ଧନୁଯାତ୍ରା ପଡ଼ିଆରେ ମୃତ୍ୟୁର ତାଣ୍ଡବ: ଚଢ଼ିଗଲା ଟ୍ରକ୍‌, ୪ ଦୋକାନୀ ମୃତ

ଦୁଇ ଜଣ ଗୁରୁତର ସବୁଠି ଶୋକର ଛାୟା, ମରମାଣପୁର ଧନୁଯାତ୍ରା ସ୍ଥଗିତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶାସନ ଥାନା ପରମାଣପୁର ଧନୁଯାତ୍ରା ଚାଲିଥିବା ସମୟରେ ମଙ୍ଗଳବାର ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଧନୁଯାତ୍ରାର ପଞ୍ଚମ ରାତିରେ ଧନୁଯାତ୍ରା ପଡ଼ିଆରେ ମୃତ୍ୟୁର ତାଣ୍ଡବ ଲୀଳା ରଚିଛି ଏକ ଏକ କୋଇଲା ବୋଝେଇ ଟ୍ରକ୍। ବିଳମ୍ବିତ ରାତିରେ ରାସ୍ତାକଡ଼ରେ ନିଜ ଦୋକାନ ଭିତରେ ଶୋଇଥିବା ଉଠା‌ଦୋକାନୀଙ୍କ ଟ୍ରକ୍‌ଟି ଉପରେ ମାଡ଼ିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣା ସ୍ଥାନୀୟ ଲୋକ ଓ ମେଳାର ଅନ୍ୟ ଦୋକାନୀମାନଙ୍କୁ ସ୍ତବ୍ଧ କରି ଦେଇଥିବାବେଳେ ଶାସନ ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏଭଳି ଅଭାବନୀୟ ଘଟଣା ପରେ ମଙ୍ଗଳବାର ଧନୁଯାତ୍ରାକୁ ସ୍ଥଗିତ ରଖାଯାଇଛି। ସନ୍ଧ୍ୟାରେ କମିଟି ପକ୍ଷରୁ ପଡ଼ିଆରେ ମୃତ ଦୋକାନୀଙ୍କ ପାଇଁ ଏକ ଶୋକସଭା ଅନୁଷ୍ଠିତ ହୋଇଛି।

ପରମାଣପୁର ଧନୁଯାତ୍ରାରେ ସବୁବର୍ଷ ପରି ଏ ବର୍ଷ ମଧ୍ୟ ବିଭିନ୍ନ ଅଞ୍ଚଳର ବହୁ ଉଠାଦୋକାନୀ ଭଳିକି ଭଳି ଦୋକାନ ଦେଇଛନ୍ତି। ସୋମବାର ରାତି ପ୍ରାୟ ୨ଟାବେଳେ ମେଳାରୁ ଗହଳି କମିଯିବା ପରେ ପ୍ରବଳ ଶୀତ ଯୋଗୁଁ ଦୋକାନୀମାନେ ନିଜ ନିଜ ଦୋକାନ ଭିତରେ ଶୋଇ ଯାଇଥିଲେ। ଭୋର୍‌ ୪ଟା ୪୫ ମିନିଟ ସମୟରେ ପୁରୁଣା ରାଞ୍ଚି ରୋଡ୍‌ରେ ସମ୍ବଲପୁରରୁ ଝାରସୁଗୁଡ଼ାକୁ କୋଇଲା ନେଇ ଯାଉଥିବା ଏକ ଟ୍ରକ୍‌(ଓଡି ୩୫ ସି ୬୧୯୦) ଦ୍ରୁତ ଗତିରେ ଭାରସାମ୍ୟ ହରାଇ ରାସ୍ତାକଡ଼ର ଅସ୍ଥାୟୀ ଦୋକାନଗୁଡ଼ିକ ଉପରେ ଚଢ଼ି ଯାଇଥିଲା। ଟ୍ରକ୍‌ଟିର ବେଗ ଏତେ ଅଧିକ ରହିଥିଲା ଯେ ଏକାବେଳକେ ୬ଟି ଦୋକାନ ମାଟିରେ ମିଶି ଯାଇଥିଲା। ଫଳରେ ଦୋକାନଗୁଡ଼ିକ ଭିତରେ ଶୋଇଥିବା ଦୋକାନୀମାନେ ଟ୍ରକ୍‌ ଚକା ତଳେ ଚାପି ହୋଇ ଯାଇଥିଲେ। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ସମଗ୍ର ରାସ୍ତା ରକ୍ତରଞ୍ଜିତ ହୋଇଯାଇଥିଲା। ଯେଉଁ ଦୋକାନୀମାନେ ସୁରକ୍ଷିତ ରହିଯାଇଥିଲେ ସେମାନେ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଦୋକାନୀଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ, ଡାକ୍ତରଖାନାରେ ୪ ଜଣଙ୍କୁ ମୃ୍ତ ଘୋଷଣା କରାଯାଇଥିଲା। ଏବେ ଅନ୍ୟ ୨ ଆହତ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ହେଲେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ମୋତିଝରନ୍‌ର ମହମ୍ମଦ ନମନୱର୍ସିଙ୍କ ୨ ପୁଅ ମହମ୍ମଦ ତୟବ (୩୫), ମହମ୍ମଦ ସୟଦ(୪୦), ଭାଇ ମହମ୍ମଦ ୱାକର ଆଲମ୍‌(୩୦) ଓ ପେନ୍‌ସନପଡ଼ାର ମହମ୍ମଦ ଦାନିସ (୨୨)। ଆହତ କୁମ୍ଭାରପଡ଼ାର ମହମ୍ମଦ ଜଲ୍ଲାଲୁଦ୍ଦିନ(୨୮) ଓ ତଲି ଟାମ୍ପରସରାର ରାଜେଶ ମହାନନ୍ଦ (୨୬)।

ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ବୁର୍ଲା ଡାକ୍ତରଖାନାରେ ମୃତ ଘୋଷଣା କରାଯିବା ପରେ ସମଗ୍ର ଡାକ୍ତରଖାନା ପରିସର ଲୋକାରଣ୍ୟ ହୋଇଯାଇଥିଲା। ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ଡାକ୍ତରଖାନା ପରିସରରେ ଥିବା ଶବଗୃହ ସମ୍ମୁଖ ଫାଟି ପଡ଼ୁଥିଲା। ପରେ ରେଡ୍‌କ୍ରସ ସହାୟତାରେ ମୃତକଙ୍କ ଶବକୁ ସେମାନଙ୍କ ଘରକୁ ପଠାଯାଇଥିଲା। ୧୯୮୮ ମସିହାରୁ ପରମାଣପୁର ଧନୁଯାତ୍ରା ଆରମ୍ଭ ହେବା ପରଠାରୁ ହିଁ ଏହି ରାସ୍ତାକଡ଼ରେ ଉଠା ଦୋକାନୀମାନେ ‌ଦୋକାନ ଦେଇ ଆସୁଥିଲେ। ମାତ୍ର ଏଭଳି ଘଟଣା କେବେ ଘଟିନଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ମଙ୍ଗଳବାର ଭୋରରୁ ପ୍ରବଳ କୁହୁଡ଼ି ଥିବା ସାଙ୍ଗକୁ ବୁଲାଣି ସ୍ଥାନରେ ଦୋକାନଗୁଡ଼ିକ ରହିଥିବାରୁ ଏହା ଦୁର୍ଘଟଣାର ଅନ୍ୟତମ କାରଣ ବୋଲି କୁହାଯାଉଛି। ଅପରପକ୍ଷରେ ଟୋଲ ଗେଟ୍‌ରୁ ବର୍ତ୍ତିବା ପାଇଁ ଭାରୀଯାନଗୁଡ଼ିକ ପୁରୁଣା ରାଞ୍ଚି ରୋଡ୍‌ ଦେଇ ସମ୍ବଲପୁରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବାରୁ ଏହି ରାସ୍ତା ସବୁବେଳେ ବ୍ୟସ୍ତବହୁଳ ରହୁଛି। ଘଟଣାର ତଦନ୍ତ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର