ଦିନକୁ ଦିନ ବଢ଼ୁଛି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଭ୍ରାଟ

ଅଧିକ ଚାଷ କରି ଅଳ୍ପର ଟୋକନ୍ ପାଉଛନ୍ତି ଚାଷୀ

ସମ୍ବଲପୁର:‌ ବହୁ ବର୍ଷ ତଳେ ଧାନର ଅଭାବୀ ବିକ୍ରି, କଟ୍‌ନି ଛଟ୍‌ନି ପଶ୍ଚିମ ଓଡ଼ିଶାରେ ଏକ ବଡ଼ ପ୍ରସଂଗ ହୋଇ ମୁଣ୍ଡ ଟେକିଥିଲା। ଚାଷୀ ମାନେ ରାଜରାସ୍ତାରେ ଧାନ ଢାଳି ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ଚାଷୀ ଆନ୍ଦୋଳନ କ୍ରମେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା ଓ ସରକାରଙ୍କୁ ଦୋହଲାଇ ଦେଇଥିଲା। ପଶ୍ଚିମ ଓଡ଼ିଶାରେ କୃଷକଙ୍କ ସ୍ବାର୍ଥ ରକ୍ଷା, ଧାନ ବିକ୍ରି ବ୍ୟବସ୍ଥିତ କରିବାକୁ ବିଭିନ୍ନ ପଦକ୍ଷେପ ନେବା ପାଇଁ ସରକାର ଏକ ପ୍ରକାର ବାଧ୍ୟ ହୋଇଥିଲେ। ଫଳରେ ବେଶ କିଛି ବର୍ଷ ଧରି ଏହା ବ୍ୟବସ୍ଥିତ ଢଙ୍ଗରେ ଚାଲିଲା। ଚାଷୀ ସଂଗଠନର ପ୍ରଭାବ ହେଉ ବା ସରକାରଙ୍କ ଭୟ, ଅନେକ ବର୍ଷ ଧରି ଅଧିକାଂଶ ଚାଷୀଙ୍କୁ ନିଜ ଧାନର ଉଚିତ ମୂଲ୍ୟ ମିଳି ପାରିଲା। ସମ୍ବଲପୁର ଜିଲ୍ଲା ଏ ଦିଗରେ ଏକ ମଡେଲ୍ ଭଳି କାର୍ଯ୍ୟ କଲା। ଏପରିକି ଜିଲ୍ଲାରେ କିଛି ଚାଷୀ ନିଜ ଧାନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ବିକିବାର ମଧ୍ୟ ନଜିର ରହିଛି। କିନ୍ତୁ କିଛି ବର୍ଷ ଧରି ଶୃଂଖଳିତ ଭାବେ ସୁରୁଖୁରୁରେ ଚାଲିଥିବା ଧାନ ସଂଗ୍ରହ ବ୍ୟବସ୍ଥା ଏବେ ପୁଣି ଭୁଶୁଡ଼ିବାରେ ଲାଗିଛି। ତେବେ ବର୍ତ୍ତମାନ ଏହି ବ୍ୟବସ୍ଥା ବିଗିଡ଼ିବାରେ ଖୋଦ୍ ସରକାରଙ୍କ ହାତ ରହିଥିବା ଅଭିଯୋଗ ହେଉଛି।

ପୂର୍ବରୁ ଧାନ କିଣାବିକା ସଂପର୍କିତ ବିଭିନ୍ନ ନିଷ୍ପତ୍ତି ଜିଲ୍ଲାସ୍ତରରେ ହେଉଥିଲା। କେଉଁ ଜିଲ୍ଲାରେ କେମିତି ଫସଲ ହୋଇଛି, ସେଠି ଏକର ପିଛା କେତେ ଧାନ କିଣାଯିବ, କେବେ ମଣ୍ଡି ଖୋଲିବ, କେଉଁ ମଣ୍ଡିରେ କେଉଁ ମିଲର୍ସଙ୍କୁ ଟ୍ୟାଗ୍ କରାଯିବ ଆଦି ବିଭିନ୍ନ ଗୁରୁତ୍ବ ପ୍ରସଂଗ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକରେ ନିଷ୍ପତ୍ତି ହେଉଥିଲା। ଏଥିରେ ସରକାରୀ ଅଧିକାରୀଙ୍କ ସମେତ ଚାଷୀ, ମିଲର୍ସ ଓ ସଂପୃକ୍ତ ବିଭିନ୍ନ ପକ୍ଷର ପ୍ରତିନିଧି ରହୁଥିଲେ। ହେଲେ କ୍ରମେ ସରକାର ଏସବୁ ବ୍ୟବସ୍ଥାର କେନ୍ଦ୍ରୀୟକରଣ କରି ଦେଇଛନ୍ତି। ଭୌଗଳିକ ସ୍ଥିତି ଓ ପରିବେଶକୁ ଅଣଦେଖା କରି ୩୦ଟି ଯାକ ଜିଲ୍ଲାରୁ ଧାନ ସଂଗ୍ରହ ପାଇଁ ଗୋଟିଏ ମାପଦଣ୍ଡ ଆପଣାଇଛନ୍ତି। ଟୋକନ୍ ବ୍ୟବସ୍ଥା ଲାଗୁ କରିଛନ୍ତି। ଚାଷୀକୁ ଧାନ ବିକ୍ରିରୁ ବଞ୍ଚିତ କରିବା ପାଇଁ ସରକାରୀ ସ୍ତରରେ ଅନେକ ଉପାୟ କରାଯାଉଛି। ଏଥିରେ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଚାଷୀ ଅଧିକ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି।

ଟୋକନ୍ ବ୍ୟବସ୍ଥା ପ୍ରଚଳିତ ହେବା ପରେ ଅନେକ ବିଭ୍ରାଟ ଦେଖା ଦେଇଥିଲା। ବିଭିନ୍ନ ଜିଲ୍ଲାର ଚାଷୀ ଏହାର ପ୍ରବଳ ବିରୋଧ କରିଥିଲେ। ହେଲେ ସରକାର ଜିଦ୍‌ଖୋର ମନୋବୃତ୍ତି ଆପଣାଇ ଏହାକୁ ବଜାୟ ରଖିଥିଲେ ବି ସୁବ୍ୟବସ୍ଥିତ କରିପାରି ନାହାନ୍ତି। ବର୍ତ୍ତମାନ ରବି ଧାନ କିଣା ଚାଲିଥିବାବେଳେ ଏଥର ବି ‌ବହୁ ସ୍ଥାନରେ ଟୋକନ୍ ବିଭ୍ରାଟ ଦେଖା ଦେଇଛି। ଚାଷୀ ମାନେ ଯେତିକି ଜମିରେ ଡାଲୁଅ (ରବି) ଧାନ ଚାଷ କରିଛନ୍ତି ସେମାନଙ୍କୁ ତା’ଠାରୁ ଢେର କମ୍ ପରିମାଣର ଟୋକନ୍ ଆସିଛି। ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ସୋସାଇଟିର ବହୁ ଚାଷୀଙ୍କଠାରୁ ଏଭଳି ଅଭିଯୋଗ ମିଳିଛି। ଏହାଦ୍ବାରା ଚାଷୀ ମାନେ ବାକି ଧାନର କଣ କରିବେ ସେନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ଧାନ ସେମାନେ ବାଧ୍ୟ ହୋଇ ଅଳ୍ପ ଦାମ୍‌ରେ ବେପାରି ମାନଙ୍କୁ ବିକ୍ରି କରିବେ ଓ ଧାନ ବିକ୍ରି ପ୍ରକ୍ରିୟାରେ ପୁଣି ବିଭ୍ରାଟ ସୃଷ୍ଟି ହେବ ବୋଲି କହାଯାଉଛି। ଏ ସଂପର୍କରେ ଡିଆର୍‌ସିଏସ୍‌ ଲିଂଗରାଜ ନାୟକଙ୍କ କହିବା ହେଲା ଯେ ଜଣେ ଚାଷୀ କେତେ ଜମିରେ ଚାଷ କରିଛି ତାହା ଯୁଗ୍ମ ସର୍ଭେ ରିପୋର୍ଟ କିମ୍ବା ସାଟେଲାଇଟ୍ ରିପୋର୍ଟ ଆଧାରରେ ସ୍ଥିର ହୋଇଛି। ସେହି ଅନୁଯାୟୀ ଟୋକନ୍ ଜାରି ହୋଇଛି। ଯଦି କୌଣସି ଚାଷୀ ଚାଷ କରିଥିବା ଜମି ତୁଳନାରେ କମ୍ ପରିମାଣର ଟୋକନ୍ ପାଇଛନ୍ତି ତା‌’ହେଲେ ତାଙ୍କ ଜମି ନମ୍ବର ଭୁଲ ପଡ଼ି ଥାଇପାରେ ଯାହାଦ୍ବାରା ସାଟେଲାଇଟ୍ ଠିକ୍‌ରେ ସର୍ଭେ କରିପାରି ନଥିବ କିମ୍ବା ଯୁଗ୍ମ ସର୍ଭେରେ ଭୁଲ ରିପୋର୍ଟ ଦିଆ ଯାଇଥିବ। ଉପରସ୍ତରରେ ଟୋକନ୍ ଜାରି କଲାବେଳେ କୌଣସି କାଣ୍ଟଛାଣ୍ଟ କରାଯାଏ ନାହିଁ। ରିପୋର୍ଟରେ ଯିଏ ଯେତିକି ଜମି ଚାଷ କରିଥିବା ଉଲ୍ଲେଖ ଥାଏ, ସିଏ ସେତିକି ପରିମାଣର ଟୋକନ୍ ପାଇଥାଏ ବୋଲି ଶ୍ରୀ ନାୟକ କହିଥିଲେ।

ସମ୍ବନ୍ଧିତ ଖବର