ଝାରସୁଗୁଡ଼ା: ୪୯ ନମ୍ବର ଜାତୀୟ ରାଜପଥର କନକତୋରା ନିକଟରେ ପୁଣି ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜଣେ କଲେଜ ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାଯାଇଛି। ବୁଧବାର ସକାଳେ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ପୁସୋର ଥାନା ବୋଡ଼ାଝରିଆ ଗ୍ରାମର ପୁରୁଷୋତ୍ତମ ବଞ୍ଜାରାଙ୍କ ଝିଅ ପ୍ରିୟଙ୍କା (୧୮) ତାଙ୍କ ବଡ଼ ପୁଅ ରାଜକିଶୋର (୨୨) ସହିତ ଏକ ବାଇକ୍ (ସିଜି ୧୧ବିସି-୫୫୪୩) ଯୋଗେ ଛତିଶଗଡ଼ସ୍ଥିତ ମହାପାଲି କଲେଜକୁ ବିଏ ପ୍ରଥମ ବର୍ଷ ପରୀକ୍ଷା ଦେବାକୁ ଯାଉଥିଲେ। ବାଟରେ କନକତୋରାଠାରେ ଥିବା ବାଲାଜୀ ପେଟ୍ରୋଲ ପମ୍ପରେ ବାଇକ୍ରେ ତେଲ ଭର୍ତ୍ତି କରି ରାସ୍ତା ଉପରୁ ଆସୁଥିବା ବେଳେ ଝାରସୁଗୁଡ଼ା ପଟରୁ ଆସୁଥିବା ଏକ ୨୨ ଚକିଆ ଟ୍ରେଲର୍ (ସିଜି ୧୩ଡି-୯୩୩୭) ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ପ୍ରିୟଙ୍କା ଟ୍ରକ୍ ଚକା ତଳେ ପଡ଼ି ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଭାଇ ରାଜକିଶୋର ଦୂରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଛାତ୍ରୀଙ୍କ ପରିବାରଙ୍କୁ କ୍ଷତିପୂରଣ ଏବଂ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାର ପ୍ରତିକାର ଦାବିରେ ଲୋକମାନେ ରାସ୍ତା ଉପରେ ଧାରଣା ଦେଇଥିଲେ। ଫଳରେ ଏହି ରାସ୍ତା ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ପୁଲିସ ଓ ପ୍ରଶାସନ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏହି ଜାତୀୟ ରାଜପଥରେ ପ୍ରତିଦିନ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/dead.jpg)