କାହାର ସର୍ବନାଶ ତ କାହାର ପୁଷମାସ ! ଓଲଟିଲା କୁକୁଡ଼ା ବୋଝେଇ ପିକ୍‌ଅପ୍‌, ଗାଁରେ ଭୋଜି ଭାତ ଆସର

ଆହତ ଗାଡ଼ି ଚାଳକଙ୍କ କଥା ଭୁଲିଗଲେ ଲୋକେ

ବାମରା: କଥାରେ ଅଛି କାହାର ସର୍ବନାଶ ତ କାହାର ପୁଷମାସ। କେହି ଜଣେ ଅସୁବିଧାରେ ପଡ଼ିଥିବାବେଳେ ସହାୟତାର ହାତ ବଢ଼ାଇବା ବଦଳରେ ଓଲଟା ସ୍ବାର୍ଥପର ପାଲଟିଯିବା ଭଳି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଂଚଳରେ। ଏହି ଥାନା କେଶାଇବାହଲ ନିକଟସ୍ଥ ଟେଣ୍ଡାକୁଦର ନିକଟରେ ମଙ୍ଗଳବାର ଭୋର୍‌ରେ ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍‌ (ଓଡି ୧୪କ୍ୟୁ-୩୫୧୨)ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା। ଫଳରେ ଆଖପାଖରେ ଥିବା ଗ୍ରାମବାସୀ ପହଞ୍ଚି କୁକୁଡ଼ା ସବୁ ବୋହିନେବା ଦୃଶ୍ୟ ସହ ଗାଁରେ ଭୋଜିଭାତର ଆସର ଜମିବା ଏ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି କୁକୁଡ଼ା ନେବା ନିଶାରେ ଲୋକେ ଆହତ ଚାଳକଙ୍କ କଥା ଭୁଲି ଯାଇଥିଲେ। ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ଅନଗୁଳରୁ ଏକ ବଲେରୋ ପିକ୍‌ଅପ୍‌ କୁକୁଡ଼ା ବୋଝେଇ କରି ରାଜଗାଙ୍ଗପୁର ଯାଉଥିବାବେଳେ ଟେଣ୍ଡାକୁଦର ପାଖରେ ଭାରସାମ୍ୟ ହରାଇ ଗଛରେ ପିଟି ହେବା ସହ ଓଲଟି ପଡ଼ିଥିଲା। ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ କୁକୁଡ଼ା ସବୁକୁ ବୋହିବା ଆରମ୍ଭ କରିଥିଲେ। ଖବରଟି ଅଞ୍ଚଳରେ ପ୍ରଚାରିତ ହେବା ପରେ କୁକୁଡ଼ା ନେବାକୁ ଆଖପାଖ ଅଞ୍ଚଳରୁ ବି ଲୋକଙ୍କ ସୁଅ ଛୁଟିଥିଲା। କେହି ଦୁଇ ହାତରେ ତ କିଏ ସାଇକଲରେ, ପୁଣି କିଏ ବାଇକ୍‌ରେ ତରବରିଆ ଭାବେ ଯେତେ କୁକୁଡ଼ା ପାରିଲେ ଲଦି ପଳାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରିକି କେତେକ ଲୋକ ସଂଗ୍ରହ କରୁଥିବା କୁକୁଡ଼ା ସବୁକୁ ଘରକୁ ନେବା ପାଇଁ ଟ୍ରକ୍‌ ପାଖରେ ଗଦା କରି ରଖୁଥିବା ବି ଦେଖିବାକୁ ମିଳିଥିଲା। ଖବର ପାଇ ମହୁଲପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକଙ୍କ ଭିଡ଼ କମିବାକୁ ଲାଗିଲା। ଗାଡ଼ିର ଚାଳକ ଆହତ ହୋଇଥିବା ବେଳେ ପୁଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇବା ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର