ଟ୍ରକ୍‌ ଧକ୍କାରେ ବୃଦ୍ଧ ମୃତ: ଘର ଛପର ଉପରକୁ ଛିଟିକି ପଡ଼ିଲେ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ବଜାର ନିକଟସ୍ଥ ଝାରବେଡ଼ାରେ ଆଜି ସନ୍ଧ୍ୟାରେ ଏକ ଟ୍ରକ ଧକ୍କାରେ ଜଣେ ବୃଦ୍ଧଙ୍କ ‌ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ତୁରୁମୁଙ୍ଗା ଥାନା ତେନ୍ତେଲା ଗ୍ରାମର ବିରଞ୍ଚି ଦାସ (୭୨)। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବୃଦ୍ଧ ଛିଟିକି ଘଟଣାସ୍ଥଳରୁ ୫୦ ଫୁଟ ଦୂରରେ ଥିବା ଏକ ଘର ଉପରେ ପଡ଼ିଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକ କରିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ସନ୍ଧ୍ୟାରେ ବିରଞ୍ଚି ସାଇକଲରେ ତୁରୁମୁଙ୍ଗା ବଜାରକୁ ଆସୁଥିଲେ। ଏହି ସମୟରେ ତୁରୁମୁଙ୍ଗାରୁ ଚମ୍ପୁଆ ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଟ୍ରକ୍ ଏତେ ଜୋରରେ ଧକ୍କା ଦେଇଥିଲା ଯେ ବୃଦ୍ଧ ବରଞ୍ଚି ଛିଟିକି ଯାଇ ଏକ ଛପର ଘର ଉପରେ ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଟ୍ରକ୍‌ଟି ଦୁର୍ଘଟଣା ଘଟାଇବା ପୂର୍ବରୁ ଏକ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ପରେ ସେଠାରୁ ଚମ୍ପଟ ମାରିଥିଲା। ଲୋକେ ଟ୍ରକକୁ ପିଛା କରି ଘଟଣାସ୍ଥଳରୁ ୧୨ କିମି ଦୂର ଚମ୍ପୁଆ ବ୍ଲକ୍ ଜ୍ୟୋତିପୁର ନିକଟରେ ଅଟକାଇବା ସହିତ ଡ୍ରାଇଭରକୁ ଧରି ପୁଲିସ ଜିମା ଦେଇଥିଲେ। ଏହାକୁ କେନ୍ଦ୍ରକରି ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ‌ଲୋକେ କ୍ଷତିପୂରଣ ଦାବିରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା। ଖବର ଲେଖାଯିବ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି। ରାସ୍ତା‌ର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି।

ସମ୍ବନ୍ଧିତ ଖବର