ପୁଣି ମଧୁପାଟଣାରେ ଓଲଟିଲା ଟ୍ରକ

କଟକ : ବାରମ୍ବାର ସମାନ ଜାଗାରେ ଘଟୁଛି ଦୁର୍ଘଟଣା। ଗଲା ମାସକରେ ୫ଟି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହେଲେଣି। ଆଜି ସମାନ ଢଙ୍ଗରେ ମଧୁପାଟଣା ଓଭର୍‌ ବ୍ରିଜରେ ପୁଣି ଏକ ଟ୍ରକ ଓଲଟିଛି । ହଠାତ୍‌ ସର୍ଭିସ୍‌ ରୋଡ୍‌ରୁ ମୁଖ୍ୟ ରାସ୍ତା ଉପରକୁ ଅନ୍ୟ ଏକ ଗାଡ଼ି ପଶିଆସିବାରୁ ପିଚୁ ବୋଝେଇ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଟ୍ରକ୍‌ର ଡ୍ରାଇଭର୍‌ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଛି । ଗାଡ଼ିରେ ଥିବା ଅନ୍ୟ ଦୁଇ ହେଲ୍‌ପରଙ୍କ ପତ୍ତା ମିଳିନଥିବା କୁହାଯାଉଛି ।

ଆଜି ଦିନ ପ୍ରାୟ ୪ଟା ବେଳେ ମଧୁପାଟଣା ଅଞ୍ଚଳର ଏକ ଟ୍ରକ୍‌(ଓଆର୍‌ ୦୫ ଡି ୬୪୦୭) ଭୁବନେଶ୍ୱରରୁ ଜଗତପୁର ଆଡ଼କୁ ଯାଉଥିବା ବେଳେ ମଧୁପାଟଣା ଓଭର୍‌ବ୍ରିଜ୍‌ ଉପରେ ଅତିକ୍ରମ କରୁଥିଲା । ଓଭର ବ୍ରିଜ୍‌ ଶେଷ ମୁଣ୍ଡରେ ଗାଡ଼ି ସାମ୍‌ନାକୁ ବାମ ପଟ ସର୍ଭିସ୍‌ ରୋଡ୍‌ରୁ ଅନ୍ୟ ଏକ ଗାଡ଼ି ପଶି ଆସିଥିବାରୁ ପିଚୁ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ବସିଥିଲା । ରାସ୍ତା ମଝିରେ ବ୍ରେକ ମାରିଦେବାରୁ ଗାଡ଼ିଟି ସିଧା ରାସ୍ତା ଉପରେ ଓଲଟି ପଡ଼ିଥିଲା । ଏହି ଘଟଣାକୁ ନେଇ କଟକ-ଭୁବନେଶ୍ୱର ରାସ୍ତା ଏକ ଘଣ୍ଟା କାଳ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା । ମଧୁପାଟଣା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତିନିଟି କ୍ରେନ୍‌ ସାହାଯ୍ୟରେ ଗାଡ଼ି ଉଠାଇ ଥିଲା । ପ୍ରାୟ ୬ଟା ବେଳକୁ ଯାନାବାହାନ ଚଳାଚଳ ସ୍ୱଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର