ବାଇକ୍‌କୁ ଧକ୍କା ଦେଲା ସିମେଣ୍ଟ ବୋଝଇ ଟ୍ରକ୍‌: ବାପା, ମାଆଙ୍କ ଆଗରେ ପୁଅଝିଅଙ୍କ ଜୀବନ ଗଲା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗଣ୍ଡାପଲ୍ଲୀ ଛକ ନିକଟରେ ଘଟିଛି ଏକ ମର୍ମଦୂନ୍ତ ସଡ଼କ ଦୁର୍ଘଟଣା। ଏକ ବାଇକ୍‌କୁ ଗୋଟିଏ ଟ୍ରକ୍‌ ଧକ୍କା ଦେଇଛି। ଦୁଃଖଦ ଘଟଣା ହେଲା, ବାପା ମାଆଙ୍କ ଆଖି ଆଗରେ ସେମାନଙ୍କ ପୁଅ, ଝିଅଙ୍କ ଜୀବନ ଚାଲିଯାଇଛି। ଗୁରୁତର ହୋଇ ବାପା, ମାଆ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳ ୯ଟା ବେଳେ ରମ୍ଭା ସହର ଟିକରପଡ଼ା ସାହିର ଅନ୍ତର୍ଯ୍ୟାମୀ ବେହେରା, ତାଙ୍କ ପତ୍ନୀ ଜୟନ୍ତୀ, ଝିଅ ଆଦ୍ୟସ୍ମିତା(୪) ଓ ପୁଅ ରଣବୀର୍‌ ଓରଫ୍‌ ପାର୍ଥ(୧୦)ଙ୍କୁ ବାଇକ୍‌ରେ ନେଇ ଏକ ଭୋଜିରେ ଯୋଗ ଦେବା ଲାଗି ଖଲ୍ଲିକୋଟ ଯାଉଥିଲେ। ରମ୍ଭା ଗଣ୍ଡାପଲ୍ଲୀ ଛକରୁ ରୋଡ଼ ପାର୍ଶକୁ ଯାଉଥିବା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ବାଇକ୍‌କୁ ଧକ୍କା ଦେଇଥିଲା। ଟ୍ରକ ଚକା ତଳେ ବାପା, ମାଆ ଓ ଦୁଇ ଶିଶୁ ଚପି ରହି ଯାଇଥିଲେ। ଘଟଣାସ୍ଥଳରେ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଅନ୍ତର୍ଯ୍ୟାମୀ ଓ ତାଙ୍କ ପତ୍ନୀ ଜୟନ୍ତୀ ଗୁରୁତର ଭାବେ ଟ୍ରକ୍‌ ତଳୁ ଉଦ୍ଧାର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ରମ୍ଭା ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିବା ସହ ଟ୍ରକ୍‌ ଚାଳକ କେ.ଆଦିନାଙ୍କୁ ଗିରଫ କରିଛି।

ଏହି ଖବର ପ୍ରଚାରିତ ହେବା କ୍ଷଣି ସ୍ଥାନୀୟ ଶହ ଶହ ଲୋକ ଗଣ୍ଡାପଲ୍ଲୀ ଛକରେ ପହଞ୍ଚି ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ପ୍ରମୁଖ ପହଞ୍ଚି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତ୍ୟକ୍ତ ଜନତା ରାସ୍ତା ଅବରୋଧରୁ ହଟିଥିଲେ।

ସମ୍ବନ୍ଧିତ ଖବର