ଆନନ୍ଦପୁର : ଘସିପୁରା ଥାନା ‌୨୦ ନମ୍ବର ଜାତୀୟ ରାଜପଥ ତାଳଗାଁ ନିକଟରେ ଦୁଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଗୋଟିଏ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଟ୍ରକ୍‌ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସାଢ଼େ ୭ଟାବେଳେ କେନ୍ଦୁଝର ଆଡ଼ୁ ଲୁହାପଥର ‌ବୋଝେଇ କରି ଆସୁଥିବା ଟ୍ରକ୍‌ (ଓଡି-୦୪-କ୍ୟୁ-୮୧୪୩) ତାଳଗାଁ ଛକ ନିକଟରେ ଏକ ଲୁହାଛଡ଼ ବୋଝେଇ ଟ୍ରକ୍‌କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଉଭୟ ଗାଡ଼ି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଲୁହାପଥର ‌ବୋଝେଇ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଟ୍ରକ୍‌ ଡ୍ରାଇଭର ଭିତରେ ଚାପି ‌ହୋଇ ରହିଥିବାବେଳେ ସ୍ଥାନୀୟ ଲୋକେ ପହଞ୍ଚି ନିଆଁ ଲିଭାଇବା ପରେ ଡ୍ରାଇଭରଙ୍କୁ ବାହାର କରିଥିଲେ। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘସିପୁରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ରାସ୍ତା ଉପରେ ପଡ଼ିଥିବାରୁ ଗୋଟିଏ ପାର୍ଶ୍ବରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘସିପୁରା ପୁଲିସ ପହଞ୍ଚି ଗାଡ଼ି ହଟାଇବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି।