ଭୁବନେଶ୍ବର/କେନ୍ଦୁଝର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟରେ ଗତ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣାର ଦୁଇଦିନ ପରେ ପୁଣି କେନ୍ଦୁଝରରେ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ବରଯାତ୍ରୀ ଦଳ ଆସୁଥିବାବେଳେ ଷଠିଘର ନିକଟରେ ଶୁଆକାଟି ପଟୁ ଆସୁଥିବା ଏକ ଟ୍ରକ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ମାନପୁର ଗ୍ରାମର ଜିତ୍‌ ପାତ୍ର, କାଳିଆ ମହାନ୍ତ, ଲକ୍ଷ୍ମୀପାଦର ରତିମୁଣ୍ଡା, ଷଠୀଘରର ଅମିତ ପାତ୍ର ଓ କେଉଟ ସାହିର ବାପୁନ ଦେହୁରୀ। ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Advertisment

ସୂଚନାଯୋଗ୍ୟ ଯେ, ମାନପୁର ଗ୍ରାମରୁ ବରଯାତ୍ରୀ ଦଳ ଡିଜେର ତାଳେତାଳେ ନାଚଗୀତରେ ମସଗୁଲ ହୋଇ ଆସୁଥିଲେ। ଷଠିଘର ସାହିସ୍ଥିତ  କନ୍ୟା ଘରେ  ନିକଟରେ ପହଞ୍ଚିଥିଲେ। କନ୍ୟାଘର ପାଖରେ ବରଯାତ୍ରୀ ଦଳ ନାଚୁଥିବାବେଳେ ଟ୍ରକଟି ଦ୍ରୁତବେଗରେ ଆସି ମାଡି ଯାଇଥିଲା। ଫଳରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୯ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୬ଜଣଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଅଘଟଣ ପରେ ବର ବାହା ନ ହୋଇ ଫେରିଯାଇଥିବାବେଳେ  ପୁଲିସ ଟ୍ରକକୁ ଜବତ କରିଛି। ତେବେ ଆହତମାନଙ୍କ ଏବେ ସୁଦ୍ଧା ପରିଚୟ ମିଳିନାହିଁ।