ଅଜଣା ଟ୍ରକ୍‌ ଧକ୍କାରେ ଅଟୋ ଚୂରମାର: ମହିଳା ମୃତ, ୪ ଗୁରୁତର

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଭଅଁରାଖୋଲ ଛକ ନିକଟରେ ମଙ୍ଗଳବାର ସକାଳ ୫ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ହେଲେ ଝାରସୁଗୁଡ଼ା ନିକଟସ୍ଥ ଲହଣ୍ଡାବୁଡ଼ ଗ୍ରାମର ଦ୍ରୁପତି ପଟେଲ(୪୫)। ଆହତ ମହିଳାଙ୍କ ମଧ୍ୟରୁ ସେହି ଗ୍ରାମର ସିନ୍ଧୁଲତା ପଟେଲ(୫୨)ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସୂଚନା ଅନୁଯାୟୀ ଲହଣ୍ଡାବୁଡ଼ ଗ୍ରାମର ଯମୁନା ଠାକୁରଙ୍କ ବଡ଼ଭାଇଙ୍କ କୌଣସି କାରଣରୁ ସୋମବାର ରାତିରେ ମୃତ୍ୟୁ ହୋଇଥିବାରୁ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଗ୍ରାମର ସାତ ଜଣ ମହିଳା ଓ ଜଣେ ପୁରୁଷ ମିଶି ଏକ ଭଡ଼ା ଅଟୋରେ ଯମୁନାଙ୍କ ମା’ ଘର ଛତିଶଗଡ଼ ରାଏଗଡ଼ ଜିଲ୍ଲାର ଝଲମଲା ଗାଁକୁ ଯାଇଥିଲେ। ସମସ୍ତେ ଭୋରରୁ ବାହାରି ୪୯ ନଂ ଜାତୀୟ ରାଜପଥରେ ଯାଉଥିବା ସମୟରେ ଭଅଁରଖୋଲ ଛକରେ ଏକ ଅଜଣା କୋଇଲା ବୋଝେଇ ଟ୍ରକ ଅଟେଶ (ଓଆର-୧୬ଇ-୦୫୧୪)କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଅଟୋରୁ ଛିଟିକି ପଡ଼ିଥିବା ଦ୍ରୁପତିଙ୍କ ଉପରେ ଟ୍ରକଟି ମାଡ଼ି ଯାଇଥିଲା।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଲଖନପୁର ପୁଲିସ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ ବୁର୍ଲା ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲା। ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବାରୁ ଲୋକେ ଭଅଁରଖୋଲ ଛକରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସଙ୍କ ନେତୃତ୍ୱରେ ବ୍ରଜରାଜନଗର ଆଇଆଇସି ବୈକୁଣ୍ଠ ବିହାରୀ ସେଠ, ରେଙ୍ଗାଲୀ ଆଇଆଇସି କ୍ରେସିନିଆ ସାମାରିଆ ଓ ଲଖନପୁର ଥାନା ଏସଆଇ ଗଣେଶରାମ ସା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ମୃତ ମହିଳାଙ୍କ ପରିବାରଙ୍କୁ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଆହତଙ୍କୁ ନିୟମ ଅନୁଯାୟୀ ସରକାରୀ ସହାୟତା ଦେବା ନିମନ୍ତେ ପ୍ରତିଶ୍ରୁତି ଦେଲା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ପରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଠାବ କରିବା ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ଲଖନପୁର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର