ଭଣ୍ଡାରିପୋଖରୀ-୧/ମଞ୍ଜୁରୀରୋଡ : ଗୁରୁବାର ସକାଳେ ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀଠାରେ ଦୁଇଟି ଟ୍ରକ୍‌କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତାକଡ଼ ପୋଖରୀ ଭିତରକୁ ଗଳି ପଡ଼ିଥିଲା ଏକ ଆଇରନ୍ ବୋଝେଇ(ଓଡି୦୯କ୍ୟୁ-୩୧୮୦) ଟ୍ରକ୍‌। ଗାଡ଼ି ଚାଳକ କେନ୍ଦୁଝର ଜିଲ୍ଲା ରଗଡି ଅଞ୍ଚଳର ମଥୁରା ବାରିକ (୪୫) ଟ୍ରକ୍‌ ଭିତରେ ଚାପି ହୋଇ ଯାଇଥିଲେ। ମୁକୁଳିବା ପାଇଁ ସବୁପ୍ରକାର ପ୍ରୟାସ କରିଥିଲେ। ଚିତ୍କାର କରି ସାହାଯ୍ୟ ବି ମାଗିଥିଲେ। ହେଲେ ଗାଡ଼ି ଭିତରେ ଚାପି ହୋଇ ରହିଥିବା ଏବଂ ଟ୍ରକ୍‌ଟି ଅଧା ପାଣିରେ ବୁଡ଼ି ରହିଥିବାରୁ ତାଙ୍କୁ ତତ୍‌କ୍ଷଣାତ ଉଦ୍ଧାର କରାଯିବା ସମ୍ଭବ ହୋଇନଥିଲା। ଦୀର୍ଘ ୧୦ ଘଣ୍ଟାର କସରତ୍‌ ପରେ ସନ୍ଧ୍ୟା ୭ଟା ବେଳକୁ ଗୁରୁତର ଅବସ୍ଥାରେ ଟ୍ରକ୍‌ ଚାଳକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ।

Advertisment

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ବେଳେ ୧୬ ନ˚ବର ଜାତୀୟ ରାଜପଥର ଭଣ୍ତାରିପୋଖରୀ ଜଳସେଚନ କାର୍ଯ୍ୟାଳୟ ନିକଟରେ କେନ୍ଦୁଝରରୁ ପାରାଦୀପ ଅଭିମୁଖେ ଯାଉଥିବା ଏହି ଆଇରନ୍‌ ବୋଝେଇ ଟ୍ରକ୍‌ଟି ଲାଗ୍‌ଲାଗ୍‌ ଦୁଇଟି ଟ୍ରକ୍‌କୁ ଧକ୍କା ଦେବା ପରେ ନିୟନ୍ତ୍ରଣ ହରାଇ ପାଖ ପୋଖରୀକୁ ଓଲଟି ପଡିଥିଲା। ଟ୍ରକ୍‌ଟି ୯୦ ପ୍ରତିଶତ ପାଣିରେ ବୁଡି ଯାଇଥିବା ବେଳେ ଚାଳକ ମଥୁରା ଗାଡ଼ି ଭିତରେ ଚାପି ହୋଇ ରହିଥିଲେ। ଟାଇଟନିକ୍‌ ଜାହାଜ ଭଳି ଟ୍ରକ୍‌ଟି ଧୀରେ ଧୀରେ ପାଣିରେ ବୁଡ଼ିବାକୁ ଆରମ୍ଭ କରିଥିଲା। ସେପଟେ ବଞ୍ଚିବା ପାଇଁ ଗାଡ଼ି ଚାଳକ ବିକଳ ହୋଇ କାନ୍ଦିଥିଲେ। ଏଭଳି ପରିସ୍ଥିତିରେ ଗାଡ଼ି ଚାଳକଙ୍କୁ ବଞ୍ଚାଇବା ଉଦ୍ଧାରକାରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ହୋଇ ଯାଇଥିଲା। ରାଜପଥ ଲୋକାରଣ୍ୟ ହୋଇ ଯାଇଥିବା ବେଳେ ଗାଡି ଚଳାଚଳ ମଧ୍ୟ ଦଶ ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା।

ଶେଷରେ ଅଗ୍ନିଶମ ବିଭାଗ ପକ୍ଷରୁ ୭ଟି ମୋଟର ଲଗାଇ ପୋଖରୀରୁ ଅଧାପାଣି ଶୁଖାଇବା ପରେ ଗ୍ୟାସ୍‌ କଟର୍‌ ସାହାଯ୍ୟରେ ଗାଡ଼ିର ସାମ୍ନାପଟୁ କଟାଯାଇ ଦୀର୍ଘ ୧୦ ଘଣ୍ଟା ପରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା। ସେତେ‌ବେଳକୁ ସନ୍ଧ୍ୟା ୭ଟା ବାଜି ଯାଇଥିଲା। ଗୁରୁତର ଟ୍ରକ୍‌ ଚାଳକଜଣକ ଏବେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।