କ ଅଭିଯୋଗ ମୁତାବକ, ସେମାନେ ମାଛ ଧରୁ ନ ଥିଲେ। ହଠାତ୍‌ ଅନ୍ଧାର ମଧ୍ୟରେ ସେମାନଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା। ଗୁଳି ଚାଳନାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ତୁରନ୍ତ ମେଡ଼ିକାଲକୁ ନିଆଯାଇଥିଲେ ତାଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଅନ୍ୟପକ୍ଷରେ କୋଷ୍ଟକାର୍ଡ ପକ୍ଷରୁ କୁହାଯାଇଛି ଯେ, ବିଳମ୍ବିତ ରାତିରେ ସନ୍ଦେହଜନକ ଭାବେ ଚଳାଚଳ କରୁଥିବା ଟ୍ରଲର୍‌କୁ ଅଟକିିବା ପାଇଁ କୁହାଯାଇଥିଲା। ମାତ୍ର ତାହା ଅଟକି ନ ଥିଲା। ଫଳରେ ବାଧ୍ୟ ହୋଇ ଟ୍ରଲର୍‌ ଉପରକୁ ଗୁଳି ଚାଳନା କରାଯାଇଥିଲା। କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖରଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ମାର୍ଶାଘାଇ ଥାନା ଅଧିକାରୀ କ‌‌ାଳନ୍ଦୀ ଚରଣ ବେହେରା, ଜମ୍ବୂ ସାମୁଦ୍ରିକ ଥାନାଧିକାରୀ ରାମ କୁମାର ମୁର୍ମୁ ପାରାଦୀପରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜମ୍ବୁ ସାମୁଦ୍ରିକ ଥାନାରେ କୋଷ୍ଟଗାର୍ଡର ରିପୋର୍ଟ ଉପରେ ମାମଲା ରୁଜୁ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର