ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଆରୋହୀ ସ୍ୱାମୀ ସ୍ତ୍ରୀ ଗୁରୁତର; ନିଶାରେ ଚୁର ଟ୍ରକ୍‌ ଚାଳକ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଗଡ଼ଦେଉଳିଆ ଛକ ଉପକଣ୍ଠ ମ୍ୟାନେଜର ସିଂ ହୋଟେଲ ସମ୍ମୁଖରେ ଗୁରୁବାର ସନ୍ଧ୍ୟାରେ ବୁଲେଟରେ ଯାଉଥିବା ଦମ୍ପତିଙ୍କୁ ପଛପଟୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବାରୁ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ଟ୍ରକ୍‌ ଚାଳକକୁ ଅଟକ ରଖି ପୁଲିସରେ ଜିମା ଦେଲେ ସ୍ଥାନୀୟ ଲୋକ।

ପ୍ରାପ୍ତ ସୁଚନା ଅନୁସାରେ, ବାଲେଶ୍ୱର ନୁଆଗାଁ ଅଞ୍ଚଳର ସତ୍ୟଜିତ ମହାପାତ୍ର ଓ ଦେବସ୍ମିତା ମହାପାତ୍ର ଏକ ଓଡି୦୧ଡବ୍ଲୁ-୯୨୫୧ ନଂ ବିଶିଷ୍ଟ ବୁଲେଟ ମଟରସାଇକଲରେ ନେଇ ବୈଶିଙ୍ଗା ପଟରୁ ନିଜ ନୂଆଗାଁ ସ୍ଥିତ ଗ୍ରାମକୁ ୧୮ନଂ ଜାତୀୟ ରାଜପଥରେ ଫେରୁଥିଲେ। ଏହି ସମୟରେ ସେହି ସମାନ ଦିଗରୁ ସିମେଣ୍ଟ ଅନଲୋଡ଼ କରି ଏକ ଓଡି୩୪ଟି-୪୭୩୩ ନଂ ବିଶିଷ୍ଟ ଟ୍ରକ ଯାଜପୁର ଫେରୁଥିଲା। ହେଲେ ମ୍ୟାନେଜର ସିଂ ହୋଟେଲ ଠାରୁ ମାତ୍ର ୫୦ମିଟର ଦୂରରେ ଟ୍ରକ ଚାଳକ ଭାରସାମ୍ୟ ହରାଇ ବୁଲେଟ ପଛ ପଟେ ଶକ୍ତ ଧକ୍କା ଦେଇଥିଲା। ଫଳରେ ବୁଲେଟରେ ବସିଥିବା ସ୍ୱାମୀ ସ୍ତ୍ରୀ ରାସ୍ତାରେ ଛିଟିକି ପଡ଼ିଥିଲେ। କଂକ୍ରିଟ ରାସ୍ତାରେ ପିଟି ହୋଇ ଦେବସ୍ମିତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ଗୁରୁତର ହୋଇ ପଡିଥିବାବେଳେ ଅନୁରୂପ ଭାବେ ବୁଲେଟ ଚାଳକ ସତ୍ୟଜିତ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନା ପଠାଇଥିଲେ। ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଉଭୟଙ୍କୁ ବାରିପଦା ଡାକ୍ତରଖାନା ପଠାଇ ଦିଆଯାଇଥିଲା। ଉକ୍ତ ସମୟରେ ସୁଯୋଗ ଦେଖି ନିଶାରେ ଟୁର ଟ୍ରକ ଚାଳକ ଟ୍ରକ ନେଇ ଚମ୍ପଟ ମାରିବାକୁ ବସିଥିବାବେଳେ ତାକୁ ମଧ୍ୟ ସ୍ଥାନୀୟ ଲୋକ ଅଟକ ରଖିଥିଲେ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବୁଲେଟକୁ ଜବତ କରିବା ସହିତ ନିଶାସକ୍ତ ଟ୍ରକ ଚାଳକ ଯାଜପୁର ଅଞ୍ଚଳର ଚିତ୍ତରଞ୍ଜନ ବେହେରାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର