ବାଣୀବିହାରରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ: କୁଳପତିଙ୍କ ଅନଶନ

ଭୁବନେଶ୍ୱର: ଅଶାନ୍ତ ବାଣୀବିହାରରେ ଶାନ୍ତି ଓ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ। ଆଜି ଏକ ନାଟକୀୟ ଘଟଣାକ୍ରମରେ କୁଳପତି ଅନ୍ୟ କେତେଜଣ ପ୍ରଫେସର ଓ ଅଧ୍ୟାପକଙ୍କ ସହ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ କ୍ୟାମ୍ପସରେ ୧୨ ଘଣ୍ଟିଆ ମୌନବ୍ରତ ସହ ଅନଶନ କରିବା ଘଟଣା ସାରା ରାଜ୍ୟରେ ଚର୍ଚାର ବିଷୟ ପାଲଟିଛି। କୁଳପତିଙ୍କୁ ଏପରି ଅନଶନରେ ବସିଥିବା ଦେଖି ଛାତ୍ର ବିଜେଡି ସମେତ ଏବିଭିପି, ଛାତ୍ର କଂଗ୍ରେସର ଛାତ୍ରଛାତ୍ରୀ ମଧ୍ୟ ଅନଶନରେ ବସି କ୍ୟାମ୍ପସ୍‌ରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ କୁଳପତିଙ୍କ ଅନଶନ ବିଷୟ ଜାଣିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏ ନେଇ ତାଙ୍କୁ ରିପୋର୍ଟ ମାଗିବେ ବୋଲି କହିଛନ୍ତି।

ସାଇନ୍‌ ଡାଏ ହଟିବା ପରେ ସୋମବାର ବାଣୀବିହାର ଖୋଲିଥିଲା। ତେବେ ବିଶ୍ୱବିଦ୍ୟାଳୟ ଖୋଲୁଖୋଲୁ ଛାତ୍ର ବିଜେଡିର ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର
ଓ ତାଙ୍କ ସମର୍ଥକମାନେ ବାଣୀବିହାରରେ ନିର୍ବାଚନ କରିବାକୁ ଦାବି କରି କୁଳପତିଙ୍କୁ ଘେରାଉ କରିଥିଲେ। ଆନ୍ଦୋଳନକାରୀ ଛାତ୍ରମାନେ କୁଳପତିଙ୍କୁ ଗାଳିଗୁଲଜ କରିବା ସହ ପୁଲିସ ସହ ଧସ୍ତାଧସ୍ତି ହେବାରୁ କ୍ୟାମ୍ପସ୍‌ରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ କୁଳପତି ଶ୍ରୀ ପଟ୍ଟନାୟକ ଆନ୍ଦୋଳନକାରୀ ଛାତ୍ରମାନଙ୍କ ସହ ଆଲୋଚନା କରି ନିର୍ବାଚନ ଦାବି ଉପରେ ଆଜି ତିନି ଛାତ୍ର ସଂଗଠନର ପ୍ରାର୍ଥୀମାନଙ୍କ ସହ ଆଲୋଚନା କରାଯିବ ବୋଲି ସ୍ଥିର ହୋଇଥିଲା। ଏବିଭିପି ପକ୍ଷରୁ ମଧ୍ୟ ନିର୍ବାଚନ କରାଯିବା ସହ ଅନ୍ୟାନ୍ୟ ଦାବିରେ ଗତକାଲି କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ମାତ୍ର ଆଜି ସକାଳେ ଅଚାନକ କୁଳପତି ନିଜ କାର୍ଯ୍ୟାଳୟ ସମ୍ମୁଖ ପୁରୁଣା କନ୍‌ଭେନ୍‌ସନସ୍ଥଳରେ ଅନଶନରେ ବସିଥିବା ସମସ୍ତେ ବିସ୍ମିତ ହୋଇ ଯାଇଥିଲେ। ସେ ମୌନ ରହିଥିଲେ ମଧ୍ୟ ଅନଶନ ସ୍ଥଳରେ ଏକ ବୋର୍ଡରେ ଉଲ୍ଲେଖ ହୋଇଥିଲା ଯେ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଫେରୁ। ସକାଳ ୮ଟାରେ କୁଳପତିଙ୍କ ଅନଶନ ଆରମ୍ଭ କରିଥିବା ଜାଣି ଜଣଙ୍କ ପରେ ଜଣେ ପ୍ରଫେସର, ରିଡର, ଅଧ୍ୟାପକ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଦିନ ଯେତିକି ଗଡ଼ିଥିଲା ସମର୍ଥକଙ୍କ ସଂଖ୍ୟା ମଧ୍ୟ ସେହି ଅନୁଯାୟୀ ବଢ଼ିବାରେ ଲାଗିଥିଲା। ନିର୍ବାଚନ ଦାବିରେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଛାତ୍ର ବିଜେଡି ଭାପତି ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ମଧ୍ୟ ଅନଶନରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ଏବିଭିପି ଏବଂ ଛାତ୍ର କଂଗ୍ରେସର ପ୍ରାର୍ଥୀ ଓ ସମର୍ଥକମାନେ ମଧ୍ୟ ଅନଶନରେ ସାମିଲ ହୋଇ କ୍ୟାମ୍ପସରେ ଶାନ୍ତି ଓ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ନିବେଦନ କରିଥିଲେ। ସମସ୍ତେ ଅନଶନରେ ସାମିଲ ହୋଇଥିଲେ ମଧ୍ୟ କେହି ବି ମୁହଁ ଖୋଲି ନ ଥିଲେ।
ଗୋଟିଏ ପଟେ କ୍ୟାମ୍ପସରେ ଅନଶନ ଜାରି ରହିଥିବା ବେଳେ ଅନ୍ୟପଟେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ପୂର୍ବାହ୍ନ ୧୧ଟାରେ ଛାତ୍ର କଂଗ୍ରେସ, ଏବିଭିପି ଏବଂ ଛାତ୍ର ବିଜେଡି ସଭାପତି ଓ ସାଧାରଣ ସମ୍ପାଦକ ପ୍ର୍ରାର୍ଥୀଙ୍କୁ ନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ବୈଠକ କରିଥିଲେ। ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର ଜୟନ୍ତ ପରିଡ଼ା, ସିଡିସି ନିର୍ଦେଶକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଛାତ୍ର କଲ୍ୟାଣ ନିର୍ଦେଶକ ଚିନ୍ମୟ ପ୍ରଧାନ, ଓ୍ଵାଡେନ୍‌ ପ୍ରଫେସର କିଶୋର ବାସାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ରାୟ ଏକ ଘଣ୍ଟା ଧରି ଅନୁଷ୍ଠିତ ଆଲୋଚନାରେ ୩ଟି ଯାକ ଛାତ୍ର ସଙ୍ଗଠନର ପ୍ରାର୍ଥୀମାନେ ନିର୍ବାଚନ ସପକ୍ଷରେ ମତପ୍ରକାଶ କରିଥିଲେ। ନିର୍ବାଚନ କରିବା ପୂର୍ବରୁ ୪ଟି ସର୍ତ୍ତ ପୂରଣ କରିବା ଲାଗି ଏବିଭିପି ପ୍ରାର୍ଥୀମାନେ ଦାବି ରଖିଥିବା ବେଳେ ଛାତ୍ର କଂଗ୍ରେସ ପ୍ରାର୍ଥୀମାନେ ୩ଟି ସର୍ତ୍ତ ଏବଂ ଛାତ୍ର ବିଜେଡି ପ୍ରାର୍ଥୀମାନେ ୬ ଦିନ ଭିତରେ ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଥିଲେ। ୩ଟି ଯାକ ସଙ୍ଗଠନର ପ୍ରାର୍ଥର୍ୀ ଏନେଇ ଲିଖିତ ଆକାରରେ କର୍ତୃପକ୍ଷଙ୍କୁ ଜଣାଇଥିଲେ।

ଅନ୍ୟପକ୍ଷରେ କୁଳପତି ପ୍ରଫେସର ପଟ୍ଟନାୟକଙ୍କ ଅନଶନକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କୁ ପଚରାଯିବାରୁ ସେ ଗଣମାଧ୍ୟମକୁ କହିଥିଲେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ଏକ ସ୍ୱୟଂଶାସିତ ସଂସ୍ଥା। କୁଳପତିଙ୍କ ଏହି ଅନଶନ ପ୍ରତି ରାଜ୍ୟ ସରକାରଙ୍କ ନୈତିକ ସମର୍ଥନ ନାହିଁ। ଉଚ୍ଚଶିକ୍ଷା ବିଭାଗକୁ ନ ଜଣାଇ ସେ ଏଭଳି ପଦକ୍ଷେପ ନେଇଛନ୍ତି। କେଉଁ ପରିସ୍ଥିତିରେ ସେ ଅନଶନରେ ବସିଲେ ରିପୋର୍ଟ ମଗାଯିବ। ଥରେ ଯେଉଁ କ୍ୟାମ୍ପସରେ ନିର୍ବାଚନ ବନ୍ଦ ହୋଇଥାଏ ସେଠାରେ ଆଉଥରେ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ର୍ରକାଶ କରାଯିବାର ସମ୍ଭାବନା ନାହିଁ।

ଅନଶନ ନୁହେଁ, ଆତ୍ମଚିନ୍ତନ: କୁଳପତି
ଉପବାସ ଭାଙ୍ଗିବା ପରେ କୁଳପତି କହିଛନ୍ତି ଯେ ଆଜି ୧୨ ଘଣ୍ଟାର ଉପବାସ କରାଯାଇଥିଲା। ଏହି ସମୟ ମଧ୍ୟରେ ପ୍ରଫେସର, ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଆତ୍ମନିରୀକ୍ଷଣ କରିଛନ୍ତି। ପିଲାଙ୍କ ପାଠପଢ଼ାରେ କୌଣସି ବ୍ୟାହତ ସୃଷ୍ଟି ହୋଇନାହିଁ। ପ୍ରଫେସରମାନେ କ୍ଲାସ ନେଇଛନ୍ତି। ସମସ୍ତଙ୍କ ମଧ୍ୟରେ ପରିବାର ମନୋଭାବ ସୃଷ୍ଟି କରିବା ଉପବାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଯେଉଁମାନେ ଏଥିରେ ସାମିଲ
ହୋଇଥିଲେ ସେମାନେ ନିଜ ମନରେ ମହାତ୍ମାଙ୍କ ଆଦର୍ଶକୁ ନେଇ ଯାଇଛନ୍ତି। ହିଂସା ବଦଳରେ ଛାତ୍ରଛାତ୍ରୀ ଶିକ୍ଷାକୁ ଅପଣାଇବା ପାଇଁ ଏହା ଏକ ଆହ୍ଵାନ ଥିଲା ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗକୁ ନ ଜଣାଇ କୁଳପତି ଅନଶନରେ ବସିଥିବା ନେଇ ବିଭାଗୀୟ ମନ୍ତ୍ରୀ ଅନନ୍ତ ଦାସ ଦେଇଥିବା ମନ୍ତବ୍ୟ ଉପରେ ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଜି ଆତ୍ମଚିନ୍ତନ କରାଯିବ ବୋଲି ଗତ ୯ ତାରିଖରେ ଚିଠି ନମ୍ବର ୪୭୫/୨୦୧୭ରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଅବଗତ କରାଯାଇଛି। କୁଳାଧିପତି ତଥା ରାଜ୍ୟପାଳଙ୍କ ସଚିବଙ୍କୁ ଚିଠି ନମ୍ବର ୪୭୬/୨୦୧୭ରେ ଜଣାଯାଇଛି। ବିଭାଗ ପକ୍ଷରୁ ଯଦି କୌଣସି ରିପୋର୍ଟ ମଗାଯାଏ ତାହାର ଉତ୍ତର ଦିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର